ରାଜ୍ୟରେ ଶିକ୍ଷା ଅଧିକାର ଆଇନ୍‌ ଫେଲ୍‌

୯ ବର୍ଷ ବିତିଲାଣି, ଭିତ୍ତିଭୂମି ସାତସପନ
ଏବର୍ଷଠାରୁ ସରକାର ବାଣ୍ଟିବେ ମାଗଣା ଜୋତା: ସଚିବ

ଭୁବନେଶ୍ୱର : ଶିକ୍ଷା ଅଧିକାର ଆଇନକୁ ୯ ବର୍ଷ ପୂରିଲାଣି। ତଥାପି ଆଜି ପର୍ଯ୍ୟନ୍ତ ରାଜ୍ୟରେ ଏହା ସଠିକ୍‌ ଭାବେ କାର୍ଯ୍ୟକାରୀ ହୋଇନାହିଁ। କେଉଁଠି ବିଦ୍ୟାଳୟର ଭିତ୍ତିଭୂମି ଭୁଶୁଡ଼ି ପଡ଼ିଛି ତ ଆଉ କେଉଁଠି ଶିକ୍ଷାଦାନ ଲାଗି ପର୍ଯ୍ୟାପ୍ତ ଶିକ୍ଷକ ନାହାନ୍ତି। ଏମିତି ବି ବିଦ୍ୟାଳୟ ରହିଛି ଯେଉଁଠି ଜଣେ ଶିକ୍ଷକରେ ପାଠପଢ଼ା ଚାଲିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଏହି ଆଇନ୍‌ର କାର୍ଯ୍ୟକାରିତାରେ ଭିତ୍ତିଭୂମୀ କ୍ଷେତ୍ରରେ ଯେଉଁଭଳି ସୁଧାର ଆସିବା କଥା ତାହା ଆସିନାହିଁ।

ଶିକ୍ଷା ଅଧିକାର ଆଇନ ଅନୁଯାୟୀ, ବିଦ୍ୟାଳୟର ପ୍ରଥମରୁ ୫ମ ଶ୍ରେଣୀ ପର୍ଯ୍ୟନ୍ତ ୬୦ ଜଣ ଛାତ୍ରଛାତ୍ରୀଙ୍କ ଲାଗି ଦୁଇ ଜଣ ଶିକ୍ଷକ, ୯୦ ପିଲାଙ୍କ ଯାଏ ୩ ଜଣ, ୧୨୦ ପିଲାଙ୍କ ପର୍ଯ୍ୟନ୍ତ ୪ ଜଣ, ୨୦୦ ଛାତ୍ରଛାତ୍ରୀଙ୍କ ଲାଗି ୫ ଜଣ ଶିକ୍ଷକ ରହିବେ। ୧୫୦ରୁ ଅଧିକ ପିଲାଙ୍କ ଲାଗି ୫ ଜଣ ଶିକ୍ଷକଙ୍କ ସହ ଜଣେ ପ୍ରଧାନଶିକ୍ଷକ ରହିବା ବାଧ୍ୟତାମୂଳକ। ଷଷ୍ଠରୁ ୮ମ ଶ୍ରେଣୀ ପର୍ଯ୍ୟନ୍ତ ପ୍ରତି ଶ୍ରେଣୀ ଲାଗି ଜଣେ ଲେଖାଏ ଶିକ୍ଷକ ରହିବାକୁ ଶିକ୍ଷା ଅଧିକାର ଆଇନରେ ଉଲ୍ଲେଖ କରାଯାଇଛି। ୩୦ ଜଣ ପିଲାଙ୍କ ଲାଗି ଜଣେ ଶିକ୍ଷକ ରହିବାର ନିୟମ ରହିଛି। ଗତ ଶିକ୍ଷାବର୍ଷ ସୁଦ୍ଧା ଛାତ୍ର-ଶିକ୍ଷକ ଅନୁପାତ ରାଜ୍ୟରେ ଠିକ୍‌ ନ ଥିଲା। ତେବେ, ଚଳିତ ଶିକ୍ଷାବର୍ଷରୁ ଏଥିରେ ପରିବର୍ତନ ଆଣିବାକୁ ସରକାର ଅଣ୍ଟା ଭିଡ଼ିଛନ୍ତି।

ସେହିଭଳି, ଭିତ୍ତିଭୂମିରେ ମଧ୍ୟ ସୁଧାର ଆସିନାହିଁ। ବିଦ୍ୟାଳୟରେ ପ୍ରତ୍ୟେକ ଶିକ୍ଷକଙ୍କ ପାଇଁ ଅନ୍ୟୂନ ଗୋଟିଏ ଶ୍ରେଣୀ କକ୍ଷ, କାର୍ଯ୍ୟାଳୟ, ପ୍ରଧାନଶିକ୍ଷକଙ୍କ କୋଠରୀ ରହିବା ଜରୁରୀ। ନିର୍ବିଘ୍ନ ଯାତାୟାତର ବ୍ୟବସ୍ଥା, ପୁଅ ଓ ଝିଅଙ୍କ ଲାଗି ପୃଥକ ଶୌଚାଳୟ, ପ୍ରତ୍ୟେକ ଶିକ୍ଷକଙ୍କ ପାଇଁ ଯଥେଷ୍ଟ ଓ ନିରାପଦ ପାନୀୟ ଜଳ ସୁବିଧା, ମଧ୍ୟାହ୍ନଭୋଜନ ରନ୍ଧା ହେଉଥିଲେ ଗୋଟିଏ ରୋଷେଇ ଘର, ଖେଳ ପଡ଼ିଆ, ପାଚେରୀ ରହିବା ନିତାନ୍ତ ଆବଶ୍ୟକ। କିନ୍ତୁ ଏପର୍ଯ୍ୟନ୍ତ ଭିତ୍ତିଭୂମି ସମ୍ପୂର୍ଣ୍ଣ ହୋଇପାରି ନାହିଁ। ୪୦ ହଜାରରୁ ଅଧିକ ବିଦ୍ୟାଳୟରେ ଖେଳପଡ଼ିଆ ନାହିଁ। ସବୁ ବିଦ୍ୟାଳୟରେ ପୁଅ ଓ ଝିଅଙ୍କ ଲାଗି ଅଲଗା ଶୌଚାଳୟ ହୋଇପାରିନି। ଏବେ ବି ଅଧିକାଂଶ ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ରୋଷେଇ ଘର ନିର୍ମାଣ କାର୍ଯ୍ୟ ଜାରି ରହିଛି। ୭୦ ପ୍ରତିଶତ ପ୍ରାଥମିକ ବିଦ୍ୟାଳୟରେ ଆଜି ଯାଏ ପାଚେରି ହୋଇପାରି ନ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ମିଳିଛି।

