ରାୟଗଡ଼ା ରେଳ ଦୁର୍ଘଟଣା, ୧୫ ଘଣ୍ଟା ପରେ ରେଳ ଚଳାଚଳ ସ୍ବାଭାବିକ
ରାୟଗଡା : କୋରାପୁଟ-ରାୟଗଡା (କେଆର୍) ରେଳ ଲାଇନରେ ମେଣ୍ଟେନାନ୍ସ ଇଞ୍ଜିନ୍-ସମଲେଶ୍ବରୀ ଏକ୍ସପ୍ରେସ୍ ମଧ୍ୟରେ ଦୁର୍ଘଟଣା ପରେ ଆକ୍ସନ୍ ମୁଡକୁ ଆସିଛି ରେଳ ବିଭାଗ। କର୍ତବ୍ୟରେ ଅବହେଳା ପାଇଁ ଗତକାଲି ବିଭାଗ ପକ୍ଷରୁ ୪ଜଣଙ୍କୁ ନିଲମ୍ବନ କରାଯାଇଥିବା ବେଳେ ଆଜି ଆଉ ଜଣେ ଅଧିକାରୀଙ୍କ ମୁଣ୍ଡ ଗଡିଛି। ଡିଭିଜିନାଲ୍ ଟ୍ରାଫିକ୍ ଇନସପେକ୍ଟର୍ ସଂତୋଷ କୁମାର ବେହେରାଙ୍କୁ ବିଶାଖାପାଟଣା ଡିଆରଏମ୍ ଚେତନ ଶ୍ରୀବାତ୍ସବ ନିଲମ୍ବନ କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଗତକାଲି ରାତିରେ ଡିଆରଏମ୍ ଶ୍ରୀବାତ୍ସବଙ୍କ ସମେତ ଏଡିଆରଏମ୍ ଓ ଟେକ୍ନିକାଲ୍ ଟିମ୍ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ପରଖି ଆଜି ବିଶାଖାପାଟଣା ଫେରି ଯାଇଛନ୍ତି। ଆଜି ଇଷ୍ଟକୋଷ୍ଟ୍ ରେଲୱେର ଉପ ମୁଖ୍ୟ ନିରାପତ୍ତା ଅଧିକାରୀ ସରୋଜ କୁମାର ସାହୁଙ୍କ ନେତୃତ୍ବରେ ୧୦ ଜଣିଆ ଟିମ୍ ସିଙ୍ଗାପୁର ରୋଡ୍ ଷ୍ଟେସନ୍ ଓ କେଉଟଗୁଡା ଷ୍ଟେସନରେ ପହଞ୍ଚି ଘଟଣାର ଅନୁଧ୍ୟାନ କରିବା ସହ ତଦନ୍ତ କରିଛନ୍ତି। ତେବେ ନିରାପତ୍ତା ଟିମ୍ ଗସ୍ତ ସଂପର୍କିତ ସମସ୍ତ ସୂଚନାକୁ ରେଳ କର୍ତୃପକ୍ଷ ଗୁପ୍ତ ରଖିଛନ୍ତି। କୌଣସି ଅଧିକାରୀ ଏ ସଂପର୍କରେ ମୁହଁ ଖୋଲୁ ନାହାନ୍ତି। ଦୁର୍ଘଟଣା ପରେ କେଆର୍ ରେଳ ଲାଇନରେ ରେଳ ଚଳାଚଳ ବନ୍ଦ ରହିଥିଲା। ଘଟଣାର ପ୍ରାୟ ୧୫ ଘଣ୍ଟା ପରେ ଆଜି ସକାଳ ୮ଟାରେ କେଆର୍ ଲାଇନରେ ରେଳ ଚଳାଚଳ ସ୍ବାଭାବିକ ହୋଇଛି। ଦୁର୍ଘଟଣାଗ୍ରସ୍ତ ଦୁଇ ଇଞ୍ଜିନକୁ ରାୟଗଡା ଓ କେଉଟଗୁଡା ଷ୍ଟେସନରେ ରଖା ଯାଇଛି।