କରୋନା କଟକଣା ବଢ଼ାଇଛି ଧା‌ନ ବିକ୍ରି ଚିନ୍ତା, ଧାନବସ୍ତା ରଖି ମାଧପୁର ମୁଖ୍ୟରାସ୍ତା ଅବରୋଧ

ଛତ୍ରପୁର: ସାରା ଦେଶରେ କରୋନା ପାଇଁ ଲକ୍‌ଡାଉନ୍ ଚାଲିଥିବାବଳେ ଛତ୍ରପୁର ବ୍ଲକ୍‌ ମାଧପୁର ଅଞ୍ଚଳରେ ଦେଖାଦେଇଛି ଚାଷୀଙ୍କ ମଧ୍ୟରେ ଅସନ୍ତୋଷ। ସରକାରଙ୍କୁ ଧାନ ବିକ୍ରି କରି ପାରି ନ ଥିବା ଶହ ଶହ ଚାଷୀ ଆଜି ଲକ୍‌ଡାଉନ୍ କଟକଣାକୁ ବେଖାତିର କରି ମାଧପୁର ମୁଖ୍ୟରାସ୍ତାରେ ଧାନବସ୍ତା ରଖି ଅବରୋଧ କରିଛନ୍ତି। ସରକାର ତୁରନ୍ତ ଧାନ କିଣିବାକୁ ଚାଷୀମାନେ ଦାବି କରିଛନ୍ତି। ଗଞ୍ଜାମ ଜିଲ୍ଲାରେ ସରକାରଙ୍କ ପକ୍ଷରୁ ଧାନ କିଣା ଶେଷ ହୋଇଯାଇଛି। ଟୋକନ୍‌ ଥାଇ ଚାଷୀ ଧାନ ବିକ୍ରି କରି ପାରିନାହାନ୍ତି। ‌ଶେଷରେ ଟୋକନ୍ ଗୁଡିକର ଅବଧି ମଧ୍ୟ ଶେଷ ହୋଇଛି। ଯଦ୍ବାରା ଜିଲ୍ଲାର ହଜାର ହଜାର ଚାଷୀ ଧାନ ବିକ୍ରି କରିପାରି ନାହାନ୍ତି। ଲକ୍‌ଡାଉନ୍‌ ଘୋଷଣା ହେବା ପରେ ଚାଷୀଙ୍କ ସ୍ଥିତି ଆହୁରି ବିଗିଡ଼ିଯାଇଛି। ଆଉ ଗତ ୨୫ ତାରିଖଠାରୁ ଚାଷୀଙ୍କ ଧାନ କିଣା ଅ ଘୋଷିତ ଭାବେ ବନ୍ଦ ହୋଇଯାଇଛି। ଛତ୍ରପୁର ବ୍ଲକ ମାଧପୁର ଅଞ୍ଚଳ ଶହ ଶହ ଚାଷୀ ଧାନ ବିକ୍ରି କରି ନ ପାରି ସମସ୍ୟାରେ ରହିଛନ୍ତି। ଆଜି ଛତ୍ରପୁର ବ୍ଲକ୍‌ ମାଧପୁର ଗ୍ରାମର ବହୁ ସଂଖ୍ୟକ ଚାଷୀ ଧାନବସ୍ତା ଗୁଡିକୁ ମାଧପୁର ମୁଖ୍ୟରାସ୍ତା ଉପରେ ରଖି ଅବରୋଧ କରିଥିଲେ। ସୂଚନା ପାଇ ଛତ୍ରପୁର ଥାନା ପୁଲିସ ଓ ତହସିଲଦାର ନୀଳମାଧବ ଭୋଇ ପହଞ୍ଚି ଚାଷୀଙ୍କୁ ବୁଝାସୁଝା କରିଥିଲେ। ଲକ୍‌ଡାଉନ୍ ଘୋଷଣା ପ୍ରତ୍ୟାହାର ପରେ ଚାଷୀଙ୍କ ଧାନ କିଣାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ଏବଂ ଏଭଳି ବିପତ୍ତି ସମୟରେ ରାସ୍ତାରୋକ କରି ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନ ନ କରିବା ଲାଗି ଅଧିକାରୀମାନେ ଚାଷୀଙ୍କୁ ବୁଝାଇଥିଲେ। ଏହାପରେ ଚାଷୀମାନେ ରାସ୍ତା ଅବରୋଧ ପ୍ରତ୍ୟାହାର କରିଥିଲେ।

ସମ୍ବନ୍ଧିତ ଖବର