ଖଣି ଓ ଭୂତତ୍ୱ ନିର୍ଦେଶାଳୟରେ ୧୫୦ ପଦ ସୃଷ୍ଟି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଇସ୍ପାତ ଓ ଖଣି ବିଭାଗ ଅଧୀନ ଭୂତାତ୍ତ୍ୱିକ ସର୍ବେକ୍ଷଣ ଓ ଅନେ୍ଵଷଣ, ଖଣିଜ ପ୍ରଶାସନ ଓ ରାସାୟନିକ ବିଶ୍ଲେଷଣ ଉପ ବିଭାଗରେ ପ୍ରବେଶସ୍ତରୀୟ ଗ୍ରୁପ୍‌-ବି ପଦବିକୁ ପୁନର୍ଗଠନ କରାଯାଇଛି। ଏହି ପଦବିକୁ ଗ୍ରୁପ୍‌-ଏ(କନିଷ୍ଠ ଶ୍ରେଣୀ)କୁ ଉନ୍ନୀତ ହୋଇଛି। ଖଣିଜ ବିଭାଗରେ କାର୍ଯ୍ୟଭାର ବୃଦ୍ଧି ପାଇଥିବା ପରିପ୍ରେକ୍ଷୀରେ ଖଣି ନିର୍ଦେଶାଳୟରେ ୪୭ଟି ପଦବି ଓ ଭୂତତ୍ତ୍ୱ ନିର୍ଦେଶାଳୟ ଅଧୀନରେ ୧୦୩ଟି ପଦବି ସୃଷ୍ଟି କରାଯାଇଛି। ଆଜି କ୍ୟାବିନେଟ୍‌ ବୈଠକରେ ଏହି ପ୍ରସ୍ତାବକୁ ମଞ୍ଜୁରି ମିଳିଛି। ଏ ସଂପର୍କରେ ସୂଚନା ଦେଇଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ। ଅନ୍ୟ ଏକ ନିଷ୍ପତ୍ତି ଅନୁଯାୟୀ ଗୃହ ନିର୍ମାଣ ବିଭାଗ ଅଧୀନରେ ରହିଥିବା ବିଭିନ୍ନ ସହର ଯୋଜନା ସଂସ୍ଥାମାନଙ୍କରେ ଥିବା ୨ଟି ସମାନ ଧରଣର ପଦବିକୁ ଏକୀକୃତ କରାଯାଇଛି। ଫଳରେ ସହକାରୀ ସହର ଯୋଜନା ଅଧିକାରୀ ପଦବିରେ ବିଲୀନ ହୋଇଯାଇଛି ଯୁଗ୍ମ ସହର ଯୋଜନା ଅଧିକାରୀ ପଦବି। ଏହି ସହକାରୀ ପଦବିକୁ ପ୍ରବେଶସ୍ତରୀୟ ପଦ ଭାବେ ବିବେଚନା କରାଯାଇ ଏଥିନିମନ୍ତେ ସର୍ବନିମ୍ନ ଶିକ୍ଷାଗତ ଯୋଗ୍ୟତା ସ୍ନାତକ ରଖାଯାଇଛି। ଏ ନେଇ ଓଡ଼ିଶା ସହର ଯୋଜନା ସେବା ବର୍ଗ ‘କ’ (ନିଯୁକ୍ତି ଓ ସେବା ସର୍ତ) ନିୟମ ୨୦୧୮ ପ୍ରଣୟନ କରାଯାଇଥିବା ବିଭାଗୀୟ ସଚିବ ଜି. ମାଥିଭାଥନନ୍‌ କହିଥିଲେ। ଆଇନ ମନ୍ତ୍ରୀ ପ୍ରତାପ ଜେନା କହିଲେ ଯେ ହାଇକୋର୍ଟଙ୍କ ସୁପାରିସ ମୁତାବକ ସିଭିଲ୍‌ ଜଜ୍‌ମାନଙ୍କ ପ୍ରଶିକ୍ଷଣ(ଶିକ୍ଷାନବୀଶ) ଅବଧି ଦୁଇବର୍ଷରୁ ଏକବର୍ଷକୁ ହ୍ରାସ କରାଯାଇଛି। ଏଥିପାଇଁ ୨୦୦୭ର ନିୟମାବଳୀକୁ ସଂଶୋଧନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଓଡ଼ିଶା ଲୋକସେବା କମିସନରେ ଶୁଭେନ୍ଦୁ କୁମାର ରାୟଙ୍କୁ ସଦସ୍ୟ ଭାବେ ନିଯୁକ୍ତି ପ୍ରସ୍ତାବକୁ ଅନୁମୋଦନ ଦେଇଛି କ୍ୟାବିନେଟ। ଶ୍ରୀ ରାୟ ପୂର୍ତ୍ତ ବିଭାଗର ସଚିବ ଭାବେ କାର୍ଯ୍ୟ କରୁଥିଲେ।

ସମ୍ବନ୍ଧିତ ଖବର