ନିଶା ଦେଇ ଦୁଷ୍କର୍ମ ପରେ ଭିଡିଓ ଭାଇରାଲ

ନ୍ୟାୟ ନ ପାଇ ପୀଡ଼ିତାଙ୍କ ଆତ୍ମହତ୍ୟା ଉଦ୍ୟମ

କାଳିଆପାଣି : ଦୁଷ୍କର୍ମର ଶିକାର ହୋଇଥିବା ଜଣେ ଯୁବତୀଙ୍କ ଭିଡ଼ିଓ ଭାଇରାଲ୍‌ ହୋଇଛି। ଥଣ୍ଡା ପାନୀୟରେ ନିଶା ଦେଇ ତାଙ୍କୁ ଶୋଷଣ କରାଯାଇଥିଲା। ଏହି ଘଟଣା ପ୍ରଘଟ ହେବା ପରେ ଯୁବତୀ ଜଣଙ୍କ ମୁହଁ ଖୋଲିଛନ୍ତି। ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିବା ସେ କହିଛନ୍ତି।

ଯାଜପୁର ଜିଲ୍ଲା ଅନ୍ତର୍ଗତ କାଳିଆପାଣି ଅଞ୍ଚଳରେ ଏହି ଘଟଣା ଘଟିଛି। ଅଭିଯୋଗ ଅନୁସାରେ, ସୁକିନ୍ଦା ମାଇନ୍ସରେ ବ୍ଲାଷ୍ଟିଂ ହେଲପର୍‌ ଭାବେ କାର୍ଯ୍ୟରତ ରଞ୍ଜନ ମହାନ୍ତ (୨୨ବର୍ଷ) ନାମକ ଜଣେ ଯୁବକ ବର୍ଷକ ତଳେ ପୀଡ଼ିତାଙ୍କୁ ପ୍ରେମ ଜାଲରେ ଫଶାଇଥିଲେ। ବିବାହର ପ୍ରତିଶ୍ରୁତି ପାଇଥିବାରୁ ସେ ମଧ୍ୟ ସହଜରେ ଭଳି ଯାଇଥିଲେ। କିଛିଦିନ ତଳେ ରଞ୍ଜନ ନିଜ ଜନ୍ମଦିନରେ ଯୁବତୀଙ୍କୁ ନିମନ୍ତ୍ରଣ କରିଥିଲେ। ମାତ୍ର, ଏହି ବାହାନାରେ ସେ ତାଙ୍କୁ ନିଶା ମିଶା ଥଣ୍ଡାପାନୀୟ ଦେଇଥିଲେ। ଯୁବତୀ ଜଣଙ୍କ ଅବଚେତନ ଅବସ୍ଥାରେ ଥିବାବେଳେ ଦୁଷ୍କର୍ମ କରିଥିଲେ। ଏପରିକି, ଏହି ଅନୈତିକ ଦୃଶ୍ୟକୁ ବି ଭିଡିଓ ରେକର୍ଡଂ କରାଇଥିଲେ। ପୀଡ଼ିତା ଗର୍ଭବତୀ ହେବାରୁ ଅଭିଯୁକ୍ତ ଯୁବକ ବଳପୂର୍ବକ ଔଷଧ ଖୁଆଇ ତାଙ୍କର ଗର୍ଭପାତ କରାଇଥିଲେ। ଏହି ଭିଡିଓ ଏବେ ଭାଇରାଲ୍‌ ହୋଇଛି। ଭାଇରାଲ୍‌ ପରେ କିଛିଦିନ ତଳର ଘଟଣା ସମ୍ପର୍କରେ ଯୁବତୀ ଜଣକ ମୁହଁ ଖୋଲିଛନ୍ତି।

ସେ କହିଛନ୍ତି ଯେ, ଏହି ଘଟଣା ପରେ ସେ ବିବାହ ପାଇଁ ଜିଦ୍‌ ଧରିଥିଲେ। ମାତ୍ର, ଅଭିଯୁକ୍ତ ଯୁବକ ଆଉ ଧରାଛୁଆଁ ଦେଇନଥିଲେ। ଫଳରେ ସେ ବାଧ୍ୟହୋଇ ସ୍ଥାନୀୟ ଥାନାରେ ଏତଲା ଦେଇଥିଲେ। ନ୍ୟାୟ ପାଇଁ ବାରମ୍ବାର ଥାନାକୁ ଦୌଡ଼ୁଥିଲେ ମଧ୍ୟ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିବା ସେ ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ, ଏହି ଘଟଣା ପରେ ଦୀର୍ଘ ୧୫ ବର୍ଷ ଧରି ରହି ଆସୁଥିବା ଘରୁ ସମ୍ପୃକ୍ତ ଯୁବତୀଙ୍କୁ ବାହାରିବାକୁ ପଡ଼ିଛି। ଯୁବତୀ ଜଣଙ୍କ ଛୋଟ ବେଳୁ ବାପାମା’କୁ ହରାଇଥିଲେ। ୧୫ ବର୍ଷ ଧରି ସେ ଜଣେ ଟାଟା କର୍ମଚାରୀଙ୍କ ଘରେ ରହି ଆସୁଥିଲେ। ତାଙ୍କ କହିବା କଥା, ସେଠାରେ ମଧ୍ୟ ସେ ଶୋଷଣର ଶିକାର ହେଉଥିଲେ। ମାତ୍ର, ଅନ୍ୟ କିଛି ଉପାୟ ନଥିବାରୁ ସେ ସେହିଠାରେ ହିଁ ପଡ଼ି ରହିଥିଲେ। ସବୁଆଡ଼ୁ ହତାଶ ହେବା ପରେ ପୀଡ଼ିତା ଜଣକ ଫିନାଇଲ୍‌ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। କାଳିଆପାଣି ପୁଲିସ୍‌ ପୀଡ଼ିତାଙ୍କୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଟାଟାଷ୍ଟିଲ୍‌ ହସ୍‌ପିଟାଲ୍‌ରେ ଭର୍ତ୍ତିି କରାଇଥିଲା। ଏହି ଯୁବତୀ ଏବେ ଏକ ସ୍ୱାଧାର ଗୃହରେ ଆଶ୍ରୟ ନେଇଛନ୍ତି। ଦୁଶ୍ଚିନ୍ତାରେ ଦିନ କାଟୁଥିବାବେଳେ ନ୍ୟାୟ ଭିକ୍ଷା କରିଛନ୍ତି। ନ୍ୟାୟ ନମିଳିଲେ ଯେ କୌଣସି ସମୟରେ ସେ କଠୋର ନିଷ୍ପତ୍ତି ନେବାକୁ ପଛେଇବେ ନାହିଁ ଏବଂ ଏଥିପାଇଁ ପୁଲିସ୍‌ ଓ ସରକାର ଦାୟୀ ରହିବେ ବୋଲି ସେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର