ଆର୍‌ଜିଏଚ୍‌ ରକ୍ତ ଭଣ୍ଡାରରେ ରକ୍ତ ସଙ୍କଟ: ମହୁଜଦ ଅଛି ମାତ୍ର ୧୩ ୟୁନିଟ୍‌, ଦୈନିକ ଆବଶ୍ୟକ ପଡୁଛି ୫୦ ୟୁନିଟ୍‌

ରାଉରକେଲା: କରୋନା କଟକଣା ପରେ ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌) ରକ୍ତ ଭଣ୍ଡାରରେ ଦେଖାଦେଇଛି ରକ୍ତ ସଙ୍କଟ। ଶିବିର ବାତିଲ ପରେ ସମସ୍ୟା ଆହୁରି ଜଟିଳ ହୋଇଛି। ଲକ୍‌ ଡାଉନ୍‌ ଯୋଗୁଁ ଯାନବାହାନ ବନ୍ଦ ଥିବାରୁ ଲୋକମାନେ ରକ୍ତଭଣ୍ଡାରକୁ ଆସି ପାରୁ ନାହାନ୍ତି। ଯେଉଁଠି ରକ୍ତଭଣ୍ଡାରେ ଦୈନିକ ବିଭିନ୍ନ ବର୍ଗର ୧୫୦ରୁ ୨୦୦ ୟୁନିଟ୍‌ ରକ୍ତ ମହଜୁତ ଥାଏ, ସେଠି ଏବେ ମାତ୍ର ୧୩ ୟୁନିଟ୍‌ ରକ୍ତ ଅଛି । ତାହା ପୁଣି ଅତି ଜରୁରୀ କେସ୍‌ ପାଇଁ ରଖାଯାଇଛି। ଏଥି ମଧ୍ୟରୁ ‘ଓ’ ପିଜିଟିଭ୍‌ ୪, ‘ଏ’ ପିଜିଟିଭ୍‌, ‘ଏବି’ ପିଜିଟିକ୍‌ ଗୋଟିଏ ଲେଖାଏଁ, ‘ବି’ ପଜିଟିଭ୍‌ ୫ଟି, ‘ଏବି’ ପଜିଟିଭ୍‌, ଓ ନେଭେଟିକ୍‌ ଗୋଟିଏ ଲେଖାଏଁ ୟୁନିଟ୍‌ ରହିଛି। ଏଥିପାଇଁ ପ୍ରତ୍ୟେକ ଦିନ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି ରୋଗୀଙ୍କ ସମ୍ପର୍କୀୟ। ସବୁଠୁ ବେଶି ଅସୁବିଧା ଭୋଗୁଛନ୍ତି ଗଭର୍ବତୀ ମହିଳା, ନବଜାତ ଶିଶୁ ଜନ୍ମ କରୁଥିବା ମା’, ଥା‌ଲାସେମିଆ, ସିକିଲ୍‌ସେଲ୍‌ ରୋଗୀ। ଗୋଟିଏ ୟୁନିଟ୍‌ ରକ୍ତ ପାଇଁ ସମ୍ପର୍କୀୟଙ୍କୁ ରକ୍ତାଦାତା ଯୋଗାଡ କରିବାକୁ ୨/୩ ଦିନ ଲାଗି ଯାଉଛନ୍ତି। ଏଭଳି ସ୍ଥିତି ଉପୁଜିଛି ଗତ ମାର୍ଚ୍ଚ ପହିଲାରୁ। ଯାହା ରକ୍ତଭଣ୍ଡାର ଦାୟିତ୍ବରେ ଥିବା ଅଧିକାରୀ ଓ କର୍ମଚାରୀଙ୍କ ଚିନ୍ତା ବଢ଼ାଇ ଦେଇଛି। କେବଳ ରାଉରକେଲା ନୁହେଁ ସୁନ୍ଦରଗଡ ଓ ବଣାଇଁ ରକ୍ତଭଣ୍ଡାରରେ ମଧ୍ୟ ସେହି ସମାନ ସ୍ଥିତି ଉପୁଜିଛି।

ସମ୍ପର୍କୀମାନେ ରକ୍ତ ଦେଲେ ରୋଗୀଟିଏ ରକ୍ତ ପାଉଛି। ଏଭଳି ସଙ୍କଟ ସ୍ଥିତିରେ ସ୍ବେଚ୍ଛାସେବୀ ସଙ୍ଗଠନ, ସାମାଜିକ ଓ ସାଂସ୍କୃତିକ ସଙ୍ଗଠନର ଯୁବକମାନେ ସହଯୋଗର ହାତ ବଢ଼ାଇବାକୁ ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ପଣ୍ଡିତ ସାହୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ସେ କହିଛନ୍ତି, ଦୈନିକ ଅତି ବେଶିରେ ୩/୪ଜଣ ରକ୍ତଦାତା ସ୍ବଇଚ୍ଛାରେ ରକ୍ତଭଣ୍ଡାରୁ ଆସିଲେ ଉପୁଜିଥିବା ଜଟିଳ ସମସ୍ୟା କିଛି ମାତ୍ରାରେ ସମାଧାନ ହୋଇ ପାରନ୍ତା। ଦରକାର ପଡିଲେ ରକ୍ତଭଣ୍ଡାର ପକ୍ଷରୁ ସେମାନଙ୍କୁ ଯିବା ଆସିବା ପାଇଁ ସ୍ବତନ୍ତ୍ର ପାସ୍‌ ଯୋଗାଇ ଦିଆଯିବ। ସୁନ୍ଦରଗଡ ଜିଲ୍ଲାର ତିନି ରକ୍ତଭଣ୍ଡାର ମଧ୍ୟରୁ ଆର୍‌ଜିଏଚ୍‌ ରକ୍ତଭଣ୍ଡାର ଆବଶ୍ୟକତା ଢ଼େର ଅଧିକ। ରକ୍ତଭଣ୍ଡାରରୁ ଦୈନନ୍ଦିନ ୫୦ରୁ ବିଭିନ୍ନ ପ୍ରକାର ରୋଗୀ ଉପକୃତ ‌ହୋଇଥାନ୍ତି। ସହରର ପ୍ରାୟ ୨୫ରୁ ଅଧିକ ସଙ୍ଗଠନ ଶିବିର ଆୟୋଜନ କରି ରକ୍ତଭଣ୍ଡାରକୁ ରକ୍ତ ଯୋଗାଇ ଦେଇଥାନ୍ତି। ଥାଲାସେମିଆ, ସିକଲ୍‌ସେଲ୍‌, ନବଜାତ ଶିଶୁ ମା’ ଓ ଗର୍ଭବତୀ ମହିଳାଙ୍କ ପାଇଁ ମାସକୁ ପ୍ରାୟ ୩୦୦ ୟୁନିଟ୍‌ ଅର୍ଥାତ୍‌ ଦୈନିକ ୧୦ରୁ ଅଧିକ ୟୁନିଟ୍‌ ରକ୍ତ ଆବଶ୍ୟକତା ପଡିଥାଏ। ଏବେ ଥିବା ୧୩ ୟୁନିଟ୍‌ ରକ୍ତ ଅତି ଜରୁରୀ କେସ୍‌ ପାଇଁ ମହଜୁଦ୍‌ ରଖାଯାଇଛି। ପ୍ରତିଦିନ ପ୍ରାୟ ୨୦ରୁ ୨୫ ରୋଗୀଙ୍କ ସମ୍ପର୍କୀୟ ରକ୍ତଭଣ୍ଡାରକୁ ଆସି ରକ୍ତ ଦେଉଛନ୍ତି।

ସମ୍ବନ୍ଧିତ ଖବର