ପୁରୀ ଲୋକସେବା ଭବନ ପାଇଁ ଜମି ଚିହ୍ନଟ : ଆରମ୍ଭ ହେଲା ଉଚ୍ଛେଦ, ଭଙ୍ଗା ହେଲା ପଥର ପାଚେରି, ଏକାଧିକ ଘର

ପୁରୀ : ଗୋଟିଏ କୋଠାରେ ଜିଲ୍ଲାପାଳଙ୍କ ସମେତ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ ରହିବ। ଯାହାର ନାଁ ରହିବ ଲୋକସେବା ଭବନ। ଏଥିପାଇଁ ପୁରୀ ଜିଲ୍ଲା ପ୍ରଶାସନ ଲୋକସେବା ଭବନ ପାଇଁ ସ୍ଥାନ ଚିହ୍ନଟ କରିଛି। ଏ ନେଇ ଉଚ୍ଛେଦ ପ୍ରକ୍ରିୟା ବି ଆଜିଠାରୁ ଆରମ୍ଭ କରିଛି। ଚିହ୍ନଟ ସ୍ଥାନରେ ବେଆଇନ୍ ଭାବେ ବୁଲିଥିବା ପଥର ପାଚେରି ସହ ଏକାଧିକ ଆଜ୍‌ବେଷ୍ଟସ୍ ଘରକୁ ଆଜି ପ୍ରଶାସନ ଭାଙ୍ଗି ମାଟିରେ ମିଶାଇ ଦେଇଛି। ପୁରୀକୁ ବିଶ୍ବ ଐତିହ୍ୟ ମାନ୍ୟତା ଲକ୍ଷ୍ୟରେ ଗତ ଅଗଷ୍ଟ ୮ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୬୫ କୋଟି ଟଙ୍କାର ପ୍ୟାକେଜ୍ ଘୋଷଣା କରିଥିଲେ। ଯେଉଁଥିରେ ଲୋକସେବା ଭବନ ସହ ୪୦୦ ଗାଡ଼ି ପାର୍କିଂ ପାଇଁ ପୁରୁଣା ଜେଲ ଓ ବେଳାମାର୍ଗରେ ବହୁତଳ ପାର୍କିଂ, ଉଚ୍ଛେଦ ଦୋକାନୀଙ୍କୁ ଥଇଥାନ ପାଇଁ ୧୨୫୦ ନୂଆ ଦୋକାନ ଘର, ଆଚାର୍ଯ୍ୟ ହରିହର ଛକର ଉନ୍ନତିକରଣ ଆଦି ଯୋଜନା ଅନ୍ତର୍ଭୁକ୍ତ ରହିଛି। ଲୋକସେବା ଭବନ ପାଇଁ ୧୦ ଏକର ଜମି ଆବଶ୍ୟକ ଥିବାବେଳେ ୧୬୦ ୦୦୯ ବର୍ଗଫୁଟ ଜାଗାରେ ଲୋକ‌େସେବା ଭବନ ନିର୍ମାଣ ଓ ୫୫ହଜାର ବର୍ଗଫୁଟରେ ଗାଡ଼ି ପାର୍କିଂ ବ୍ୟବସ୍ଥା କରାଯିବ। ଏ ବାବଦକୁ ୬୪.୫ କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ଘୋଷଣାର ୧୨ ଦିନ ପରେ ଜିଲ୍ଲା ପ୍ରଶାସନ ବଳିଆପଣ୍ଡା ନିକଟରେ ଲୋକସେବା ଭବନ ପାଇଁ ସ୍ଥାନ ଚିହ୍ନଟ କରିଛି। ଯେହେତୁ ବଳିଆପଣ୍ଡାର ହୋଟେଲ ଷ୍ଟର୍ଲିନଠାରେ ପୁରୀ-ଭୁବନେଶ୍ବର ବାଇପାସ୍‌ ରାସ୍ତା ‌ସଂଯୋଗ କରୁଛି ଓ ଗମନାଗମନ ଦୃଷ୍ଟିରୁ ଏହା ସୁବିଧା ହେବ, ଏହି ଦୃଷ୍ଟିରୁ ଏହି ସ୍ଥାନକୁ ଲୋକସେବା ଭବନ ପାଇଁ ଉପଯୁକ୍ତ ବୋଲି ଜିଲ୍ଲା ପ୍ରଶାସନ ଚିହ୍ନଟ କରିଥିବା ଜଣାପଡ଼ିଛି। ଆଜି ଏଠାରେ ଥିବା ପଥର ପାଚେରି ସବୁକୁ ଜେସିବି ଲଗାଇ ଭଙ୍ଗାଯାଇଛି। ସେହିଭଳି ଏକାଧିକ ଆଜ୍‌ବେଷ୍ଟସ୍ ଘର ବି ଭଙ୍ଗାଯାଇଛି। ଜବରଦଖଲ କରି ରହିଥିବା ଛୋଟବଡ଼ କୁଡ଼ିଆ ସବୁକୁ ବି ପ୍ରଶାସନ ପକ୍ଷରୁ ଭଙ୍ଗାଯାଇଛି। ଆଗକୁ ଏହି ଉଚ୍ଛେଦ ଅଭିଯାନ ବ୍ୟାପକ କରାଯିବ ବୋଲି ଜଣାପଡ଼ିଛି। ତେବେ ବିଭିନ୍ନ କାରଣରୁ ଜିଲ୍ଲା ପ୍ରଶାସନ ଏହି ପ୍ରସଙ୍ଗରେ ଗଣମାଧ୍ୟମ ଆଗରେ ଖୋଲାଖୋଲି କିଛି କହିନାହିଁ। ଏ ସଂପର୍କରେ ଉପଜିଲ୍ଲାପାଳ ଭବତାରଣ ସାହୁ କହିଛନ୍ତି, ବେଳାମାର୍ଗ କଡ଼ରେ ଏକ ଯୋଗ୍ୟ ସ୍ଥାନ ଚିହ୍ନଟ ପ୍ରକ୍ରିୟା ଜାରି ରହିଛି। କିନ୍ତୁ ଜାଗା ଚିହ୍ନଟ ହୋଇନି। ତେବେ ଉଚ୍ଛେଦ ସଂପର୍କରେ ପଚାରିବାରୁ ସେ କିଛି ଜାଣି ନଥିବା କହିଛନ୍ତି।

ସମ୍ବନ୍ଧିତ ଖବର