ପ୍ରାଥମିକ ଶିକ୍ଷାର ଭିତ୍ତିଭୂମିକୁ ନେଇ ରାଜ୍ୟ ସରକାର ବାରମ୍ବାର ସମାଲୋଚନା ଶିକାର ହୋଇଥିଲେ ମଧ୍ୟ ସ୍ଥିତିରେ ସେଭଳି ସୁଧାର ଆସି ପାରିନି। ଶିକ୍ଷା ଅଧିକାର କର୍ମୀ ଅନିଲ୍‌ ପ୍ରଧାନଙ୍କ ଅଭିଯୋଗ ଅନୁଯାୟୀ ବିଦ୍ୟାଳୟ କୋଠା, ଶ୍ରେଣୀଗୃହ, ଛାତ୍ର-ଶିକ୍ଷକ ଅନୁପାତ, ପିଇବା ପାଣି, ଲାଇବ୍ରେରି, ଖେଳ ପଡ଼ିଆ ରହିବାକୁ ବାଧ୍ୟତାମୂଳକ କରାଯାଇଛି। ହେଲେ ଆଇନକୁ ୯ ବର୍ଷ ବିତିଯାଇଥିଲେ ମଧ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ଦେଉନାହାନ୍ତି।

ଅବସରପ୍ରାପ୍ତ ଶିକ୍ଷକ ପୂର୍ଣ୍ଣଚନ୍ଦ୍ର ମହାନ୍ତିଙ୍କ କହିବାନୁଯାୟୀ ଶିକ୍ଷା ଅଧିକାର ଆଇନ ଆସିବା ପରେ ସରକାରଙ୍କୁ ୫ ବର୍ଷିଆ ଯୋଜନା କରିବାର ଥିଲା। ପୁରୁଣା ସମୟର ପରିଚାଳନା ପ୍ରକ୍ରିୟାରେ ଏବେ ବି ଜାରି ରହିଛି ଶିକ୍ଷାଦାନ। ତାହାକୁ ବି ଠିକ୍‌ ଭାବେ ତଦାରଖ କରାଯାଉ ନାହିଁ। ଗଣଶିକ୍ଷା ବିଭାଗ ସଚିବ ବାରମ୍ବାର ବଦଳୁ ଥିବାରୁ ନିୟମ ମଧ୍ୟ ବଦଳୁଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।

ଅନ୍ୟପକ୍ଷରେ, ଶିକ୍ଷା ଅଧିକାର ଆଇନକୁ କାର୍ଯ୍ୟକାରୀ କରାଯାଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ ମହାପାତ୍ର କହିଛନ୍ତି। ସେ କହିଛନ୍ତି ଯେ, ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ପିଲାଙ୍କୁ ମାଗଣା ପାଠ୍ୟପୁସ୍ତକ ଯୋଗାଇ ଦିଆଯାଉଛି। ଏବେ ଓଡ଼ିଶାର ୨୩ ଜଣ ଛାତ୍ରଛାତ୍ରୀଙ୍କ ଲାଗି ଜଣେ ଶିକ୍ଷକ ରହିଛନ୍ତି। ଯାହାକି ଅନ୍ୟ କୌଣସି ରାଜ୍ୟରେ ନାହିଁ। ଯେଉଁ ବିଦ୍ୟାଳୟରେ ଜଣେ ଲେଖାଏ ଶିକ୍ଷକ ରହିଥିଲେ ସେଠାରେ ଏବେ ଅଧିକ ନିଯୁକ୍ତି କରାଯିବ। ଏଥିପାଇଁ ନୂଆ କରି ୧୪,୮୦୭ ଜଣ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ସରକାରୀ ବିଦ୍ୟାଳୟ ପ୍ରତି ପିଲାଙ୍କୁ ଆକୃଷ୍ଟ କରିବା ଲାଗି ୨୦୧୮-୧୯ ଶିକ୍ଷାବର୍ଷରୁ ପ୍ରତି ଛାତ୍ରଛାତ୍ରୀଙ୍କୁ ମାଗଣା ଜୋତା ଯୋଗାଇ ଦିଆଯିବ। ଏଥିପାଇଁ ବଜେଟ୍‌ରେ ୧୦୩ କୋଟିର ବ୍ୟବସ୍ଥା ହୋଇଛି। ସ୍କୁଲ ବାହାରେ ଯେପରି ପିଲା ନ ରହିବେ ସେଥିପାଇଁ ଅଭିଭାବକଙ୍କୁ ସଚେତନ କରାଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର