ଫୋକସ୍‌ରେ ରହିବ ପଞ୍ଜୀକରଣ କାର୍ଯ୍ୟାଳୟ: ମୁଖ୍ୟମନ୍ତ୍ରୀ

ଲୋକଙ୍କ ମର୍ଯ୍ୟାଦାକୁ ସମ୍ମାନ ଦିଅ, ଠିକ୍ ସମୟରେ ସେବା ଯୋଗାଅ
‘ମୋ ସରକାର’ରେ ସାମିଲ ହେଲା ରାଜସ୍ବ ବିଭାଗ

ଭୁବନେଶ୍ବର : ରାଜ୍ୟ ପ୍ରଶାସନର ସବୁଠାରୁ ଗୁରୁତ୍ବପୂର୍ଣ୍ଣ କୁହାଯାଉଥିବା ରାଜସ୍ବ ବିଭାଗ ଏବେ ‘ମୋ ସରକାର’ରେ ସାମିଲ ହୋଇଛି। ଆଜି ଲୋକସେବା ଭବ‌ନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଧିବଦ୍ଧ ଭାବେ କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲେ। ଗ୍ରାମାଞ୍ଚଳରେ ସିଧାସଳଖ ଲୋକଙ୍କୁ ‌ବହୁ ସେବା ଯୋଗାଉଥିବା ତହସିଲ୍‌ ଓ ପଞ୍ଜୀକରଣ କାର୍ଯ୍ୟାଳୟ ଏବେ ସରକାରଙ୍କ ଫୋକସ୍‌ରେ ରହିବ। ଲୋକଙ୍କ ମର୍ଯ୍ୟାଦାକୁ ସମ୍ମାନ ଦେଇ ଠିକ୍ ସମୟରେ ସେବା ଯୋଗାଇବାକୁ ମୁଖ୍ୟମନ୍ତ୍ରୀ କର୍ମଚାରୀମାନଙ୍କୁ ଆହ୍ବାନ ଦେଇଥିଲେ।

ଶ୍ରୀ ପଟ୍ଟନାୟକ କହିଥିଲେ ଯେ ତହସିଲ୍‌ ଓ ପଞ୍ଜୀକରଣ କାର୍ଯ୍ୟାଳୟ ହେଉଛି ଗ୍ରାମାଞ୍ଚଳ ପ୍ରଶାସନର ହୃଦୟ ଓ ଆତ୍ମା। ଏହି କାର୍ଯ୍ୟାଳୟଗୁଡ଼ିକ ଦକ୍ଷ ଓ ଉତ୍ତରଦାୟୀ ‌େହବା ସହ ଲୋକଙ୍କ ଆବଶ୍ୟକତାକୁ ସଙ୍ଗେ ସଙ୍ଗେ ପୂରଣ କରିବା ଉଚିତ। ଏହାକୁ ନଜର‌େର ରଖି ୫-ଟି ଅଭିଯାନ ଅଧୀନ‌େର ଗତ ବର୍ଷ ଡିସେମ୍ବରରେ ଇ-ଡିଷ୍ଟ୍ରିକ୍ଟ ପୋର୍ଟାଲ୍‌ ମାଧ୍ୟମରେ ଇ-ସାର୍ଟିଫିକେଟ୍‌ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ନୂଆ ପୋର୍ଟାଲ୍‌ ମାଧ୍ୟମରେ ଦୁଇ ଲକ୍ଷରୁ ଅଧିକ ନାଗରିକ ବିଭିନ୍ନ ସାର୍ଟିଫିକେଟ୍‌ ପାଇଁ ଆବେଦନ କରିଛନ୍ତି। କୌଣସି ସରକାରୀ କାର୍ଯ୍ୟାଳୟକୁ ନ ଯାଇ ଏମାନଙ୍କ ମଧ୍ୟରୁ ୧.୩୫ ଲକ୍ଷ ନାଗରିକ ସାର୍ଟିଫିକେଟ୍‌ ପାଇଛନ୍ତି। ରାଜସ୍ବ ବିଭାଗ ୫-ଟିକୁ ଲାଗୁ କରି ବେଶ୍‌ ସଫଳତାର ସହ କାର୍ଯ୍ୟ କରୁଛି। ଜାତି ଓ ଅନ୍ୟାନ୍ୟ ସାର୍ଟିଫିକେଟ୍‌ ପାଇଁ ଥିବା ସମସ୍ତ ପ୍ରକାର ଦେୟ ବ୍ୟବସ୍ଥାକୁ ସରକାର ଉଚ୍ଛେଦ କରିଛନ୍ତି। ଏହା ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ସମେତ ୫୦ ଲକ୍ଷ ନାଗରିକ ସିଧାସଳଖ ଉପକୃତ ହୋଇପାରୁଛନ୍ତି। ଇ-ପାଉତି ପୋର୍ଟାଲ୍‌ ମାଧ୍ୟମରେ ନାଗରିକମାନେ ଅନ୍‌ଲାଇନ୍ ମାଧ୍ୟମରେ ଜମି ଖଜଣା ପ୍ରଦାନ କରୁଛନ୍ତି। ସବୁ ମ୍ୟୁଟେସନ୍ ମାମଲାରେ ଆର୍‌ଓଆର୍‌ ସ୍ପିଡ୍‌ ପୋଷ୍ଟ୍ ମାଧ୍ୟମରେ ନାଗରିକମାନଙ୍କୁ ଦିଆଯାଉଛି। ‘‌େମା ସରକାର’ ରାଜସ୍ବ ବିଭାଗରେ ଅଧିକ ପେଶାଦାର ଓ ଉତ୍ତରଦାୟିତ୍ବ ଆଣିବାରେ ସହାୟକ ହେବ। ବିଭିନ୍ନ ସ୍ଥାନୀୟ କାର୍ଯ୍ୟାଳୟର କର୍ମଚାରୀଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ଆଣିବାକୁ ନାଗରିକଙ୍କ ମତାମତ ମଗାଯିବାର ବ୍ୟବସ୍ଥା ରଖାଯିବ। ସରକାରୀ କାର୍ଯ୍ୟାଳୟକୁ ବିଭିନ୍ନ କାମରେ ଆସୁଥିବା ନାଗରିକଙ୍କ ମର୍ଯ୍ୟାଦାକୁ ସମ୍ମାନ ଦେବା ବହୁତ ଜରୁରୀ। ସମସ୍ତ ସରକାରୀ କର୍ମଚାରୀ ଏହାକୁ ମନ ରଖିବା ଉଚିତ।

