ପଞ୍ଚାୟତ, ପୌର ପରିଷଦ ନିର୍ବାଚନ : ସଂରକ୍ଷଣ ୫୦% ଟପିବନି

ଓଡ଼ିଶାରେ ସୁପ୍ରିମକୋର୍ଟ ରାୟ କାର୍ଯ୍ୟକାରୀ କରାଯିବାରେ ଅବହେଳା

କଟକ: ପଞ୍ଚାୟତ ଏବଂ ପୌର ପରିଷଦରେ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହେବ ନାହିଁ। କେ.କୃଷ୍ଣମୂର୍ତ୍ତି ମାମଲାରେ ସୁପ୍ରିମକୋର୍ଟ ପ୍ରଦାନ କରିଥିବା ରାୟ ପାଳନ ପାଇଁ ସବୁ ରାଜ୍ୟ ବାଧ୍ୟ। ଏହି ରାୟ ଅନୁସାରେ କୌଣସି ପରିସ୍ଥିତିରେ ପଞ୍ଚାୟତ ସ୍ତରରେ ଓ ପୌର ପରିଷଦ ସ୍ତରରେ ସ୍ଥାନ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ ହୋଇ ପାରିବ ନାହିଁ। ଯଦି ରାଜ୍ୟ ସରକାର କୌଣସି ପରିସ୍ଥିତିରେ ସ୍ଥାନ ସଂରକ୍ଷଣ ୫୦ ପ୍ରତିଶତରୁ ଅଧିକ କରନ୍ତି ତେବେ ଏହା ଅସାମ୍ବିଧାନିକ ବିବେଚିତ ହେବ। ମୁଖ୍ୟ ବିଚାରପତି ଜଷ୍ଟିସ ଭିନିତ ସରନ ଓ ଡକ୍ଟର ଜଷ୍ଟିସ ବି.ଆର୍‌.ଷଡଙ୍ଗୀଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ପ୍ରକାର ଏକ ରାୟ ଦେଇଛନ୍ତି।

ମାମଲାର ବିବରଣୀରୁ ପ୍ରକାଶ ଯେ ସମ୍ବଲପୁରର ସୁବାସ ଚନ୍ଦ୍ର ବିଶ୍ୱାଳ ରେଙ୍ଗାଲି ପଞ୍ଚାୟତ ସିମିିତି ନିର୍ବାଚନ ସମୟରେ ସଂରକ୍ଷଣ ନିୟମ ଉଲ୍ଲଂଘନ କରାଯାଇ ବିଜ୍ଞପ୍ତି ପ୍ରକାଶ ଅଭିଯୋଗ ଆଣି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ଦର୍ଶାଇଥିଲେ ଯେ ୨୦୧୦ ମେ’ ୧୧ରେ ସୁପ୍ରମକୋର୍ଟ କେ.କୃଷ୍ଣମୂର୍ତ୍ତି ମାମଲାର ଶୁଣାଣି କରି କୌଣସି ପରିସ୍ଥିତିରେ ସ୍ଥାନୀୟ ଜନ ପ୍ରତିନିଧି ନିର୍ବାଚନ ସମୟରେ ସ୍ଥାନ ସଂରକ୍ଷଣ ୫୦ ପ୍ରତିଶତ ଅତିକ୍ରମ କରିବ ନାହିଁ ବୋଲି ରାୟ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ଏହି ରାୟକୁ ପଶ୍ଚିମବଙ୍ଗ ଓ କର୍ଣ୍ଣାଟକ ଭଳି ରାଜ୍ୟ କାର୍ଯ୍ୟକାରୀ କରିଥିଲେ। କିନ୍ତୁ ଓଡ଼ିଶାରେ ଏହି ରାୟ କାର୍ଯ୍ୟକାରୀ କରାଯିବାରେ ଅବହେଳା କରାଯାଇଛି।

ପଞ୍ଚାୟତ ନିର୍ବାଚନ, ଜିଲ୍ଲା ପରିଷଦ ନିର୍ବାଚନ ଓ ପୌର ନିର୍ବାଚନ ସମୟରେ ରାଜ୍ୟରେ ସ୍ଥାନ ସଂରକ୍ଷଣ ଅନେକ ସମୟରେ ୫୦ ପ୍ରତିଶତରୁ ଅଧିକ ହେଉଥିବା ଦେଖିବାକୁ ମିଳିଥିଲା। ଏହା ସମ୍ବିଧାନର ଧାରା ୧୪ ଓ ୨୧ର ଉଲ୍ଲଂଘନ ବୋଲି ଆବେଦନକାରୀ ଦର୍ଶାଇଥିଲେ। କେତେକ କ୍ଷେତ୍ରରେ ଅନୁସୂଚିତ ଜାତି, ଜନଜାତି ଓ ପଛୁଆ ବର୍ଗଙ୍କ ପାଇଁ ନିର୍ବାଚନରେ ୯୩ ପ୍ରତିଶତରୁ ଅଧିକ ସିଟ୍‌ ସଂରକ୍ଷିତ କରାଯାଉଥିବା ସେ ଦର୍ଶାଇଥିଲେ। ଏପରି କରାଯିବା ସାମ୍ବିଧାନିକ ବ୍ୟବସ୍ଥାର ଉଲ୍ଲଂଘନ ତଥା ସୁପ୍ରିମକୋର୍ଟଙ୍କ ରାୟର ବିରୁଦ୍ଧାଚରଣ କରୁଛି ବୋଲି ଆବେଦନକାରୀ ଦର୍ଶାଇଥିଲେ। ହାଇକୋର୍ଟ ମାମଲାର ଶୁଣାଣି କରି କୌଣସି ପରିସ୍ଥିତିରେ ସ୍ଥାନୀୟ ଜନ ପ୍ରତିିନିଧିଙ୍କ ନିର୍ବାଚନ ସମୟରେ ସ୍ଥାନ ସଂରକ୍ଷଣ ୫୦ ପ୍ରତିଶତ ଅତିକ୍ରମ କରି ପାରିବ ନାହିଁ ବୋଲି ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର