ମରାମତି ହେବ ଭୁବନେଶ୍ବର ବିମାନବନ୍ଦର ରନ୍‌-‌ୱେ, ୮ ମାସ ପ୍ରଭାବିତ ହେବ ବିମାନ ଉଡ଼ାଣ

ନଭେମ୍ବରରୁ ମାର୍ଚ୍ଚ ରାତିରେ, ଏପ୍ରିଲରୁ ଜୁନ୍ ଦିନବେଳା ବନ୍ଦ ରହିବ

ଭୁବନେଶ୍ବର: ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ରନ୍‌-ୱେ ମରାମତି (ରି-କାର୍‌ପେଟିଂ) ପାଇଁ ଆସନ୍ତା ପ୍ରାୟ ୮ ମାସ ପର୍ଯ୍ୟନ୍ତ ବିମାନ ଚଳାଚଳ ପ୍ରଭାବିତ ହେବ। ଅର୍ଥାତ ନଭେମ୍ବର ୧ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରାତିରେ ଏବଂ ଏପ୍ରିଲ ୧ରୁ ଜୁନ୍ ୩୦ ପର୍ଯ୍ୟନ୍ତ ଦିନବେଳା ବିମାନ ଉଡ଼ାଣ ବନ୍ଦ କରିବାକୁ ବିମାନବନ୍ଦର କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଡିଜିସିଏକୁ ଅନୁମତି ମଗାଯାଇଛି।

ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ସୁରେଶ ଚନ୍ଦ୍ର ହୋତା କହିଛନ୍ତି ଯେ ବିମାନବନ୍ଦରର ରନ୍‌-ୱେ ମରାମତି ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଥିବାରୁ ଏହାକୁ ନଜରରେ ରଖି ନଭେମ୍ବରରୁ କାମ ଆରମ୍ଭ କରିବାକୁ ନିଷ୍ପତ୍ତି ହୋଇଛି। ତେଣୁ ନଭେମ୍ବର ୧ରୁ ଜୁନ୍ ୩୦ ପର୍ଯ୍ୟନ୍ତ ୮ମାସ ବିମାନ ଉଡ଼ାଣ ପର୍ଯ୍ୟାୟକ୍ରମେ ରାତିରେ ଓ ଦିନରେ ବନ୍ଦ ହେବାକୁ ଥିବାରୁ ଏହି ଅନୁଯାୟୀ ବିମାନ ଉଡ଼ାଣ ସୂଚୀ ପ୍ରସ୍ତୁତ କରିବାକୁ ସମସ୍ତ ବିମାନ ଉଡ଼ାଣ ସଂସ୍ଥାକୁ ଆମେ ଜଣାଇଛୁ। ସେ ଆହୁରି କହିଛନ୍ତି ଯେ ୨୦୦୭ରେ ଶେଷ ଥର ପାଇଁ ଏହି ବିମାନବନ୍ଦରର ରନ୍‌-ୱେ ମରାମତି ହୋଇଥିଲା। ପ୍ରତି ୧୦ବର୍ଷରେ ରନ୍‌-ୱେ ମରାମତି କରିବା ଆବଶ୍ୟକ ପଡ଼ିଥାଏ। ଆମର ୧୨ବର୍ଷ ଭିତରେ ବିମାନ ସଂଖ୍ୟା ବହୁତ ବଢ଼ିବା ଦ୍ବାରା ରନ୍‌-ୱେ ଖରାପ ହୋଇଗଲାଣି। ତେଣୁ ବିମାନ ଓ ଯାତ୍ରୀଙ୍କ ସୁରକ୍ଷା ତଥା ନିରାପତ୍ତାକୁ ଦୃଷ୍ଟିରେ ରଖି ଏହି ମରାମତି ଆବଶ୍ୟକ ହୋଇପଡ଼ିଛି। ଆମେ ଦୁଇ ବର୍ଷ ହେଲା ରନ୍‌-ୱେ ମରାମତି ପାଇଁ ଯୋଜନା କରୁଛୁ। କିନ୍ତୁ ଏବେ ମରାମତି ଅତ୍ୟନ୍ତ ଆବଶ୍ୟକ ହୋଇପଡ଼ିଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ଏ ନେଇ ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ନିକଟରୁ ଅନୁମତି ମିଳିଛି। ଡିଜିସିଏ ନିକଟରେ ଆମର ରନ୍‌-ୱେ ମରାମତି ପାଇଁ ସମସ୍ତ କାଗଜପତ୍ର ଦାଖଲ କରାଯାଇଛି। ଡିଜିସିଏର ଅନୁମତିକୁ ଅପେକ୍ଷା ରହିଛି। ସମସ୍ତ ଅନୁମତି ପାଇ ଆମେ ନଭେମ୍ବର ୧ରୁ କାମ କରିବାକୁ ଯୋଜନା କରିଛୁ।

