ରୀନା ତନ୍ତୀଙ୍କ ନାମରେ ୨ଟି ଭୋଟର ଆଇଡି

ସମ୍ବଲପୁର: ସମ୍ବଲପୁର ଲୋକସଭା ଅନ୍ତର୍ଗତ ରେଂଗାଲି ବିଧାନସଭାର ବିଜେଡି ପ୍ରାର୍ଥୀ ରୀନା ତନ୍ତୀଙ୍କ ନାମରେ ‌୨ଟି ଭୋଟର ଆଇଡି ଥିବା ଅଭିଯୋଗ ହୋଇଛି। ଝାରସୁଗୁଡ଼ା ଓ ରେଂଗାଲି ଉଭୟ ନିର୍ବାଚନମଣ୍ଡଳୀରେ ଶ୍ରୀମତୀ ତନ୍ତୀଙ୍କ ଭୋଟର କାର୍ଡ ରହିଛି। ନିର୍ବାଚନ କମିସନଙ୍କ ୱେବସାଇଟ୍‌ରେ ଉପଲବ୍‌ଧ ଭୋଟର ତାଲିକାରେ ମଧ୍ୟ ଦୁଇ ସ୍ଥାନରେ ନାମ ରହିଛି। ଶ୍ରୀମତୀ ତନ୍ତୀଙ୍କର ରେଂଗାଲି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ପରମାଣପୁର୨ ବୁଥରେ କ୍ରମାଙ୍କ ନମ୍ବର ୩୮୦ରେ ନାମ ରହିଛି। ତାଙ୍କ ଭୋଟର ଆଇଡି ନମ୍ବର ହେଲା ‘YYX0329912’। ସେହିପରି ତାଙ୍କର ଝ‌ାରସୁଗୁଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଶ୍ରୀପୁରା ବୁଥ୍‌ରେ କ୍ରମାଙ୍କ ନମ୍ବର ୫୪୭ରେ ନାମ ରହିଛି। ସେଠାରେ ତାଙ୍କ ଭୋଟର ଆଇଡି ନମ୍ବର ହେଲା ‘JFH2027316’।ଜନ ପ୍ରତିନିଧିତ୍ବ ଆଇନ ୧୯୫୦ ସେକସନ ୧୭ ଅନୁଯାୟୀ ୨ଟି ଭୋଟର ଆଇଡି ରହିବା ଦଣ୍ଡନୀୟ ଅପରାଧ। କୌଣସି ବ୍ୟକ୍ତି ଦୁଇଟି ସ୍ଥାନରେ ଭୋଟର ହୋଇ ପାରିବେ ନାହିଁ ବୋଲି କଡ଼ା ନିୟମ ଥିବା ବେଳେ ଜଣେ ପ୍ରାର୍ଥୀଙ୍କର ଦୁଇଟି ଭୋଟର କାର୍ଡ ରହିବା ଭ୍ରୂକୁଞ୍ଚନ ସୃଷ୍ଟି କରିଛି। ଏ ସଂପର୍କରେ ଶ୍ରୀମତୀ ତନ୍ତୀଙ୍କ ସ୍ବାମୀ ମୋତିଲାଲ ତନ୍ତୀଙ୍କ କହିବା ହେଲା ରୀନାଙ୍କର ୨ଟି ଭୋଟର ଆଇଡି ନାହିଁ। କେବଳ ପରମାଣପୁର ଯାହା ଆମ ନିଜ ଗାଁ ସେଠି ରହିଛି। ଆମେ ଅନ୍ୟଟି ବାତିଲ ପାଇଁ ଫର୍ମ ୭ ରେ ଆବେଦନ କରିଛୁ। ଏ ସଂପର୍କରେ ରେଂଗାଲି ନିର୍ବାଚନମଣ୍ଡଳୀର ମୁଖ୍ୟ ନିର୍ବାଚନ ଅଧିକାରୀ ତଥା ସମ୍ବଲପୁର ସଦର ଉପଜିଲ୍ଲାପାଳ ପ୍ରଦୀପ ସାହୁଙ୍କୁ ପଚାରିବାରୁ ସେ କହିଲେ, କାହାରି ୨ଟି ଭୋଟର ଆଇଡି ରହିବା ଉଚିତ ନୁହେଁ। ତେବେ ଶ୍ରୀମତୀ ତନ୍ତୀଙ୍କର ୨ଟି ଆଇଡି ଅଛି କି ନାହିଁ ସେ ସଂପର୍କରେ ମୁଁ ଅବଗତ ନୁହେଁ।

ସମ୍ବନ୍ଧିତ ଖବର