ରାଜସ୍ବ ମନ୍ତ୍ରୀ ସୁଦାମ ମାରାଣ୍ଡି କହିଥିଲେ, ‘ମୋ ସରକାର’ର ସମସ୍ତ ସର୍ତ୍ତାବଳୀକୁ ପୂରଣ କରିବାକୁ ରାଜସ୍ବ ବିଭାଗ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଲେ ଯେ ଜିଲ୍ଲାପାଳମାନେ ହେଲେ ମୁଖ୍ୟତଃ ରାଜସ୍ବ ଅଧିକାରୀ। ୫-ଟିକୁ ଦକ୍ଷତାର ସହ ଲାଗୁ କରିବାରେ ରାଜସ୍ବ ବିଭାଗ ହେଉଛି ପ୍ରଥମ। ମୋ ସରକାର ମଧ୍ୟ ଏଠାରେ ସଫଳତାର ସହ କାର୍ଯ୍ୟ କରିବ। ରାଜସ୍ବ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପି କେ ମହାପାତ୍ର ‘ମୋ ସରକାର’ର ବିଭିନ୍ନ କାର୍ଯ୍ୟାବଳୀ ସମ୍ପର୍କରେ ସୂଚନା ଦେଇଥିଲେ। ୫-ଟି ସଚିବ ଭି କେ ପାଣ୍ଡିଆନ୍ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ତହସିଲ୍‌ଦାର ଓ ସବ୍‌-ରେଜିଷ୍ଟ୍ରାର୍‌ମାନଙ୍କ ସହ ‘ମୋ ସରକାର’ କାର୍ଯ୍ୟକ୍ରମ ସମ୍ପର୍କ‌େର ଆଲୋଚନା କରିଥିଲେ। ପଞ୍ଚାୟତିରାଜ, ଗୃହ ଓ ସ୍ବାସ୍ଥ୍ୟ ବିଭାଗରେ ପୂର୍ବରୁ ମୋ ସରକାର କାର୍ଯ୍ୟକାରୀ କରାଯାଉଛି। ରାଜସ୍ବ ବିଭାଗ ହେଲା ପ୍ରଶାସନର ମୁହଁ। ତେଣୁ ‘ମୋ ସରକାର’କୁ ଏଠାରେ ସଫଳ କରିବା ପାଇଁ ଜିଲ୍ଲାପାଳମାନେ ଏହାକୁ ଏକ ଆହ୍ବାନ ଭାବେ ଗ୍ରହଣ କରନ୍ତୁ। ସରକାରୀ ସେବାଗୁଡ଼ିକ ଅନ୍‌ଲାଇନ୍ ମାଧ୍ୟମରେ ଦେବା ପାଇଁ ୨୦୨୦ ଅଗଷ୍ଟ ୧୫କୁ ମୁଖ୍ୟମନ୍ତ୍ରୀ ଯେଉଁ ତାରିଖ ଦେଇଥିଲେ, ସେ ସମ୍ପର୍କରେ ଶ୍ରୀ ପାଣ୍ଡିଆନ୍‌ ମନେ ପକାଇଥିଲେ। ୫-ଟି ଓ ମୋ ସରକାର ସମ୍ପର୍କରେ ଗଠନମୂଳକ ପ୍ରସ୍ତାବ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଦେବା ପାଇଁ ସେ ପରାମର୍ଶ ଦେଇଥିଲେ।

‘ମୋ ସରକାର’ର ସଫଳ କାର୍ଯ୍ୟକାରିତା ପାଇଁ ସମସ୍ତ ୩୧୭ ତହସିଲ୍‌ ଓ ୧୯୧ ରେଜିଷ୍ଟ୍ରେସନ୍ କାର୍ଯ୍ୟାଳୟରେ ନାଗରିକଙ୍କ ମତାମତ ବ୍ୟବସ୍ଥା ରହିବ। ସେଥିରେ ନାଗରିକମାନେ କିପରି ସେବା ପାଉଛନ୍ତି, ସେ ସମ୍ପର୍କରେ ମତାମତ ଦେବେ। ହେଲ୍ପ ଡେସ୍କ ଦରଖାସ୍ତ ମାଧ୍ୟମରେ କାର୍ଯ୍ୟାଳୟକୁ ଆସୁଥିବା ନାଗରିକମାନଙ୍କ ସମ୍ପୂର୍ଣ୍ଣ ବିବରଣୀ ରହିବ। ଏହା ‘ମୋ ସରକାର’ ପୋର୍ଟାଲ୍‌ ସହ ସମନ୍ବିତ ହୋଇ କାର୍ଯ୍ୟ କରିବ।

ସମ୍ବନ୍ଧିତ ଖବର