ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ‘ଫନି’ର ୪ ମାସ ପରେ ବି ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ୍‌ରେ ପୁନନିର୍ମାଣ କାର୍ଯ୍ୟ ଧିମା, ସବୁ ଅସଜଡ଼ା

ବ୍ରହ୍ମଗିରି : ପାର୍ବଣର ଚଳଚଞ୍ଚଳ ଓ ଉତ୍ସବମୁଖର ପରିବେଶ ସତ୍ତ୍ବେ ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ୍‌ର ଅନେକ ଅଞ୍ଚଳରେ ବାତ୍ୟା ପରର ଧ୍ୱଂସଲୀଳା ଚିତ୍ର ଏକ ଭିନ୍ନ ପରିବେଶ ସୃ‌ଷ୍ଟି କରିଛି। ପ୍ରଳୟଙ୍କରୀ ସାମୁଦ୍ରିକ ଝଡ଼ ‘ଫନି’କୁ ଇତି ମଧ୍ୟରେ ଚାରି ମାସ ବିତିଗଲାଣି। କିନ୍ତୁ ପୁରୀ ଜିଲ୍ଲାର ଏହି ଦୁଇ ବ୍ଲକ୍‌ରେ ଆଜି ବି ଏହି ବାତ୍ୟାର କ୍ଷତ ଜଳ ଜଳ ହୋଇ ଦେଖାଯାଉଛି। କେଉଁଠି ଅଧା ଭଙ୍ଗା ଅବସ୍ଥାରେ ଘର ରହିଛି ତ କେଉଁଠି ବିଦ୍ୟୁତ୍‌ ଖୁଣ୍ଟଗୁଡ଼ିକ ସେମିତି ମୋଡ଼ି ହୋଇ ରହିଛି। ବହୁ ସ୍ଥାନରେ ଏବେ ବି ନୂଆ ବିଦ୍ୟୁତ୍‌ ଖୁଣ୍ଟ ଲାଗି ପାରିନି। କହିବାକୁ ଗଲେ ଭିତ୍ତିଭୂମିର ପୁନନିର୍ମାଣ ଅଧିକାଂଶ ସ୍ଥାନରେ ହୋଇ ପାରି ନ ଥିବାରୁ ସେହିସବୁ ସ୍ଥାନରେ ଜନଜୀବନ ସ୍ବାଭାବିକ ସ୍ଥିତିକୁ ଏବେବି ଫେରି ପାରି ନାହିଁ। ବିଶେଷକରି ବିଦ୍ୟୁତ୍‌ ଭିତ୍ତିଭୂମିର ପୁନନିର୍ମାଣ ହୋଇ ପାରି ନାହିଁ। ସୈାଭାଗ୍ୟ ଯୋଜନାରେ ବସିଥିବା ବିଦ୍ୟୁତ୍ ଟ୍ରାନ୍‌ସଫର୍ମର ଗୁଡ଼ିକର ମରାମତି ହୋଇ ପାରୁ ନାହିଁ। ପର୍ଯ୍ୟଟନସ୍ଥଳୀରେ ହାଇମାଷ୍ଟ ଲାଇଟ୍‌ ଓ ଷ୍ଟ୍ରିଟ ଲାଇଟ୍‌ ମଧ୍ୟ ଭାଙ୍ଗି ରହିଛି। ଅଲାରନାଥଙ୍କ ପୀଠରେ ଲାଗିଥିବା ସମସ୍ତ ଆଲୋକ ବ୍ୟବସ୍ଥା ମରାମତି ହୋଇ ପାରି ନାହିଁ।

ସମ୍ବନ୍ଧିତ ଖବର