୨୦୦୭ରେ ରନ୍‌-‌ୱେ ରି-କାରପେଟିଂ ସମୟରେ ପ୍ରାୟ ୨୮କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଏବେ ୨୭୪୨ ମିଟର ଲମ୍ବର ରନ୍‌-ୱେ ମରାମତି ପାଇଁ ପ୍ରାୟ ୩୦କୋଟି ଖର୍ଚ୍ଚ ହେବ ବୋଲି ଆକଳନ କରାଯାଉଛି। ଶ୍ରୀ ହୋତା କହିଛନ୍ତି ଯେ ଅକ୍ଟୋବର ୨୮ରୁ ବିମାନଗୁଡ଼ିକ ଶୀତକାଳୀନ ଉଡ଼ାଣ ସୂଚୀ ଅନୁଯାୟୀ ଉଡ଼ାଣ କରିଥାନ୍ତି। ତେଣୁ ଏହାକୁ ନଜରରେ ରଖି ନଭେମ୍ବରରୁ କାମ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛୁ। ରନ୍‌-ୱେ ମରାମତି ହେଲେ ନଭେମ୍ବର ୧ରୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ରାତି ୧୦ଟାରୁ ସକାଳ ୫ଟା ୩୦ପର୍ଯ୍ୟନ୍ତ ବିମାନ ଚଳାଚଳ ବନ୍ଦ ରହିବ। ଏହି ସମୟରେ କମ୍ ବିମାନ ଚଳାଚଳ କରୁଥିବାରୁ ଅଧିକାଂଶ କାମ ଏହି ସମୟରେ ଶେଷ ହେବ। ଏହି ସମୟରେ କାମ ହେଲେ କେବଳ ୪ଟି ବିମାନର ଉଡ଼ାଣ ବାଧାପ୍ରାପ୍ତ ହେବ। ସେହିପରି ସକାଳ ବେଳା ଓ ସଂଧ୍ୟାରେ ଅଧିକ ବିମାନ ଯାତାୟାତ କରୁଥିବାରୁ ଏହି ସମୟକୁ ବାଦ୍‌ ଦେଇ ବିମାନ ସେବା ବନ୍ଦ କରିବାକୁ ଯୋଜନା ହୋଇଛି। ଏପ୍ରିଲ ୧ରୁ ଜୁନ୍ ୩୦ ପର୍ଯ୍ୟନ୍ତ ସକାଳ ୧୦ଟାରୁ ସଂଧ୍ୟା ୬ଟା ପର୍ଯ୍ୟନ୍ତ ବିମାନ ଚଳାଚଳ ବନ୍ଦ ହେବ।

ଏହି ୮ମାସରେ କେବଳ ରନ୍‌-ୱେ ମରାମତି ହେବନି, ଏବେ ନିର୍ମାଣ ହେବାକୁ ଥିବା ସମାନ୍ତରାଳ ଟାକ୍ସି ରନ୍‌-ୱେରୁ ୩ଟି ଟ୍ରାକ୍‌କୁ ମୁଖ୍ୟ ରନ୍‌-ୱେକୁ ସଂଯୋଗ କରିବା କାମ ମଧ୍ୟ ହେବ। ଏହାଦ୍ବାରା ଏହି ସମୟରେ ମୁଖ୍ୟ ରନ୍‌-ୱେ କାମ ଏବଂ ସମାନ୍ତରାଳ ଟାକ୍ସି ରନ୍‌-ୱେ କାମ ବି ଶେଷ ହୋଇଯିବ।

ସମ୍ବନ୍ଧିତ ଖବର