ରାଜ୍ୟରେ ହେବ ଗୋଟିଏ ରାଜସ୍ୱ ଆଇନ

ରାଜସ୍ୱ ବିଭାଗର ୧୧୦୨.୪୧ କୋଟିର ଖର୍ଚଦାବି ପାରିତ

୩୦ ସୁଦ୍ଧା ସ୍କୁଲ, କଲେଜକୁ ଜମି ଯୋଗାଣ ନେଇ ରିପୋର୍ଟ
ଜବରଦଖଲକାରୀ ଯିଏ ହୁଅନ୍ତୁ ନା କାହିଁକି କାର୍ଯ୍ୟାନୁଷ୍ଠାନ ହେବ

ଭୁବନେଶ୍ୱର : ରାଜ୍ୟରେ ପ୍ରାୟ ୩୦ଟି ବିଭିନ୍ନ ରାଜସ୍ୱ ଆଇନ ରହିଛି। ସମସ୍ତ ଆଇନକୁ ଏକତ୍ରୀକରଣ ଏବଂ ସରଳୀକରଣ କରାଯିବ। ଏସବୁ ଗୋଟିଏ ରାଜସ୍ୱ ଆଇନରେ ପରିଣତ କରିବା ପାଇଁ ବିଧିବଦ୍ଧ ଭାବେ ପଦକ୍ଷେପ ନିଆଯାଉଛି। ଇତି ମଧ୍ୟରେ ରାଜସ୍ୱ ପର୍ଷଦ ସଭ୍ୟଙ୍କୁ ନେଇ ଗଠିତ କମିଟି ପକ୍ଷରୁ ୩ଟି ବୈଠକ ବସିସାରିଛି। ଏଥିରେ ରାଜସ୍ୱ ମନ୍ତ୍ରୀ ମଧ୍ୟ ଅଂଶଗ୍ରହଣ କରୁଛନ୍ତି। ଏହି କମିଟି ନୂଆ ରାଜସ୍ୱ କୋଡ୍‌ ନେଇ ଚିଠା ପ୍ରସ୍ତାବ ପ୍ରସ୍ତୁତ କରିବ। ସେହି ଚିଠା ପ୍ରସ୍ତାବକୁ ନେଇ ସର୍ବସାଧାରଣ ଏବଂ ଆଇନଜ୍ଞଙ୍କ ମତାମତ ଲୋଡ଼ାଯାଇ ନୂଆ ରାଜସ୍ୱ ଆଇନ ପ୍ରଣୟନ କରାଯିବ।

ଆଜି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ମହେଶ୍ୱର ମହାନ୍ତି ବିଭାଗର ୧୧୦୨ କୋଟି ୪୧ ଲକ୍ଷ ୫୩ ହଜାର ଟଙ୍କାର ଖର୍ଚଦାବି ଆଗତ କରିବା ଅବସରରେ ଉପରୋକ୍ତ ସୂଚନା ଦେଇଥିଲେ। ଏହି ଖର୍ଚଦାବି ଉପରେ ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ନେତା ନରସିଂହ ମିଶ୍ର କହିଲେ, ରାଜ୍ୟର ଅନେକ ତହସିଲ୍‌ରେ ତହସିଲଦାର ନାହାନ୍ତି। ଯେଉଁ ତହସିଲ୍‌ରେ କାର୍ଯ୍ୟଭାର ଅଧିକ ସେଠାରେ ଅତିରିକ୍ତ ତହସିଲଦାର ନିଯୁକ୍ତି କରିବାକୁ ସରକାର ପ୍ରତିଶ୍ରୁତି ଦେଇଛନ୍ତିି। ଚଳିତ ଆର୍ଥିକ ବର୍ଷରେ ସରକାରଙ୍କ ଏହି ପ୍ରତିଶ୍ରୁତି ପୂରଣ ହେବ ତ? ଲଘୁ ଖଣିଜ ଦ୍ରବ୍ୟ ରାଜ୍ୟର ଅନ୍ୟତମ ମୁଖ୍ୟ ରାଜସ୍ୱ ଉତ୍ସ। କିନ୍ତୁ ଏଥିରେ ବ୍ୟାପକ ଦୁର୍ନୀତି ଯୋଗୁଁ ବିପୁଳ ରାଜସ୍ୱ କ୍ଷତି ହେଉଛି।

