ପଦାରେ ପଡ଼ିଲା ଯୋଗାଣ ନିଗମର ମିଲର୍ସ ପ୍ରୀତି

ଲାଠ୍‌ ଇଣ୍ଡଷ୍ଟ୍ରିଜ୍‌କୁ ପରିବହନ ବାବଦରେ ୧ କୋଟିରୁ ଅଧିକ ଟଙ୍କା ମଂଜୁର, କଷ୍ଟମ ଚାଉଳ ନଦେଇ ଧାନ ସଂଗ୍ରହରେ ସାମିଲ, ପ୍ରଶାସନ ପକ୍ଷରୁ କୋର୍ଟରେ ମାମଲା ରୁଜୁ

ବରଗଡ଼ : ପଦାରେ ପଡ଼ିଛି ଯୋଗାଣ ବିଭାଗର ମିଲର୍ସ ପ୍ରୀତି। କଷ୍ଟମ୍‌ ମିଲିଂ ବାବଦର ଚାଉଳ ଦେଇନଥିବା ସତ୍ତ୍ବେ ବରଗଡ଼ ଲାଠ୍‌ ଇଣ୍ଡଷ୍ଟିଜକୁ ଧାନ ସଂଗ୍ରହରେ ସାମିଲ କରାଯାଇଛି। କେବଳ ସେତିକି ନୁହେଁ ଏହି ମିଲକୁ ପରିବହନ ବାବଦକୁ କୋଟିଏରୁ ଅଧିକ ଟଙ୍କା ଯୋଗାଣ ନିଗମ ମଂଜୁର ମଧ୍ୟ କରିଛି। ମିଲରେ ଆଇନ ବର୍ହିଭୂତ ଚାଉଳ ଗଚ୍ଛିତ ଥିବା ଚଢ଼ଉରେ ଜଣାପଡ଼ିବା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏନେଇ କୋର୍ଟରେ ମାମଲା ରୁଜୁ ହୋଇଛି। ବରଗଡ଼ ଜିଲ୍ଲାରେ ମଣ୍ଡି ଗୁଡ଼ିକ ମିଲର୍ସଙ୍କ କବ୍‌ଜାରେ ଥିବା କାହାରିକୁ ଅଛପା ନାହିଁ। ଧାନ କିଣାବିକାରେ ‌ସ୍ବଚ୍ଛତା ଆଣିବା ପାଇଁ ବାରମ୍ବାର ପ୍ରସ୍ତୁତି ବୈଠକ ବସୁଥିଲେ ହେଁ ତାହା ଫଳବତୀ ହେଉନାହିଁ। ଠିକଣା ସମୟରେ ମଣ୍ଡି ଖୋଲିଥିଲେ ହେଁ ମିଲର୍ସ ଧାନ ନଉଠାଇ ଛତିଶଗଡ଼ରୁ କ୍ବିଣ୍ଟାଲ ପିଛା ୧୩ଶହ ଟଙ୍କାରେ ଧାନ ଆଣୁଛନ୍ତି। ଏସବୁକୁ କାଗଜପତ୍ରରେ ବରଗଡ଼ରୁ କିଣା ଯାଇଥିବା ଧାନ ବୋଲି ଦର୍ଶାଯାଉଛି।

କ୍ରମାଗତ ଦୁଇ ଦିନର ଚଢ଼ଉ ପରେ ବରଗଡ଼ ପଥର୍ଲା ସ୍ଥିତ ଲାଠ୍‌ ଇଣ୍ଡଷ୍ଟ୍ରିଜ୍‌ର ଗୋଦାମରେ ଅତିକମ୍‌ରେ ନିୟମ ବହିର୍ଭୁତ ଭ‌ାବେ ୨୫ଶହ କ୍ବିଣ୍ଟାଲ ଅଧିକ ଧାନ ଥିବା ସ୍ପଷ୍ଟ ହୋଇଛି। ତଦନ୍ତ ଦାୟିତ୍ବରେ ଥିବା ଅଧିକାରୀମାନେ ଏହି ଇଣ୍ଡଷ୍ଟ୍ରିଜ୍‌ର କାଗଜପତ୍ର ଯାଞ୍ଚ କରୁଛନ୍ତିି। ଏ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୋର୍ଟରେ ମାମଲା ରୁଜୁ ହୋଇଛି। ବର୍ତମାନ ଲାଠ୍‌ ଇଣ୍ଡଷ୍ଟ୍ରିଜ୍‌ ବିରୋଧରେ କିଭଳି କାର୍ଯ୍ୟାନୁଷ୍ଠାନ ହେବ ତାହା ଦେଖିବାକୁ ବାକି ରହିଲା।

