ନବୀନ ନିବାସରେ ସ୍ୱାଧୀନ ବିଧାୟକ ମକରନ୍ଦ ମୁଦୁଲି

ଶିଳ୍ପ ପ୍ରତିଷ୍ଠା ନେଇ ଜଣାଇଲେ ଅଭିନନ୍ଦନ, ସରକାରଙ୍କ ସହ ଅଛି: ବିଧାୟକ, ବିଜେଡିରେ ସାମିଲ୍ ନେଇ ବଢ଼ିଲା ଚର୍ଚା

ରାୟଗଡା/ଭୁବନେଶ୍ବର : ନିର୍ବାଚନରେ ମାତ୍ର ୧୫ ହଜାର ଟଙ୍କା ଖର୍ଚ୍ଚ କରି ଜିତିବା ପରେ ଚର୍ଚ୍ଚାକୁ ଆସିିଥିଲେ ରାୟଗଡ଼ା ସ୍ବାଧୀନ ବିଧାୟକ ମକରନ୍ଦ ମୁଦୁଲି। ଏବେ ପୁଣି ଆଉ ଏକ କାରଣ ପାଇଁ ସେ ଆଲୋଚନା ପରିସରକୁ ଆସିଛନ୍ତି। ନିଜ ଅଞ୍ଚଳରେ ଶିଳ୍ପ ପ୍ରତିଷ୍ଠା ଘୋଷଣା ହୋଇଥିବାରୁ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ଭେଟି ଅଭିନନ୍ଦନ ଜଣାଇଛନ୍ତି। ଏହା ପରେ ତାଙ୍କର ବିଜେଡିରେ ମିଶିବା ନେଇ ଚର୍ଚ୍ଚା ଜୋର୍‌ ଧରିଛି। ବି‌େଜଡିରେ ମିଶିବା ପ୍ରସଙ୍ଗକୁ ସେ ଅସ୍ବୀକାର କରିଥିଲେ ବି ସରକାରଙ୍କ ସହ ଅଛନ୍ତି ବୋଲି ଗଣମାଧ୍ୟମକୁ କହିଛନ୍ତି। ଯୁକ୍ତି ଦର୍ଶାଇଛନ୍ତି, ଓଡ଼ିଶାରେ ମୁଁ ଏକମାତ୍ର ସ୍ବାଧୀନ ବିଧାୟକ। ବିକାଶ ପାଇଁ କଣ କରି ପାରିବି? ଅଞ୍ଚଳର ବିକାଶ ପାଇଁ ସରକାରଙ୍କ ସମର୍ଥନ ଜରୁରୀ।

କଂସାରୀଗୁଡ଼ାରେ ଶିଳ୍ପ ପ୍ରତିଷ୍ଠା ପାଇଁ ନିକଟରେ ସରକାର ଘୋଷଣା କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମକରନ୍ଦ। ତାଙ୍କ ସହ ସ୍ଥାନୀୟ ଅଞ୍ଚଳର ଲୋକମାନେ ଆଜି ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

ବିଜେଡିରେ ମିଶିବା ଚର୍ଚ୍ଚାକୁ ମକରନ୍ଦ ଖଣ୍ଡନ କରିଥିବା ବେଳେ ସେ ବିଜେଡିରେ ଯୋଗଦେବେ କି ନାହିଁ ତାହା ଆଗାମୀ ଦିନରେ ଜଣା ପଡ଼ିବ ବୋଲି କହିଥିଲେ। ଏଥି ସହିତ ଫେବ୍ରୁଆରିରେ ହେବାକୁ ରାଜ୍ୟସଭା ନିର୍ବାଚନରେ ବିଜେଡିକୁ ସମର୍ଥନ ଦେବେ କି ପ୍ରଶ୍ନର ଉତ୍ତରରେ ସମୟ ଆସିଲେ ଏ ନେଇ ନିଷ୍ପତ୍ତି ନେବେ ବୋଲି କହିଛନ୍ତି।

