ଆରବିଏସ୍‌ ମୋବାଇଲ୍‌ ଟିମ୍‌ର ସଫଳତା: ବଡ଼ଚଣାରେ ଝିଅ ହେଲା ପୁଅ

୫ବର୍ଷର ଅନ୍ନପୂର୍ଣା ହେଲା ଦୟାନିଧି

ଚଣ୍ଡିଖୋଲ: ଆଧୁନିକ ବିଜ୍ଞାନ ଯୁଗରେ ଯେ କୌଣସି ଅସମ୍ଭବକୁ ସମ୍ଭବ କରାଯାଇ ପାରୁଛି। ଅସ୍ତ୍ରୋପଚାର ପରେ ବଡ଼ଚଣା ଅଂଚଳରେ ଜଣେ ୫ ବର୍ଷର ଶିଶୁ କନ୍ୟାକୁ ପୁଅ କରାଯାଇଛି। ବଡ଼ଚଣା କୁନ୍ଦଳ ଗ୍ରାମର ଅନ୍ନପୂର୍ଣ୍ଣା ଏବେ ଦୟାନିଧି ଭାବେ ନୂତନ ପରିଚୟ ପାଇଛି। ଝିଅ ସହିତ ମିଶି ଖେଳୁଥିବା ଅନ୍ନପୂର୍ଣ୍ଣା ବର୍ତମାନ ପୁଅମାନଙ୍କ ସହିତ ମିଶି ଖେଳୁଛି। ଏହି ଘଟଣା ପରେ ବଡ଼ଚଣାରେ ଉତ୍ସୁକତା ପ୍ରକାଶ ପାଇଛି।ବଡ଼ଚଣା ବ୍ଳକ୍‌ ତଥା କୁନ୍ଦଳ ପଞ୍ଚାୟତ ଅନ୍ତର୍ଗତ କୁନ୍ଦଳ ଗ୍ରାମର ରଞ୍ଜିତ୍‌ ସ୍ୱାଇଁ ଓ ରଶ୍ମିତା ସ୍ୱାଇଁଙ୍କର ଦୁଇ ଝିଅ। ରଞ୍ଜିତଙ୍କର ବଡ଼ଝିଅ ଅନ୍ନପୂର୍ଣ୍ଣା (୫)ର ବିଭିନ୍ନ ଶାରୀରିକ ସମସ୍ୟା ରହିଥିଲା। ଅନ୍ନପୂର୍ଣ୍ଣା କୁନ୍ଦଳ ଗ୍ରାମର ନାୟକ ସାହି ଅଙ୍ଗନବାଡ଼ି କେନ୍ଦ୍ରରେ ପାଠ ପଢ଼ୁଥିଲା। ଗତ ଏକ ବର୍ଷ ତଳେ ଏହି ଅଙ୍ଗନବାଡ଼ି କେନ୍ଦ୍ରକୁ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ କାମ କରୁଥିବା ରାଷ୍ଟ୍ରୀୟ ବାଲ୍‌ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ (ଆର୍‌ବିଏସ୍‌କେ)ର ୨ନଂ ଟିମ୍‌ର ଡାକ୍ତର ଅଳକା ପ୍ରିୟଦର୍ଶିନୀ ସାମଲ, ଡ. ଦୀପକ କୁମାର ସାହୁ, ଫାର୍ମାସିଷ୍ଟ୍‌ ଶୁଭଶ୍ରୀ ଶତପଥୀ ଓ ଷ୍ଟାଫ୍‌ ନର୍ସ ନମିତା ଜେନା ପ୍ରମୁଖ ଅଙ୍ଗନବାଡ଼ି ଛାତଛାତ୍ରୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଆସିଥିଲେ। ତେବେ ଅନ୍ନପୂର୍ଣ୍ଣାର ବିଭିନ୍ନ ଶାରୀରିକ ସମସ୍ୟା ଥିବା ନେଇ ତାଙ୍କ ପିତା ରଂଜିତ ଓ ମାଆ ରଶ୍ମିତା ଏହି ଆର୍‌ବିଏସ୍‌କେ ଟିମ୍‌କୁ ଅବଗତ କରାଇ ସାହାଯ୍ୟ ସହଯୋଗ ମାଗିଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ଅଧିକ ପରୀକ୍ଷା ପାଇଁ ଏହି ଟିମ୍‌ ଅନ୍ନପୂର୍ଣାକୁ ଯାଜପୁରସ୍ଥିତ ଡିଇଆଇସିକୁ ପଠାଇଥିଲେ। ଏହି ସଂସ୍ଥା ଅନ୍ନପୂର୍ଣ୍ଣାର ସ୍ୱାସ୍ଥ୍ୟ ପରୀକ୍ଷା କରି ତାର ଲିଙ୍ଗ ଗତ ସମସ୍ୟା ଥିବା ଜାଣି କଟକ ଶିଶୁ ଭବନ ପଠାଇଥିଲେ। ଆର୍‌ବିଏସ୍‌କେର ସଂପୂର୍ଣ୍ଣ ସହାୟତାରେ ଶିଶୁ ଭବନ ବିଶେଷଜ୍ଞ ଅନ୍ନପୂର୍ଣ୍ଣାର ଲିଙ୍ଗଗତ ସମସ୍ୟା ହେତୁ ଏହାର ଅସ୍ତ୍ରୋପଚାର ଜରୁରୀ ବୋଲି ଦର୍ଶାଇଥିଲେ। ଏଥିସହିତ, ତାକୁ କଟକ ବଡ଼ଡାକ୍ତରଖାନାକୁ ରେଫର୍‌ କରିଥିଲେ। ବଡ ଡାକ୍ତରଖାନାର ବିଶେଷଜ୍ଞ ଡ. ଦତ୍ତେଶ୍ୱର ହୋତାଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ସର୍ଜରୀ ବିଭାଗର ଏକ ଟିମ୍‌ ଅସ୍ତ୍ରୋପଚାର କରିବା ସହିତ ଅନ୍ନପୂର୍ଣ୍ଣାକୁ ପୁଅ ବୋଲି ସାବ୍ୟସ୍ତ କରିଛନ୍ତି। ଚିକିତ୍ସା ବିଜ୍ଞାନର ଏହି ଲମ୍ବା ପ୍ରକ୍ରିୟା ଭିତରେ ଅନ୍ନପୂର୍ଣ୍ଣା ଏବେ ଦୟାନିଧିରେ ପରିଣତ ହୋଇଛି।