ଯୋଗାଣ ବିଭାଗ ଲାଠ୍‌ ଇଣ୍ଡଷ୍ଟ୍ରିଜ୍‌କୁ ଅହେତୁକ ଅନୁକମ୍ପା ଦେଖାଇଥିବା ଅଭିଯୋଗ ହେଲାଣି। ଲାଠ୍‌ ଇଣ୍ଡଷ୍ଟ୍ରିଜ୍‌ ଗତ ଖରିଫ୍‌ ଋତୁରେ ବରଗଡ଼ ଜିଲ୍ଲାରୁ ୨.୬୦ ଲକ୍ଷ କ୍ବିଣ୍ଟାଲ ଏବଂ ଜଗତସିଂହପୁରରୁ ପ୍ରାୟ ୧.୪୦ ଲକ୍ଷ କ୍ବିଣ୍ଟାଲ ଧାନ କଷ୍ଟମ ମିଲିଂ ବାବଦକୁ ପାଇଥିଲା। କିନ୍ତୁ ଜଗତସିଂହପୁରରୁ ପାଇଥିବା ଧାନର ଚାଉଳ ଏଯାଏଁ ଏଠା‌ରୁ ପଠାଯାଇ ନାହିଁ। ଚାଉଳ ନପଠାଇବା ସତ୍ତ୍ବେ ଲାଠ୍‌ ମିଲର୍ସକୁ ଏଥର ରବି ଧାନ କିଣାରେ କାହିଁକି ସାମିଲ କରାଗଲା ବୋଲି ପ୍ରଶ୍ନ ଉଠୁଛି। ଦ୍ବିତୀୟତଃ, ଲାଠ୍‌ ମିଲର୍ସ ସହିତ ଜିଲ୍ଲାର ୨୦ରୁ ଅଧିକ ମିଲର୍ସ ଜଗତସିଂହପୁରର ଧାନ କଷ୍ଟମ ମିଲିଂ ବାବଦକୁ ପାଇଥିଲେ। କିନ୍ତୁ ଗତ ୧୧ ତାରିଖ ରାଜ୍ୟ ଯୋଗାଣ ନିଗମ ପକ୍ଷରୁ ଚିଠି ନମ୍ବର ୬୭୭୫ ଅନୁସାରେ ଧାନ ପରିବହନ ବାବଦକୁ କେବଳ ଲାଠ୍‌ ଇଣ୍ଡଷ୍ଟ୍ରିଜ୍‌କୁ ୧,୦୭,୩୮,୯୦୬ ଟଙ୍କା ମଂଜୁର କରାଯାଇଛି। ଏଠାରେ ପ୍ରଶ୍ନ ଉଠୁଛି ଯେ ନିଜ କୋଟାର ଧାନ କଷ୍ଟମ ମିଲିଂ କରିନଥିବା ଲାଠ୍‌ ଇଣ୍ଡଷ୍ଟ୍ରିଜ୍‌ ପାଇଁ ଜିଲ୍ଲା ଯୋଗାଣ ବିଭାଗ ପତ୍ର ଲେଖି ନିଗମକୁ ଟଙ୍କା ଦେବାକୁ ଅନୁରୋଧ କଲା କାହିଁକି? କାରଣ ଜିଲ୍ଲା ଯୋଗାଣ ବିଭାଗର ପତ୍ର ଆଧାରରେ ହିଁ ନିଗମ କୋଟିଏ ଟଙ୍କା ମଂଜୁର କରିଛି। ମାମଲାର ତଦନ୍ତ ଆଗକୁ ବଢ଼ିଲେ ବଡ଼ ମୁଣ୍ଡ ଗଡ଼ିବା ଆଶଂକା ରହିଛି।

ସମ୍ବନ୍ଧିତ ଖବର