ଆନ୍ଦୋଳନରୁ ଓହରିଲେ ରାଜସ୍ୱ ଅମଲା ସଂଘ

ଭୁବନେଶ୍ୱର : ଦୀର୍ଘ ୨୩ ଦିନ ଧରି ଜାରି ରହିଥିବା ରାଜସ୍ୱ ଅମଲା ସଂଘର ଆନ୍ଦୋଳନ ଆଜି ପ୍ରତ୍ୟାହୃତ ହୋଇଛି। ରାଜ୍ୟ ସରକାରଙ୍କ ସହିତ ଆଲୋଚନା ପରେ ସଂଘ ଏଭଳି ନିଷ୍ପତ୍ତି ନେଇଛି। ସଂଘର ସାଧାରଣ ସଂପାଦକ ନରେଶ ମହାପାତ୍ର ଏ ସଂପର୍କରେ ଗଣମାଧ୍ୟମରେ ସୂଚନା ଦେଇ କହିଛନ୍ତି, ଦାବି ପୂରଣ ସଂପର୍କରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀଙ୍କ ସହିତ ଦୀର୍ଘ ସମୟ ଆଲୋଚନା ହୋଇଥିଲା। ସରକାରଙ୍କ ପକ୍ଷରୁ ଲିଖିତ ପ୍ରତିଶ୍ରୁତି ମିଳିବା ଆଧାରରେ ସଂଘ ଆନ୍ଦୋଳନରୁ ଓହରିଛି।

ଉଲ୍ଲେଖଯୋଗ୍ୟ, ଆଜିର ସଂଘର ପ୍ରତିନିଧିମାନଙ୍କ ସହିତ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଏବଂ ଅର୍ଥ ଓ ରାଜସ୍ୱ ବିଭାଗ ପ୍ରମୁଖ ସଚିବମାନଙ୍କ ଆଲୋଚନା ଅନୁଷ୍ଠିତ ହୋଇଥିଲା। ସଂଘର ଅଧିକାଂଶ ଦାବି ପୂରଣ ହୋଇଥିଲେ ବି ରାଜସ୍ୱ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର କ୍ୟାଡର ସୃଷ୍ଟି ସରକାରଙ୍କ ବିଚାରାଧୀନ ରହିଛି।

ସୂଚନାନୁସାରେ କନିଷ୍ଠ କିରାଣି, ବରିଷ୍ଠ କିରାଣି ଓ ମୁଖ୍ୟ କିରାଣିଙ୍କ ପଦବି ପରିବର୍ତନ କରାଯାଇଛି। ଏଣିକି ସେମାନଙ୍କୁ ଯଥାକ୍ରମେ କନିଷ୍ଠ ରାଜସ୍ୱ ସହକାରୀ, ବରିଷ୍ଠ ରାଜସ୍ୱ ସହକାରୀ ଓ ସେକ୍‌ସନ୍‌ ଅଫିସର ଭାବେ ବିବେଚନା କରାଯିବ। ସେହିପରି ପରିବର୍ତିତ ଏଷ୍ଟାବ୍ଲିସମେଣ୍ଟ ଅଫିସର, ସିନିୟର ଏଷ୍ଟାବ୍ଲିସ୍‌ମେଣ୍ଟ ଅଫିସରଙ୍କ ପଦବି ସହିତ ସେମାନଙ୍କ ଦରମାରେ ସଂଶୋଧନ କରାଯିବା ସଙ୍ଗେ ସଙ୍ଗେ ଆବଶ୍ୟକ ସଂଖ୍ୟକ ପଦବି ସୃଷ୍ଟି କରାଯିବ। ଓଡ଼ିଶା ରାଜସ୍ୱ ସେବା(ଓଆରଏସ୍‌) ପଦବିରେ ପଦୋନ୍ନତି ଢାଞ୍ଚା ବଦଳିବା ସହିତ ଆବଶ୍ୟକ ସ୍ଥଳେ ପଦବି ସୃଷ୍ଟି କରାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ସମ୍ବନ୍ଧିତ ଖବର