ମକରନ୍ଦ କହିଥିଲେ, ଲୋକଙ୍କ ସ୍ବାର୍ଥ, ଅଞ୍ଚଳର ବିକାଶ ପାଇଁ ମୁଁ ସରକାରଙ୍କ ସହ ଅଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଅଛି। ବିକାଶ ପାଇଁ ସରକାରଙ୍କୁ ସମର୍ଥନ ଦେବି। ଅନ୍ୟପକ୍ଷରେ ଦୀର୍ଘ ବର୍ଷ ଧରି ଆଦିତ୍ୟ ବିର୍ଲା କମ୍ପାନି ଶିଳ୍ପ ପାଇଁ ଜମି ଅଧିଗ୍ରହଣ କରିଛି। କିନ୍ତୁ କମ୍ପାନି ପ୍ରତିଷ୍ଠାରେ ବିଳମ୍ବ ହେଉଥିଲା। ବାରମ୍ବାର ଦାବି ସତ୍ତ୍ବେ କମ୍ପାନି କର୍ତ୍ତୃପକ୍ଷ ଶୁଣୁ ନ ଥିଲେ। ଗତ ୯ ତାରିଖରେ ୮ ହଜାର ‌କୋଟିର ପୁଞ୍ଜି ନିବେଶ ବଳରେ ବାର୍ଷିକ ୨ ମିଲିୟନ୍ ଟନ୍ କ୍ଷମତା ବିଶିଷ୍ଟ ଆଲୁମିନିୟମ୍ ରିଫାଇନେରି ୟୁନିଟ୍ ପ୍ରତିଷ୍ଠା ପାଇଁ ରାଜ୍ୟ ସରକାରଙ୍କ ଉଚ୍ଚ କ୍ଷମତା ସଂପନ୍ନ କମିଟି ଆଦିତ୍ୟ ବିର୍ଲା ଗ୍ରୁପକୁ ସବୁଜ ସଂକେତ ଦେଇଛି। କଂପାନି ପ୍ରତିଷ୍ଠା ହେଲେ ୪୨୫୦ ଲୋକଙ୍କ ପାଇଁ ଏହି କାରଖାନାରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। ଯାହା କାଶୀପୁରର ବିକାଶରେ ସହାୟକ ହେବ ବୋଲି ମକରନ୍ଦ କହିଛନ୍ତି।

୨୦୧୯ ବିଧାନସଭା ନିର୍ବାଚନରେ ରାୟଗଡ଼ା ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ ମକରନ୍ଦ ମୁଦୁଲି। ବିଜେଡି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ଲାଲ୍ ବିହାରୀ ହିମିରିକାଙ୍କୁ ୪୮୩୪ ଭୋଟ ବ୍ୟବଧାନରେ ପରାଜିତ କରି ମକରନ୍ଦ ଚର୍ଚାକୁ ଆସିଥିଲେ। ମାତ୍ର ୧୫ ହଜାର ଟଙ୍କାରେ ନିର୍ବାଚନ ଲଢ଼ି ଜନମତ ବଳରେ କୋଟିପତି ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀଙ୍କୁ ନିର୍ବାଚନରେ ହରାଇବା ମକରନ୍ଦଙ୍କୁ ରାତାରାତି ଚର୍ଚ୍ଚିତ କରିଥିଲା। ମକରନ୍ଦ ସତ୍ୟପାଠରେ ନିଜ ପାଖରେ ୧୫ ହଜାର ଟଙ୍କା ସହିତ ୨ ଏକର ଜମି ଥିବା ଦର୍ଶାଇଥିବା ବେଳେ ବିଜେଡି ପ୍ରାର୍ଥୀ ଲାଲ୍ ବିହାରୀ ହିମିରିକାଙ୍କ ସଂପତ୍ତିର ମୋଟ ମୂଲ୍ୟ ୧ କୋଟି ୩୬ ଲକ୍ଷ ୫ ହଜାର ୪୬୧ ଟଂକା ଥିଲା। ସେହିପରି ଅନ୍ୟ ଦଳ ପାଇଁ ଷ୍ଟାର୍ ପ୍ରଚାରକ ଆସିଥିବା ବେଳେ ନିଜ ପାଇଁ ନିଜେ ମକରନ୍ଦ ହିଁ ଥିଲେ ଷ୍ଟାର୍ ପ୍ରଚାରକ।

ସମ୍ବନ୍ଧିତ ଖବର