ଏଣିକି ସବୁଦିନ କ୍ୱାଲାଲମ୍ପୁରକୁ ବିମାନ

୨୬ରୁ ଏୟାର ଏସିଆର ଦୁଇଟି ବିମାନ ଅନ୍ତର୍ଜାତୀୟ ଉଡ଼ାଣ କରିବ

ଭୁବନେଶ୍ୱର: ଏଣିକି ପ୍ରତିଦିନ ଭୁବନେଶ୍ୱରରୁ କ୍ୱାଲାଲମ୍ପୁରକୁ ବିମାନ ସେବା ଉପଲବ୍ଧ ହେବ। ଭୁବନେଶ୍ୱରରୁ କ୍ୱାଲାଲମ୍ପୁରକୁ ୪ ଦିନ ବିମାନ ସେବା ଯୋଗାଉଥିବା ଏୟାର ଏସିଆ ତା’ର ଆଉ ଏକ ବିମାନ ଉଡ଼ାଣ ପାଇଁ ନିଷ୍ପତ୍ତି ନେଇଛି। ଏହାଦ୍ୱାରା ଆସନ୍ତା ୨୬ତାରିଖରୁ ଭୁବନେଶ୍ୱରରୁ ପ୍ରତିଦିନ ଅନ୍ତର୍ଜାତୀୟ ଉଡ଼ାଣ ହେବ ବୋଲି ଭୁବନେଶ୍ୱର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି।

ବିମାନବନ୍ଦର ନିର୍ଦ୍ଦେଶକଙ୍କ ସୂଚନା ଅନୁଯାୟୀ, ଅକ୍ଟୋବର ୨୮ରୁ ଶୀତକାଳୀନ ଉଡ଼ାଣ ସୂଚୀ ଆରମ୍ଭ ହେଉଥିଲେ ହେଁ ଏହା ପୂର୍ବରୁ ଏୟାର ଏସିଆ ଭୁବନେଶ୍ୱର- କ୍ୱାଲାଲମ୍ପୁର ବିମାନ ଉଡ଼ାଣ ପ୍ରତିଦିନ କରିବାକୁ ନିଷ୍ପତ୍ତି ନେଇଛି। ଏବେ ଏୟାର ଏସିଆ ସୋମବାର, ବୁଧବାର, ଶୁକ୍ରବାର ଓ ରବିବାର ଉଡ଼ାଣ କରୁଥିବାବେଳେ ଗୁରୁବାର ଠାରୁ ପ୍ରତିଦିନ ଉଡ଼ାଣ କରିବ। ବିମାନଟି ଭୁବନେଶ୍ୱରରେ ରାତି ୧୧ଟା ୨୫ରେ ପହଞ୍ଚୁଥିବାବେଳେ ୧୧ଟା ୫୫ରେ ଉଡ଼ାଣ କରୁଥିଲା। ଏହି ସମୟରେ ହିଁ ପ୍ରତିଦିନ ଉଡ଼ାଣ କରିବ। ଏୟାର ଏସିଆର ପ୍ରତ୍ୟେକ ଟ୍ରିପ୍‌ରେ ପ୍ରାୟ ୮୦%ରୁ ଅଧିକ ଟିକେଟ୍‌ ବୁକିଂ ହେଉଥିବାବେଳେ ଅଧିକାଂଶ ସମୟରେ ଲୋକଙ୍କୁ ଟିକେଟ୍‌ ମିଳୁନି। ଗୁଣାତ୍ମକ ସେବା ଯୋଗାଇବା ପାଇଁ କମ୍ପାନି ପକ୍ଷରୁ ଏହିଭଳି ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି। ଏୟାର ଏସିଆ ସପ୍ତାହକୁ ୪ ଦିନରୁ ପ୍ରତିଦିନ ବିମାନ ଉଡ଼ାଣ କରିବାକୁ ନିଷ୍ପତ୍ତି ନେଇଥିଲେ ହେଁ ରାଜ୍ୟ ସରକାର ପ୍ରତ୍ୟେକ ଉଡ଼ାଣ ପାଇଁ ସବ୍‌ସିଡି ଦେବେ। ବର୍ଷକ ପାଇଁ ପ୍ରତ୍ୟେକ ଉଡ଼ାଣ ପିଛା ସବ୍‌ସିଡି ଦେବାକୁ ଚୁକ୍ତି ହୋଇଥିବାରୁ ଆମେ ସବ୍‌ସିଡି ଦେବୁ ବୋଲି ପର୍ଯ୍ୟଟନ ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର