ଡବଲ ଇଞ୍ଜିନ ସରକାରକୁ ଆର୍‌ପିଆଇ(ଅ)ର ସମର୍ଥନ

ଭୁବନେଶ୍ବର : କେନ୍ଦ୍ର ଓ ଓଡ଼ିଶାରେ ଉଭୟ ବିଜେପି ସରକାରକୁ ସମର୍ଥନ କରିଛି ରିପବ୍ଲିକାନ୍ ପାର୍ଟି ଅଫ ଇଣ୍ଡିଆ(ଅ)। ଡବଲ ଇଞ୍ଜିନ୍ ସରକାର ଆସିଲେ ଓଡ଼ିଶାରେ ଉନ୍ନତି ହେବ। କେନ୍ଦ୍ର ସରକାର ଜନସାଧାରଣଙ୍କ ପାଇଁ ଯେଉଁ ଜନହିତକର ଯୋଜନା କାର୍ଯ୍ୟକାରୀ କରିଛନ୍ତି ତାହା ରାଜ୍ୟରେ ଲାଗୁ ହେବ। ବିଜେପିକୁ ସମର୍ଥନ ଜଣାଇ ଆରପିଆଇ(ଅ) ଓଡ଼ିଶାରେ କୌଣସି ପ୍ରାର୍ଥୀ ଦେବ ନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ରାମଦାସ ଅଠୱାଲେ।

ଆଜି ଗୋଦାବରୀଶ ସାହିତ୍ୟ ସଂସଦରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଅଠୱାଲେ କହିଲେ, କେନ୍ଦ୍ରରେ ଏନ୍‌ଡିଏ ସରକାର ବହୁତ ଜନହିତକର ଯୋଜନା ଲୋକଙ୍କ ପାଇଁ ଲାଗୁ କରିଛନ୍ତି। ଜନଧନ ଆକଉଣ୍ଟଠାରୁ ଆରମ୍ଭ କରି ଆୟୁଷ୍ମାନ ଯୋଜନା, ଉଜ୍ଜଳା ଯୋଜନା ଯୋଗୁଁ ଲୋକ ସୁଫଳ ପାଇଛନ୍ତି। ସାମାଜିକ ସୁରକ୍ଷା ମନ୍ତ୍ରଣାଳୟ ପକ୍ଷର ମଧ୍ୟ ଦିବ୍ୟାଙ୍ଗ ଲୋକମାନଙ୍କ ପାଇଁ ଅନେକ ପଦକ୍ଷେପ ନିଆଯାଉଛି। ହ୍ବିଲ ଚେୟାରଠାରୁ ଆରମ୍ଭ କରି କମ୍ପ୍ୟୁଟର, ସାଇକେଲ ଓ ରିଲିଫ୍ କ୍ୟାମ୍ପ ଆୟୋଜିତ ହୋଇଛି। ତେଣୁ ନରେନ୍ଦ୍ର ମୋଦି ଆଉଥରେ ପ୍ରଧାମନ୍ତ୍ରୀ ହୁଅନ୍ତୁ ଆ‌ମ ଦଳ ଚାହୁଁଛି। କେନ୍ଦ୍ରରେ ଏନ୍‌ଡିଏ ସରକାର ଗତ ନିର୍ବାଚନ ଅପେକ୍ଷା ଚଳିତଥର ଆହୁରି ଭଲ ପ୍ରଦର୍ଶନ କରିବ। ଦେଶରେ ୩୫୦ରୁ ଅଧିକ ସିଟ୍ ଜିତିବା ସହିତ ଉତ୍ତର ପ୍ରଦେଶରେ ୬୦ରୁ ଅଧିକ ସିଟ୍ ବିଜୟୀ ହେବ। ସେହିପରି ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ୧୮/୧୯ ସିଟ୍ ଜିତିବ ବୋଲି ‌ଶ୍ରୀ ଅଠୱାଲେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଏହି ସାମ୍ବାଦିକ ସମ୍ମିଳନୀରେ ଆର୍‌ପିଆଇ(ଅ)ର ରାଜ୍ୟ ମୁଖ୍ୟ ଅବଦୁଲ ୱାଲି ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର