‘ସମ୍ବାଦ ଭବନ’ରେ ସାଧାରଣତନ୍ତ୍ର ଦିବସ ପାଳିତ

ଭୁବନେଶ୍ୱର: ‘ସମ୍ବାଦ’ ଭବନ ପରିସରରେ ଆଜି ୭୧ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି | ଏହି ଅବସରରେ ‘ସମ୍ବାଦ’ ଗ୍ରୁପର ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ ପତାକା ଉତ୍ତୋଳନ କରିଥିଲେ | ଏହି ଅବସରରେ ‘ସମ୍ବାଦ’ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକଙ୍କ ସମେତ ସମ୍ବାଦ ଗ୍ରୁପର ଅନ୍ୟ ବରିଷ୍ଠ ସଦସ୍ୟମାନେ ଉପସ୍ଥିତ ଥିଲେ |

ଜାତୀୟ ପତାକା ଉତ୍ତୋଳନ କରି  ପରିଚାଳନା ନିର୍ଦ୍ଦେଶିକା ମୋନିକା ନୈୟାର ପଟ୍ଟନାୟକ କହିଥିଲେ ଯେ ଆମ ସମସ୍ତଙ୍କ ଜୀବନରେ କର୍ମ ସଂପାଦନ ଏକ ଗୁରୁତ୍ୱପୂର୍ଣ୍ଣ କଥା। ସାଧାରଣତନ୍ତ୍ର ଦିବସରେ ଆମେମାନେ ଏହି ସଂକଳ୍ପ ନେବା କଥା ଯେ ଯେଉଁ କର୍ତ୍ତବ୍ୟ ରହିଛି ଓ ଯେଉଁ କର୍ମ କରିବା ଉଚିତ ତାହାକୁ ପ୍ରକୃଷ୍ଟ ଭାବେ ସମ୍ପାଦନା କରିବା |

ସେହିପରି ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ କହିଥିଲେ ଯେ ଦେଶକୁ ଆଜିକାଲି କିଏ କେତେ ଭଲ ପାଉଛି ତାହା ସୋସିଆଲ ମିଡିଆରେ ଚାଲିଥିବା ପ୍ରଚାରରୁ ଜଣାପଡ଼େନାହିଁ। ଦେଶକୁ ଯଦି ଆମେ ପ୍ରକୃତରେ ଭଲ ପାଉଛେ ତେବେ ନିଜକୁ ପଚାରିବା କଥା ଆମେ ଆମ ପରିବେଶ ସ୍ଵଚ୍ଛ ରଖିବାକୁ କେତେ ଯତ୍ନବାନ ହେଉଛେ? ଆମେ ଭୋଟ ଦେଉଛୁ କି ? ଆମେ ମହିଳାମାନଙ୍କୁ ସମ୍ମାନ ଦେଉଛୁ କି?ଆମେ ଠିକ ସମୟରେ ଟିକସ ଦେଉଛୁ କି? ଆମ ଆଖପାଖରେ କିଛି ଅନ୍ୟାୟ ହେଉଥିଲେ ସ୍ୱର ଉତ୍ତୋଳନ କରିବାକୁ ପ୍ରସ୍ତୁତ ଅଛୁ କି? ଆମେ ଯଦି ଏସବୁ ପ୍ରତି ଯଦି ଦୃଷ୍ଟି ଦେବା ତେବେ ହିଁ ଜାଣିପାରିବା ଆମେ ଦେଶକୁ କେତେ ଭଲ ପାଉଛେ |

ପତାକା ଉତ୍ତୋଳନ ସମୟରେ ‘ସମ୍ବାଦ’, ‘କନକ ନ୍ୟୁଜ୍‌’ ଓ ‘ରେଡିଓ ଚକୋଲେଟ୍‌’ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର