୬ କୋଟି ଟଙ୍କାର ଚାଉଳ ଫେରାଇ ନାହାନ୍ତି ମିଲର୍ସ

୩୦ ତାରିଖ ସୁଦ୍ଧା ଫେରାଇବାକୁ ଯୋଗାଣ ବିଭାଗର ନିର୍ଦ୍ଦେଶ

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର ୩ଜଣ ମିଲ ମାଲିକ ଏପର୍ଯ୍ୟନ୍ତ ୬କୋଟିରୁ ଅଧିକ ଟଙ୍କାର ଚାଉଳ ଫେରାଇ ନାହାନ୍ତି। ଆସନ୍ତା ନଭେମ୍ବର ୩୦ ତାରିଖ ସୁଦ୍ଧା ନ ଫେରାଇଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଯୋଗାଣ ବିଭାଗ ଚେତାବନୀ ଦେଇଛି।

ପ୍ରକାଶ ଯେ, କଳାହାଣ୍ଡି ଜିଲ୍ଲାର ଡଙ୍ଗରିଗୁଡା ଗ୍ରାମର ବୈଷ୍ଣବଦେବୀ ରାଇସ ମିଲ ୨୪୨୦ କ୍ୱିଣ୍ଟାଲ ଚାଉଳ ଫେରସ୍ତ କରି ନାହିଁ। ସେହିଭଳି ରୂପ୍ରାରୋଡର ରାମାନନ୍ଦଏଗ୍ରୋ ରାଇସମିଲ ପକ୍ଷରୁ ୬୮୪୫ କ୍ୱିଣ୍ଟାଲ ଓ କେସିଙ୍ଗାର ଆର. କେ ମଡର୍ଣ୍ଣ ରାଇସମିଲର ୧୮୭୨୨ କ୍ୱିଣ୍ଟାଲ ଚାଉଳ ଫେରାଇ ନାହାନ୍ତି। ଜିଲ୍ଲାରେ ୩ଟି ରାଇସମିଲରୁ ୨୭ ହଜାର ୯୮୮ କ୍ୱିଣ୍ଟାଲ ଚାଉଳ ଫେରାଇବା ବକେୟା ଥିବା ବେଳେ ଏହାର ଆନୁମାନିକ ମୁଲ୍ୟ ୬କୋଟି ୨୫ ଲକ୍ଷ ୬୯ ହଜାର ୭୮୪ ଟଙ୍କା ଅଟେ। ଏନେଇ ଆସନ୍ତା ୩୦ ତାରିଖ ସୁଦ୍ଧା ଚାଉଳ ପେରସ୍ତ କରିବାକୁ ଯୋଗାଣ ବିଭାଗ ଲିଖିତ ଭାବେ ସଂପୃକ୍ତ ମିଲମାଲିକଙ୍କୁ ନିର୍ଦ୍ଦେଶ ଦେଇଛି। ଏଥିରେ ଖିଲାପ କଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜଣାଇ ଦିଆଯାଇଛି। ଏନେଇ ଜିଲ୍ଲା ଯୋଗାଣ ଅଧିକାରୀ ଶିବ ପ୍ରସାଦ ଦୋରାଙ୍କୁ ପଚାରିବାରୁ ନଭେମ୍ବର ୩୦ ତାରିଖ ସୁଦ୍ଧା ଚାଉଳ ନ ଫେରାଇଲେ ଆମ ପାଖରେ ଜମାଥିବା ସଂପୃକ୍ତ ମିଲ ମାଲିକଙ୍କ ଜମାନତ ରାଶି ବାଜ୍ୟାପ୍ତ କରାଯିବ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର