ରାୟଗଡ଼ା ନିର୍ବାଚନୀ ମାମଲା : ହାଇକୋର୍ଟରେ ବିଧାୟକ ହାଜର, ଜବାବ ଦାଖଲ ପାଇଁ ମହଲତ

କଟକ : ରାୟଗଡ଼ା ବିଧାନସଭା ଆସନ ନିର୍ବାଚନରେ ଅନିୟମିତତା ଅଭିଯୋଗ କରି ଦାୟର ନିର୍ବାଚନୀ ମାମଲାରେ ବିଧାୟକ ମକରନ୍ଦ ମୁଦୁଲି ଆଜି ଓକିଲଙ୍କ ମାଧ୍ୟମରେ ହାଇକୋର୍ଟରେ ହାଜର ହୋଇଥିଲେ। ଏହି ମାମଲା‌ରେ ଜବାବ ଦାଖଲ ପାଇଁ ବିଧାୟକଙ୍କ ତରଫରୁ ୬ ସପ୍ତାହ ସମୟ ଲୋଡା ଯାଇଥିଲା। ହାଇକୋର୍ଟ ଏଥିପାଇଁ ଅନୁମତି ଦେବା ସହିତ ନିର୍ବାଚନୀ ମାମଲାର ପରବର୍ତ୍ତୀ ଶୁଣାଣି ୬ ସପ୍ତାହ ପରେ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ଉଲ୍ଲେଖ ଯୋଗ୍ୟ ଯେ ୨୦୧୯, ସେପ୍ଟେମ୍ବର ୨୫ରେ ଡକ୍ଟର ଜଷ୍ଟିସ ବି.ଆର.ଷଡ଼ଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟଗଡା ନିର୍ବାଚନୀ ମାମଲାର ଶୁଣାଣି କରି ବିଧାୟକ ଓ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ୍ ଜାରି କରିଥିଲେ।

ମାମଲାର ବିବରଣୀରୁ ପ୍ରକାଶ ‌ଯେ, ଚଳିତ ବର୍ଷ ଅନୁଷ୍ଠିତ ନିର୍ବାଚନରେ ରାୟଗଡ଼ା ଆସନରୁ ସ୍ବାଧୀନ ପ୍ରାର୍ଥୀ ଶ୍ରୀ ମୁଦୁଲି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କ ନିର୍ବାଚନକୁ ଚାଲେଞ୍ଜ କରି ରାୟଗଡା ଅଞ୍ଚଳର ଜଣେ ସାଧାରଣ ଭୋଟର ଆର୍‌.ହରିଶ ପଟ୍ଟନାୟକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ମାମଲାରେ ବିଧାୟକ ମକରନ୍ଦ ମୁଦୁଲି, ପରାଜିତ ପ୍ରାର୍ଥୀ କାଡ୍ରାକା ଆପାଲାସ୍ବାମୀ, ପୂର୍ଣ୍ଣବତୀ ମାଝୀ, ବସନ୍ତ କୁମାର ଉଲ୍ଲାକା, ଲାଲ ବିହାରୀ ହିମିରିକାଙ୍କୁ ପକ୍ଷଭୁକ୍ତ କରାଯାଇଛି।

ଆବେଦନକାରୀ ଆର୍‌.ହରିଶ ପଟ୍ଟନାୟକଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର, ତରଣୀକାନ୍ତ ବିଶ୍ବାଳ ଓ ବିଧାୟକ ଶ୍ରୀ ମୁଦୁଲିଙ୍କ ପକ୍ଷରୁ ଆଇନଜୀବୀ ଗୋପାଳ ଅଗ୍ରୱାଲ ମାମଲା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର