ଆଇଏଏସ୍‌ ସ୍ତରରେ ଅଦଳବଦଳ: ୮ ଅଧିକାରୀଙ୍କୁ ନୂଆ ଦାୟିତ୍ୱ

ଭୁବନେଶ୍ୱର: ରାଜ୍ୟ ସରକାର ମଙ୍ଗଳବାର ଆଇଏଏସ୍‌ ଓ ଓଏଏସ୍‌ ଅଧିକାରୀ ସ୍ତରରେ ଅଦଳବଦଳ କରିଛନ୍ତି। ୮ ଜଣ ଆଇଏଏସ୍‌ ଓ ୨ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କୁ ମିଳିଛି ନୂତନ ପଦବି । ୧୯୮୬ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ଜି.ଭି.ଭି ଶର୍ମାଙ୍କୁ ବୋର୍ଡ ଅଫ୍‌ ରେଭିନ୍ୟୁର ସଦସ୍ୟ ଭାବେ ଅବସ୍ଥାପିତ କରାଯାଇଛି। ୧୯୮୯ ବ୍ୟାଚ୍‌ ଅଧିକାରୀ ଡ଼.ମୋନା ଶର୍ମା ଗ୍ରାମ ଉନ୍ନୟନ ବିଭାଗର ମୁଖ୍ୟସଚିବ ଭାବେ ନିଯୁକ୍ତି ପାଇଛନ୍ତି। ସେହିପରି ୧୯୯୫ ବ୍ୟାଚ୍‌ ଆଇଏଏସ୍‌ ବିଷ୍ଣୁପଦ ସେଠୀଙ୍କୁ ଉଚ୍ଚ ଶିକ୍ଷା ବିଭାଗର କମିସନର ତଥା ସେକ୍ରେଟାରି ପାହ୍ୟାରେ ଅବସ୍ଥାପିତ କରାଯାଇଛି। ଏଥିସହ ସେ ପୂର୍ବଭଳି ଏସ୍‌ଆର୍‌ସି ଓ ଓସ୍‌ଡ଼୍‍ମାର ପରିଚାଳନା ନିର୍ଦ୍ଦେଶକ ରହିବେ। ୧୯୯୬ ବ୍ୟାଚ୍‌ ଅଧିକାରୀ ବିଶାଲ୍‌ ଦେବ୍‌ଙ୍କୁ ପର୍ଯ୍ୟଟନ ଓ ସଂସ୍କୃତି ବିଭାଗ ସଚିବ ଏବଂ ଓଏଚ୍‌ପିସିର ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ୨୦୦୩ ବ୍ୟାଚ୍‌ ଆଇଏଏସ୍‌ ପୁରୁଷୋତ୍ତମ ସାହୁଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି ମିଳିଛି। ୨୦୦୭ ବ୍ୟାଚ୍‌ ଅଧିକାରୀ ଜି.ଜି.ଦେବତାଙ୍କୁ ବୋର୍ଡ଼ ଅଫ୍‌ ରେଭିନ୍ୟୁର ଅତିରିକ୍ତ ସଚିବ ଭାବେ ଅବସ୍ଥାପିତ କରାଯାଇଛି। ୨୦୦୯ ବ୍ୟାଚ୍‌ ଆଇଏଏସ୍‌ ଭି. ଜୟ କୁମାରଙ୍କୁ ପି.ଆଣ୍ଡ ସି. ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ମିଳିଛି। ୨୦୧୪ ବ୍ୟାଚ୍‌ ଅଧିକାରୀ ୟେଦୁଲା ବିଜୟଙ୍କୁ ଗୃହ ବିଭାଗର ଅନୁଶାସନ ସଚିବ ଭାବେ ଅବସ୍ଥାପିତ କରାଯାଇଛି।

ସେହିପରି ବରିଷ୍ଠ ଓଏଏସ୍‌ ଅଧିକାରୀ ସ୍ତରରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ବରିଷ୍ଠ ଓଏଏସ୍‌ ଅଧିକାରୀ ସରୋଜ ସାମଲଙ୍କୁ ଯୋଗାଣ ନିଗମର ଓ ଓଏସ୍‌ଡ଼ବ୍ଲୁସିର ପରିଚାଳନା ନିର୍ଦ୍ଦେଶକ ଦାୟିତ୍ୱ ଦିଆଯାଇଛି। ଓଏଏସ୍‌ ଅଧିକାରୀ ନିରଞ୍ଜନ ନାୟକଙ୍କୁ ଓଡ଼ିଶା ଉଠା ଜଳସେଚନ ନିଗମର ପରିଚାଳନା ନିର୍ଦ୍ଦେଶକ ଭାବେ ଅବସ୍ଥାପିତ କରାଯାଇଛି।

ସମ୍ବନ୍ଧିତ ଖବର