ବିପଦରେ ରେଂଗାଳି ଡ୍ୟାମ୍‌ : ଡିନାମାଇଟ୍‌ରେ ମାଛମରା ଯୋଗୁ ଗ୍ୟାଲେରିରୁୁ ଝରୁଛି ପାଣି

କଣିହାଁ :  କଣିହାଁ ବ୍ଲକ୍‌ ରେଙ୍ଗାଳି ଡ୍ୟାମ୍‌ରେ ଡିନାମାଇଟ୍‌ ଫୁଟାଇ ମାଛମରା ଚାଲିଛି। ଦିନ ଦିପହରରେ ବି ଶକ୍ତିଶାଳୀ ବ୍ଲାଷ୍ଟିଂକରି ମାଛ ମରାଯାଉଛି। ରେଙ୍ଗାଳି ଡ୍ୟାମ୍‌ ଏକ ନିଷେଧାଞ୍ଚଳ।  ଏହି ଡ୍ୟାମ୍‌ ଉପରେ ଯାନବାହନ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି। ବନ୍ଧର ସୁରକ୍ଷା ପାଇଁ ଡ୍ୟାମ କର୍ତ୍ତୃପକ୍ଷ ଦୁଇ ମୁଣ୍ଡରେ ସୁରକ୍ଷାକର୍ମୀ ମୁତୟନ କରିଛନ୍ତି। ଏସବୁ ସୁରକ୍ଷା ବ୍ୟବସ୍ଥା ସତ୍ତ୍ବେ ଡ୍ୟାମ୍‌ର ତଳ ଓ ଉପର ପାର୍ଶ୍ବରେ ପ୍ରତିଦିନ ମାଛ ମାରିବା ପାଇଁ ଶକ୍ତିଶାଳୀ ଡିନାମାଇଟ୍‌ ଫୁଟାଯାଉଛି। ଗତ କିଛି ମାସ ହେଲା ଏହି ବେଆଇନ କାମ ଜାରି ରହିଛି। ବିସ୍ଫୋରଣ ସମୟରେ ରେଙ୍ଗାଳି ପାୱାର ହାଉସ୍‌  ଦୋହଲିଯାଉଛି। ଡ୍ୟାମ୍‌ ଗ୍ୟାଲେରିରେ ଅନେକ ସ୍ଥାନରେ  କଂକ୍ରିଟ ଫାଟି ପାଣି ଝରୁଛି। ରେଙ୍ଗାଳି ଡ୍ୟାମ୍‌ ପ୍ରତି ଏବେ ବିପଦ ଦେଖାଦେଇଛି।

ଏହି ଡ୍ୟାମ୍‌ର ଅଛି ୨୪ ଟି ଗେଟ୍‌। ବର୍ଷାଋତୁରେ ଏହି ଗେଟ୍‌ଦେଇ ପାଣି ନିଷ୍କାସନ କରାଯାଇଥାଏ।  ଗେଟ୍‌ର ତଳେ ଅନେକ ସ୍ଥାନରେ  କଂକ୍ରିଟ ଫାଟି ଆଁ କଲାଣି। ଏହି ଫାଟ ଦୀର୍ଘ ଦିନ ହେଲା ଦେଖାଦେଇଥିଲେ ମଧ୍ୟ ଏହାକୁ ବନ୍ଦ କରାଯାଉନାହିଁ। ରାଜ୍ୟ ଜଳ ସଂପଦ ବିଭାଗ ଓ କେନ୍ଦ୍ରୀୟ ପ୍ରତିନିଧି ଦଳ କିଛି ମାସ ପୂର୍ବେ ରେଙ୍ଗାଳି ଡ୍ୟାମ୍‌ର ପରିସ୍ଥିତି ଅନୁଧ୍ୟାନକରି ଫେରିଛନ୍ତି। ଆଜି ପର୍ଯ୍ୟନ୍ତ କିନ୍ତୁ ଡ୍ୟାମ୍‌ର ଫାଟ ବନ୍ଦ କରାଗଲା ନାହିଁ। ଡ୍ୟାମ୍‌ ଗ୍ୟାଲେରିରୁ ଅନବରତ ପାଣି ଝରୁଥିବା ଦେଖାଯାଇଛି। ଡ୍ୟାମର ସୁରକ୍ଷା ପ୍ରତି ତୁରନ୍ତ ପଦକ୍ଷେପ ନିଆନଗଲେ ଦିନେ ଭାଙ୍ଗିନଯିବ, ତାହା କିଏ କହିପାରିବ? ରେଙ୍ଗାଳି ଡ୍ୟାମ ଭୁଶୁଡିଲେ ତଳମୁଣ୍ଡରେ ଥିବା ଢେଙ୍କାନାଳ, ଯାଜପୁର, କଟକ, କେନ୍ଦ୍ରାପଡ଼ା ଜିଲ୍ଲାର ଶହ ଶହ ଗାଁ ଲୀନ ହୋଇଯିବାର ଆଶଙ୍କା ରହିଛି। ତେଣୁ ଡ୍ୟାମ୍‌ରେ ଡିନାମାଇଟ୍‌ ବିସ୍ଫୋରଣ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ଡ୍ୟାମ୍‌ର ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

ଏ ସଂକ୍ରାନ୍ତରେ ରେଂଗାଲି ଡ୍ୟାମ ନିବାର୍ହୀ ଯନ୍ତ୍ରୀ ଅଜିତ କୁମାର ଜେନା ପଚାରିବାରୁ ସେ କହିଲେ, ଓଡ଼ିଶା ଶିଳ୍ପାଂଚଳ ସୁରକ୍ଷା ବଳ(ଓଇଏସ୍‌ଏଫ୍) ୪୫ ଜଣ ଯବାନ ଯୋଗାଇବା ପାଇଁ ସରକାରଙ୍କୁ ପତ୍ର ଲେଖାଯାଇଛି। ହେଲେ ଏପର୍ଯ୍ୟନ୍ତ ଯୋଗାଇ ଦେଇ ନାହାନ୍ତି। ଡିନାମାଇଟ୍ ବିସ୍ଫୋରଣ କଥା ସେ ସ୍ବୀକାର କରିଥିଲେହେଁ ଏଥିଯୋଗୁଁ ଗ୍ୟାଲେରିରୁ ପାଣି ଲିକେଜ୍ ଘଟଣାକୁ ଅସ୍ବୀକାର କରିଛନ୍ତି।

ସମ୍ବନ୍ଧିତ ଖବର