ଜମି ଜବରଦଖଲ ରାଜ୍ୟର ସଙ୍ଗିନ ସମସ୍ୟା ଦର୍ଶାଇ ଶ୍ରୀ ମିଶ୍ର ବଲାଙ୍ଗୀର ସହରର ନିର୍ମାଣାଧୀନ ଚାରିଲେନ୍‌ ରାସ୍ତା, ୧୦୦ ଏକରର ମହାପୁଷ୍କରିଣୀ, ଉଦ୍ୟାନର ସରକାରୀ ଜମିକୁ ପ୍ରଭାବଶାଳୀ ରାଜନୈତିକ ବ୍ୟକ୍ତି ଜବରଦଖଲ କରିଥିବା କହିଥିଲେ। କେବଳ ବଲାଙ୍ଗୀର ନୁହେଁ, ବ୍ରହ୍ମପୁର ସହରରେ ଡ୍ରେନ୍‌, ଭୁବନେଶ୍ୱରରେ ମଧ୍ୟ ବ୍ୟାପକ ଜମି ଜବରଦଖଲ ହୋଇଥିବା ସେ କହିଥିଲେ। ସ୍କୁଲ, କଲେଜ ଭଳି ଶିକ୍ଷାନୁଷ୍ଠାନକୁ ସରକାରୀ ଜମି ଯୋଗାଇଦେବା ଲାଗି ବିଭାଗୀୟ ଷ୍ଟାଣ୍ଡି କମିଟି ସୁପାରିସ କରିଥିଲେ ବି ଏହାକୁ କାର୍ଯ୍ୟକାରୀ କେବେ କରାଯିବ ବୋଲି ସେ ପଚାରିଥିଲେ।

ଓଡ଼ିଶା ଭୂସଂସ୍କାର ଆଇନ କେଉଁଠି ଏବଂ ଏହା କାର୍ଯ୍ୟକାରୀ ହେଉଛି କି ବୋଲି ପ୍ରଶ୍ନ କରିଥିଲେ ବିରୋଧୀ ଦଳ ନେତା। ଜମି ସିଲିଂ ନିୟମ ଅନୁଯାୟୀ ଗୋଟିଏ ପରିବାର ସର୍ବାଧିକ ୧୦ ଏକର ଜଳସେଚିତ ଜମି ଏବଂ ୩୩ ଏକର ଅଣଜଳସେଚିତ ଜମି ରଖିପାରିବେ। ସାମାଜିକ ନ୍ୟାୟ ପ୍ରଦାନ ପାଇଁ ଏହି ଆଇନ ପ୍ରଣୟନ ହୋଇଥିଲେ ହେଁ ଏହାର ଆଭିମୁଖ୍ୟ ସରକାରଙ୍କ ପାଖରେ ସ୍ପଷ୍ଟ ନୁହେଁ। ଭାଗଚାଷୀଙ୍କୁ ସୁରକ୍ଷିତ କରିବେ ବୋଲି ସରକାର କହୁଛନ୍ତିି। କିନ୍ତୁ କେମିତି କରିବେ? ସରକାର ସମସ୍ତ ରାଜସ୍ୱ ଆଇନ ଆଣି ଗୋଟିଏ ରାଜସ୍ୱ କୋଡ୍‌ କରିବାକୁ କହୁଛନ୍ତି। କିନ୍ତୁ ଏ ନେଇ କି ପଦକ୍ଷେପ ନେଇଛନ୍ତି ସେ କଥା ମନ୍ତ୍ରୀ ଉତ୍ତର ରଖନ୍ତୁ ବୋଲି ଶ୍ରୀ ମିଶ୍ର କହିଥିଲେ।