ଆର୍‌ବିଏସ୍‌କେର ମୁଖ୍ୟ ଡାକ୍ତର ଅଳକା ପ୍ରିୟଦର୍ଶିନୀ ସାମଲଙ୍କ କହିବାନୁଯାୟୀ ଅନ୍ନପୂର୍ଣ୍ଣାର ଲିଙ୍ଗଗତ ସମସ୍ୟା ରହିଥିଲା। ପରୀକ୍ଷାନିରୀକ୍ଷା ପରେ ନାଁ ସେ ଝିଅ ନାଁ ସେ ପୁଅ ଥିଲା ବୋଲି ଜଣାପଡ଼ିନଥିଲା। ଅନ୍ନପୂର୍ଣ୍ଣାର ଶରୀର ବାହ୍ୟ ଭାଗ ଝିଅ ଥିବା ଜଣାପଡୁଥିଲେ ବି ବାସ୍ତବିକ ଭାବେ ସେ ପୁଅ ହିଁ ଥିଲା। ତେଣୁ ତା’ର ଅସ୍ତ୍ରୋପଚାର କରାଇ ଅନ୍ନପୂର୍ଣାକୁ ଝିଅରୁ ପୁଅରେ ପରିଣତ କରାଗଲା ବୋଲି ଡା. ସାମଲ ‘ସମ୍ବାଦ’କୁ କହିଛନ୍ତି। ଅପରପକ୍ଷରେ ରଂଜିତ୍‌ ସ୍ୱାଇଁଙ୍କର ଦୁଇ ଝିଅରୁ ଜଣେ ପୁଅ ହେବାରୁ ସେ ଖୁବ୍‌ ଖୁସି ଅଛନ୍ତି। ଏଥିପାଇଁ ସେ ଆରବିଏସ୍‌କେ ଟିମ୍‌କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର