ବଦନାମ କରିବାକୁ ଷଡଯନ୍ତ୍ର: ରାମମୂର୍ତି

ରାୟଗଡ଼ା : ବୋହୂଙ୍କ ପକ୍ଷରୁ ରୁଜୁ ଯୌତୁକ ନିର୍ଯାତନା ମାମଲାରେ ପୂର୍ବତନ ବିଧାୟକ ରାମମୂର୍ତି ଗମାଙ୍ଗଙ୍କ ପରିବାରକୁ ପଚରା ଉଚୁରା କରିବା ପାଇଁ ନୋଟିସ୍‌ ଦିଆଯିବ ବୋଲି କହିଛି ଗୁଣପୁର ପୁଲିସ। ସୁପ୍ରିମ କୋର୍ଟଙ୍କ ନିର୍ଦେଶ ଅନୁଯାୟୀ ପୂର୍ବତନ ବିଧାୟକଙ୍କ ସମେତ ତାଙ୍କ ପତ୍ନୀ ଓ ପୁଅକୁ ଥାନାକୁ ଡକାଯିବ। ସେମାନଙ୍କୁ ପଚରା ଉଚୁରା ପରେ ଆଇନ ଅନୁଯାୟୀ ପରବର୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଗୁଣପୁର ଥାନା ଆଇଆଇସି ନିର୍ମଳ ପାଣିଗ୍ରାହୀ କହିଛନ୍ତି। ପୂର୍ବରୁ କିଛି ମାସ ତଳେ ରାମମୂର୍ତିଙ୍କ ବୋହୂ ସସ୍ମିତା ଗମାଙ୍ଗ ସ୍ୱାମୀ, ଶାଶୂ ଓ ଶ୍ୱଶୁରଙ୍କ ବିରୋଧରେ ଅନୁରୂପ ଅଭିଯୋଗ କରିଥିଲେ। ସେହି ସମୟରେ ଉଭୟ ପକ୍ଷଙ୍କୁ ଡ଼ାକି କାଉନସିଲିଂ କରାଯାଇଥିଲା। ଆପୋସ ବୁଝାମଣା ମାଧ୍ୟମରେ ମାମଲାର ସମାଧାନ ହୋଇଥିବା ନେଇ ଲିଖିତ ଭାବେ ରଖାଯାଇଥିଲା।

ଅପରପକ୍ଷରେ ବୋହୂଙ୍କ ଅଭିଯୋଗକୁ ଖଣ୍ଡନ କରିଛନ୍ତି ରାମମୂର୍ତି ଗମାଙ୍ଗ। ତାଙ୍କ ପରିବାର ବିରୋଧରେ ଷଡଯନ୍ତ୍ର କରି ମିଥ୍ୟା ଅଭିଯୋଗ କରାଯାଇଛି। ବୋହୂ ଗୁଡାରୀରେ ଶିକ୍ଷୟିତ୍ରୀ ଥିବା ବେଳେ ପୁଅକୁ ସେଠାରେ ରହିବାକୁ ବାଧ୍ୟ କରୁଛନ୍ତି। ପୁଅ ଲଳିତ ଏପିପି ଭାବେ ମନୋନୀତ ହୋଇ ନିଯୁକ୍ତି ଅପେକ୍ଷାରେ ରହିଛି। ସେହିପରି ବୋହୂକୁ ଆମ ଠାରୁ ଅଲଗା ହୋଇ ଗୁଣପୁରରେ ପୁଅ ସହ ରହିବାକୁ କୁହାଯାଇଥିଲା। କିନ୍ତୁ ବୋହୂ ଏହା ନଶୁଣି ଆମ ପରିବାର ନାମରେ ମିଥ୍ୟା ଅଭିଯୋଗ ଆଣିଛି। ପୂର୍ବରୁ ଆପୋସ ବୁଝାମଣା ଦ୍ୱାରା ସମାଧାନ ହୋଇ ନଥିଲେ ହେଁ ପରବର୍ତୀ ସମୟରେ ପୁଣି ଅଭିଯୋଗ କରିବା ଦୁର୍ଭାଗ୍ୟ ଜନକ ବୋଲି ଶ୍ରୀ ଗମାଙ୍ଗ କହିଛନ୍ତି।

ସମ୍ବନ୍ଧିତ ଖବର