ସର୍ବଭାରତୀୟ ପ୍ରଶାସନିକ ପରୀକ୍ଷା‌ : ମୋ ପାଇଁ ତପସ୍ୟା ଥିଲା – ସୋମାଲିନ୍‌

୧୧୯ତମ ରୢାଙ୍କରେ ଭୁବନେଶ୍ବରର ଉପାସନା

ଜଗତ୍‌ସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଜୋକେଇ ଗାଁର ଶିକ୍ଷକ ବିପିନ ବିହାରୀ ବାରିକ୍‌ ଓ ଶିକ୍ଷୟିତ୍ରୀ ନଳିନୀ ବାରିକଙ୍କ ଝିଅ ହେଉଛନ୍ତି ସିଭିଲ୍ ସର୍ଭିସ୍‌ ପରୀକ୍ଷାର ୪୭୮ ରୢାଙ୍କରେ ଥିବା ସୋମାଲିନ୍‌ ଶୁଭଦର୍ଶିନୀ। ୨୦୧୭ରେ ଓଏଏସ୍‌ରେ କୃତିତ୍ବ ହାସଲ କରିଥିବା ସୋମାଲିନ୍‌ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ସଫଳତା ପରେ କହିଛନ୍ତି ଯେ ଏହା ମୋ ପାଇଁ ତପସ୍ୟା ଥିଲା। ଇଞ୍ଜିନିୟରିଂ ପାଠ୍ୟକ୍ରମ ଶେଷ କରିବା ପରେ ଏକ ଘରୋଇ କମ୍ପାନିରେ ଚାକିରି କରିଥିଲି। ୨୦୧୫ରେ ଚାକିରି ଛାଡ଼ି ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲି। ୨୦୧୭ରେ ଓଏଏସ୍‌ରେ ସଫଳତା ପାଇଥିଲି। ଏବେ ସିଭିଲ୍‌ ସର୍ଭିସ୍‌ ପରୀକ୍ଷାରେ ସଫଳତା ପାଇଥିବାରୁ ବହୁତ ଖୁସି ଲାଗୁଛି। ଦାୟିତ୍ବ ବି ବଢ଼ିଯାଇଛି। ଯେଉଁ ସ୍ବପ୍ନ ନେଇ ଏହି ଅଭିଯାନ ଆରମ୍ଭ କରିଥିଲି ତାହାର ପ୍ରକୃତ ଅର୍ଥ ଦେବା ପାଇଁ ସମୟ ଆସିଛି। ଓଡ଼ିଶାର ଶିକ୍ଷା, ସ୍ବାସ୍ଥ୍ୟ ଓ ଭିତ୍ତିଭୂମିରେ ଯେଉଁ ସମସ୍ୟା ରହୁଛି ତାହାର ସମାଧାନ ଦିଗରେ କାମ କରିବାକୁ ଲକ୍ଷ୍ୟ ରଖିଛି। ତଳସ୍ତରର ଲୋକଙ୍କ ନିକଟରେ ପହଞ୍ଚିବା ମୋର ପ୍ରଥମ କର୍ତବ୍ୟ ରହିବ।

ଅନୁଗୁଳ ଜିଲ୍ଲା ପାଳଲହଡ଼ାସ୍ଥିତ ମହତାବ ହାଇସ୍କୁଲରେ ଦଶମ ଶିକ୍ଷା ଶେଷ କରିବା ପରେ ବିଜେବି ଜୁନିୟର କଲେଜରୁ ଯୁକ୍ତ୨ ଶିକ୍ଷା କରିଥିଲି। ଆଇଜିଆଇଟି ସରାଙ୍ଗରେ ଇଞ୍ଜିନିୟରିଂ କରିବା ପରେ ଟିସିଏସ୍‌ରେ କାମ କରୁଥିଲି। ସିଭିଲ୍‌ ସର୍ଭିସ୍‌ ପରୀକ୍ଷା ପାଇଁ ଦିଲ୍ଲୀରେ କୋଚିଂ ନେଉଥିଲି। ଏବେ ଭୁବନେଶ୍ବରରେ ରହୁଛି। ଆଗକୁ ଓଡ଼ିଶା କି ଦେଶର ଯେଉଁ ସ୍ଥାନରେ ସୁଯୋଗ ମିଳିବ କାମ କରିବି। ଆଜି ଯେଉଁ ସଫଳତା ମିଳିଛି ତାହାର ଶ୍ରେୟ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦେବି। ଏଥିସହ ବାପା, ମା, ସାଙ୍ଗ, ଶିକ୍ଷକଙ୍କର ଆଶୀର୍ବାଦ ରହିଛି।

୧୧୯ତମ ରୢାଙ୍କରେ ଭୁବନେଶ୍ବରର ଉପାସନା

ସିଭିଲ୍‌ ସର୍ଭିସ୍‌ ପରୀକ୍ଷାର ୧୧୯ତମ ରୢାଙ୍କରେ ଭୁବନେଶ୍ବର ଉପାସନା ମହାପାତ୍ର ରହିଛନ୍ତି। ବରିଷ୍ଠ ସାମ୍ବାଦିକ ଅଶୋକ ମହାପାତ୍ର ଓ ଶିକ୍ଷୟିତ୍ରୀ ସଂଯୁକ୍ତା ମହାପାତ୍ରଙ୍କ ସୁକନ୍ୟା ଉପାସନା ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି। ଲୋୟଲା ସ୍କୁଲରୁ ସ୍କୁଲ ଶିକ୍ଷା ଶେଷ କରିଥିଲେ। ଦଶମରେ ୯୬ ପ୍ରତିଶତ ମାର୍କ ରଖି ସ୍କୁଲରେ ଦ୍ବିତୀୟ ସ୍ଥାନରେ ରହିଥିଲେ। ୟୁନିଟ୍‌-୮ ଡିଏଭିରୁ ଦ୍ବାଦଶ ଶ୍ରେଣୀ ଶିକ୍ଷା ଗ୍ରହଣ କରିବା ପରେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ମିରଣ୍ଡା ହାଉସ୍‌ରେ ଯୋଗଦେଇଥିଲେ। ସେଠାରୁ ସେ ଫିଜିକ୍ସରେ ସ୍ନାତ୍ତକ ଶିକ୍ଷା ଗ୍ରହଣ କରିବା ସହ ୯୧.୩ ପ୍ରତିଶତ ମାର୍କ ରଖି କଲେଜ ଟପ୍ପର୍‌ ହୋଇଥିଲେ। ପରୀକ୍ଷା ଫଳ ପ୍ରକାଶ ପାଇବା ପରେ ଉପାସନାଙ୍କ ଘରେ ଖୁସିର ଲହରି ଖେଳିଯାଇଛି।

ସମ୍ବନ୍ଧିତ ଖବର