ବିଜେପି ବିଧାୟକ ପ୍ରଦୀପ ପୁରୋହିତ କହିଲେ, ଚାଷୀମାନଙ୍କୁ ଜମି ପଟ୍ଟା ଦିଆଯାଇଛି। କିନ୍ତୁ ୧୦ ବର୍ଷ ହେଲା ସେମାନଙ୍କ ପାଇଁ ଜମି ଚିହ୍ନଟ ହୋଇନାହିଁ। ଇନ୍‌ପୁଟ୍‌, ସବ୍‌ସିଡି ଚାଷୀଙ୍କୁ ଦେବା ପରିବର୍ତ୍ତେ ମନ୍ଦିର, ସ୍କୁଲକୁ ଦିଆଯାଉଥିବା ସେ ଅଭିଯୋଗ କରିଥିଲେ। ଅନ୍ୟପକ୍ଷରେ ରାଜ୍ୟ ସରକାର ଜନସେବା ଅଧିକାର ଆଇନ, ୨୦୧୨ ଅଧୀନରେ ୩୧ଟି ସେବା ଅନ୍ତର୍ଭୁକ୍ତ କରିଥିବା, ୯୭୬୦୮ଟି ପରିବାରଙ୍କୁ ବସୁଧା ଯୋଜନାରେ ଘରଡିହ ଯୋଗାଇଥିବା ଆଦି ସଂପର୍କରେ ସରକାରଙ୍କ ସଫଳତା ବଖାଣିଥିଲେ ସରକାରୀ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ। ତେବେ କୋଟିଆ ଗ୍ରାମପୁଞ୍ଜ ଭଳି ଯେତିକି ସମସ୍ତ ସୀମାବର୍ତ୍ତୀ ବିବାଦୀୟ ରହିଛି ସେଗୁଡ଼ିକର ସୀମା ବିବାଦର ଫଇସଲା କରିବା ଉପରେ ସେ ଗୁରୁତ୍ୱ ଦେଇଥିଲେ। ନୂତନ ରାଜସ୍ୱ ଗ୍ରାମ ସୃଷ୍ଟି ନିମନ୍ତେ ୨୦୧୪ର ସର୍କୁଲାର କାର୍ଯ୍ୟକାରୀ କରିବା ବିଳମ୍ବିତ ହେଉଥିବା ସେ ପ୍ରକାଶ କରିଥିଲେ। ରାଜ୍ୟରେ ୯୮୬ଟି ମଞ୍ଜୁରି ପାଇଥିବା ଓଏଏସ୍‌ ପଦବି ମଧ୍ୟରୁ ୬୦୮ଟିରେ କାର୍ଯ୍ୟ କରୁଛନ୍ତିି। ଓଡ଼ିଶା ରାଜସ୍ୱ ସେବାରେ ଥିବା ମୋଟ ୧୧୮୦ଟି ପଦବିରୁ ୯୧୧ଜଣ କାର୍ଯ୍ୟ କରୁଥିବା ବେଳେ ଅବଶିଷ୍ଟ ପଦବି ଖାଲି ପଡ଼ିଥିବା ସେ କହିଥିଲେ। ଆଲୋଚନାରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଭୁଜବଳ ମାଝୀ, ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ଯୋଗେନ୍ଦ୍ର ବେହେରା, ଅଶ୍ୱିନୀ ପାତ୍ର, ଆୟୁବ ଖାଁ ପ୍ରମୁଖ ଅଂଶଗ୍ରହଣ କରିଥିଲେ।

ଶେଷରେ ରାଜସ୍ୱ ମନ୍ତ୍ରୀ ଶ୍ରୀ ମହାନ୍ତି କହିଲେ, ଉଚ୍ଚଶିକ୍ଷା, ଗଣଶିକ୍ଷା, ରାଜସ୍ୱ ବିଭାଗକୁ ନେଇ ମିଳିତ ଭାବେ ଏକ କମିଟି ଗଠନ କରାଯାଇଛି। ଆସନ୍ତା ୩୦ ତାରିଖ ସୁଦ୍ଧା ଜମି ଆବଶ୍ୟକ କରୁଥିବା ଶିକ୍ଷାନୁଷ୍ଠାନକୁ ସରକାରୀ ଜମି ଯୋଗାଇଦେବା ସଂପର୍କରେ ଏହି କମିଟି ରିପୋର୍ଟ ଦେବ। ବିରୋଧୀ ଦଳ ନେତାଙ୍କ ଜମି ଜବରଦଖଲ ପ୍ରସଙ୍ଗରେ ମନ୍ତ୍ରୀ କହିଲେ ସରକାରୀ ଜମି ଜବରଦଖଲକାରୀ ଯେତେ ପ୍ରଭାବଶାଳୀ ହୁଅନ୍ତୁନା କାହିଁକି ନିର୍ଦିଷ୍ଟ ତଥ୍ୟ ଦେଲେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଲଘୁ ଖଣିଜ ଦ୍ରବ୍ୟର ବେଆଇନ ଉତ୍ତୋଳନ ଓ ଚୋରି ରୋକିବା ପାଇଁ ସ୍ୱତନ୍ତ୍ର ସ୍କ୍ଵାଡ୍‌ ଗଠନ କରାଯାଇଛି। ଏହାବ୍ୟତୀତ, ବିଭାଗ ପକ୍ଷରୁ ନିଆଯାଇଥିବା ବିଭିନ୍ନ ଆଧୁନିକୀକରଣ ପଦକ୍ଷେପ ସଂପର୍କରେ ମନ୍ତ୍ରୀ ସୂଚନା ଦେଇଥିଲେ। ସେହିପରି ବିଧାୟକ ରବି ନାୟକ, ପ୍ରଶାନ୍ତ ମୁଦୁଲି, ଉମାକାନ୍ତ ସାମନ୍ତରାୟ, ମହେଶ ସାହୁ, ପ୍ରିୟଦର୍ଶୀ ମିଶ୍ର ପ୍ରମୁଖ ଉଠାଇଥିବା ବିଭିନ୍ନ ପ୍ରଶ୍ନର ସ୍ପଷ୍ଟୀକରଣ ଦେଇଥିଲେ ମନ୍ତ୍ରୀ ଶ୍ରୀ ମହାନ୍ତି। ଶେଷରେ ବିଭାଗର ୧୧୦୨.୪୧ କୋଟି ୫୩ ହଜାର ଟଙ୍କାର ବ୍ୟୟବରାଦ ପାରିତ ହୋଇଥିଲା।

ସମ୍ବନ୍ଧିତ ଖବର