ଶ୍ରୀମନ୍ଦିର ପରିସରରେ ଫଟୋ ଉଠାଇ ଫେସ୍‌ବୁକ୍‌ରେ ପୋଷ୍ଟ କରି ବିବାଦରେ ସମୁଦ୍ରକୂଳ ଥାନା ସବଇନ୍‌ସପେକ୍ଟର

ପୁରୀ: ପୁରୀରେ ଧାଡ଼ି ଦର୍ଶନ ବିରୋଧୀ ପ୍ରଦର୍ଶନ ବେଳେ ହଂସାକାଣ୍ଡ ଘଟଣାର ସମାଧାନ ନ ହେଣୁ ପୁଣି ଏପରି ଏକ ଘଟଣା ଘଟିଛି ଯାହା ଶ୍ରୀମନ୍ଦିର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଶ୍ରୀମନ୍ଦିର ପ୍ରଶାସନ ଓ ଓଡ଼ିଶା ପୁଲିସର ସବୁ ସତର୍କତା ସତ୍ତ୍ୱେ ଶ୍ରୀମନ୍ଦିର ଭିତରର ଫଟୋ ପୁଣି ଭାଇରାଲ ହୋଇଛି । ଶ୍ରୀମନ୍ଦିର ଭିତରକୁ ମୋବାଇଲ ନେବାକୁ ବାରଣ କରାଯିବା ସହ ମନ୍ଦିର ପରିସରରେ ଫଟୋ ନ ଉଠାଇବାକୁ କଡ଼ା ନିର୍ଦ୍ଦେଶ ରହିଛି । ତଥାପି ଏହି ନିୟମ ଉଲଂଘନ ହେଉଥିବାର ଘଟଣା ସାମ୍ନାକୁ ଆସିଛି।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଏହି ଭାଇରାଲ ହୋଇଥିବା ଫଟୋ କୌଣସି ସାଧାରଣ ଲୋକର ନୁହେଁ ବରଂ ଜଣେ ଦାୟିତ୍ୱବାନ୍‌ ପୁଲିସ ବାବୁଙ୍କର। ପୁଲିସ ବାବୁ ଜଣକ ନିଜ କର୍ତ୍ତବ୍ୟ କଥା ନ ଭାବି ମନ୍ଦିରରେ ସେଲ୍‌ଫି ଉଠାଇଛନ୍ତି। ଶ୍ରୀମନ୍ଦିର ପରିସରରେ ଫଟୋ ଉଠାଇ ଏହି ଫଟୋକୁ ସୋସିଆଲ ମିଡିଆରେ ଖୋଦ୍‌ ପୋଷ୍ଟ କରିଛନ୍ତି। ସମୁଦ୍ରକୂଳ ଥାନା ସବଇନସ୍‌ପେକ୍ଟର ଦିଲ୍ଲୀପ ପଣ୍ଡା ଏପରି କାର୍ଯ୍ୟ କରି ବିବାଦ ଘେରକୁ ଆସିଛନ୍ତି। ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାପଡ଼ିଛି।

ସୂଚନାଯୋଗ୍ୟ, ସବଇନସ୍‌ପେକ୍ଟର ଦିଲ୍ଲୀପ ପଣ୍ଡା ବାଇଶି ପାହାଚରେ ଶ୍ରାଦ୍ଧ ଦେବା ସମୟର ଫଟୋ ଭାଇରାଲ କରିଛନ୍ତି । ନିଜ ଫେସବୁକ ଆକାଂଉଟରେ ଫଟୋ ପୋଷ୍ଟ କରିଛନ୍ତି ସେ । ଆଜି ମହାଳୟା ଅମାବାସ୍ୟାରେ ବାଇଶି ପାହାଚରେ ପିଣ୍ଡ ଦିଆଯିବାବେଳେ ଏହି ଫଟୋ ଉଠାଯାଇଥିଲା । ତେବେ ଶ୍ରୀମନ୍ଦିର ପରସରରେ ନିଷୋଧାଜ୍ଞା ଓ କଡା ସୁରକ୍ଷା ସତ୍ତ୍ୱେ କିଭଳି ପୁଲିସ ବାବୁ ଫଟୋ ଉଠାଇଲେ ଓ ତାଙ୍କୁ ଏଥିପାଇଁ କିଏ ଅନୁମତି ଦେଲା ସେ ନେଇ ବଡ ପ୍ରଶ୍ନ ଉଠିଛି ।

ସମ୍ବନ୍ଧିତ ଖବର