ଅଭିଭାବକଙ୍କ ଆୟ ସୀମା ୮ ଲକ୍ଷକୁ ବୃଦ୍ଧି

ଓବିସି ଛାତ୍ରଛାତ୍ରୀଙ୍କ ନାମଲେଖା ସଂରକ୍ଷଣ କୋହଳ

ରାଉରକେଲା : କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନଗୁଡ଼ିକରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି) ଛାତ୍ରଛାତ୍ରୀଙ୍କ ନାମଲେଖା ସଂରକ୍ଷଣକୁ ଅଧିକ କୋହଳ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାର ଅଭିଭାବକଙ୍କ ବାର୍ଷିକ ଆୟ ସୀମାକୁ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ପୂର୍ବରୁ ଏହି ସୀମା ୬ ଲକ୍ଷ ଟଙ୍କା ଥିଲା। ଅର୍ଥାତ ଯେଉଁ ଅଭିଭାବକଙ୍କ ଆୟ ୬ ଲକ୍ଷ ଟଙ୍କାରୁ ଅଧିକ ସେମାନଙ୍କ ସନ୍ତାନମାନେ ଓବିସିଙ୍କ ପାଇଁ ଉଦ୍ଦିଷ୍ଟ ନାମଲେଖା ସଂରକ୍ଷଣରୁ ବାଦ୍‌ ପଡୁଥିଲେ। ସଂଶୋଧିତ ବ୍ୟବସ୍ଥା ଅନୁଯାୟୀ ଏଣିକି ଓବିସି ଅଭିଭାବକଙ୍କ ବାର୍ଷିକ ଆୟ ୮ ଲକ୍ଷ ଟଙ୍କା ମଧ୍ୟରେ ରହିଲେ, ସେମାନ ସ୍ୱଚ୍ଛଳ ବର୍ଗ ପରିଗଣିତ ହେବେ ନାହିଁ। ଫଳରେ ସେମାନଙ୍କ ସନ୍ତାନ ଓବିସି ସଂରକ୍ଷଣରେ ନାମଲେଖା ସୁଯୋଗ ପାଇବେ।

ରାଉରକେଲାସ୍ଥିତ ନ୍ୟାସନାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଏନ୍‌ଆଇଟି)ର ଜଣେ ବରିଷ୍ଠ ପ୍ରଶାସକଙ୍କ ସୂଚନା ଅନୁସାରେ ଗତ ସେପ୍ଟେମ୍ବର ପହିଲାରୁ ଏହି କୋହଳ ବ୍ୟବସ୍ଥା ଲାଗୁ କରାଯାଇଛି। କେନ୍ଦ୍ର ସାମାଜିକ ନ୍ୟାୟ ମନ୍ତ୍ରାଳୟ ଏବଂ କାର୍ମିକ ଓ ତାଲିମ ମନ୍ତ୍ରାଳୟ ଯଥାକ୍ରମେ ଗତ ସେପ୍ଟେମ୍ବର ୫ ଓ ସେପ୍ଯେମ୍ବର ୧୩ରେ ଏ ସଂକ୍ରାନ୍ତରେ ସଂକଳ୍ପ (ମେମୋରାଣ୍ଡମ୍‌) ଜାରି କରିବା ପରେ ସେହି ଆଧାରରେ ମାନବ ସମ୍ବଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ସେପ୍ଟେମ୍ବର ୧୬ରେ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସଂଶୋଧିତ ବିଜ୍ଞପ୍ତି ସଂକ୍ରାନ୍ତରେ ଓଡ଼ିଶା ସମେତ ସବୁ ରାଜ୍ୟର ମୁଖ୍ୟ ସଚିବମାନଙ୍କୁ ଅବଗତ କରାଯାଇଛି। ତେବେ ଓଡ଼ିଶା ସରକାର ଓବିସି ଛାତ୍ରଛାତ୍ରୀଙ୍କ ନାମଲେଖା ସଂରକ୍ଷଣ ନୀତିରେ ଏ ପର୍ଯ୍ୟନ୍ତ ସଂଶୋଧନ ଆଣି ନଥିବାରୁ ରାଜ୍ୟରେ ଓବିସି ଅଭିଭାବକଙ୍କ ବାର୍ଷିକ ଆୟ ସୀମା ୬ ଲକ୍ଷ ଟଙ୍କା ବଳବତ୍ତର ରହିଛି।

ଉଲ୍ଲେଖଯୋଗ୍ୟ, ୧୯୯୩ ସେପ୍ଯେମ୍ବର ୮ରେ କେନ୍ଦ୍ର ସରକାର ଓବିସି ସଂରକ୍ଷଣ ଲାଗୁ କରିବା ବେଳେ ଅଭିଭାବକଙ୍କ ବାର୍ଷିକ ଆୟ ସୀମା ୧ ଲକ୍ଷ ଟଙ୍କା ଧାର୍ଯ୍ୟ କରିଥିଲେ। ୨୦୦୪ ମାର୍ଚ୍ଚ ୯ରେ ସେହି ଆୟ ସୀମାକୁ ୨ ଲକ୍ଷ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା। ଏହାର ସାଢ଼େ ୪ ବର୍ଷ ପରେ ଓବିସି ଛାତ୍ରଛାତ୍ରୀଙ୍କ ନାମଲେଖା ସଂରକ୍ଷଣ ନିମନ୍ତେ ଅଭିଭାବକଙ୍କ ଆୟ ସୀମାକୁ ୪ ଲକ୍ଷ ୫୦ ହଜାର ଟଙ୍କା ଧାର୍ଯ୍ୟ କରାଯାଇଥିଲା। ୨୦୧୩ ମେ’ ୨୭ରେ ସେମାନଙ୍କ ଆୟ ସୀମାକୁ ପୁନର୍ବାର ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ପାଇଥିଲା।

ସମ୍ବନ୍ଧିତ ଖବର