ଅନୁଗୁଳ/ବନ୍ତଳା : ସୁଦୂର ମଧ୍ୟପ୍ରଦେଶରୁ ମହାବଳ ବାଘ, ବାଘୁଣୀଙ୍କୁ ଆଣିବା ଯେତିକି କଷ୍ଟଥିଲା, ତା’ଠାରୁ ବଡ଼ ଚିନ୍ତା ଦାୟକ ହୋଇଛି ସେମାନଙ୍କ ସୁରକ୍ଷା। ଅତି ବେଶିରେ ସପ୍ତାହକ ମଧ୍ୟରେ ବାଘ, ବାଘୁଣୀଙ୍କୁ ଏନ୍କ୍ଲୋଜରରୁ ଛାଡ଼ି ଦେବାକୁ ଓ୍ଵାଇଲ୍ଡ଼ ଲାଇଫ୍ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆର ବିଶେଷଜ୍ଞ ଚିନ୍ତା କରୁଛନ୍ତି। ପ୍ରଥମେ ଯୁବ ମହାବଳକୁ ଛଡ଼ା ଯିବାକୁ ଥିବା ବେଳେ ତା’ ପରେ ବାଘୁଣୀ ସୁନ୍ଦରୀକୁ ମୁକ୍ତ କରାଯିବ। ଏତେ ବଡ଼ ଜଙ୍ଗଲରେ ବାଘ, ବାଘୁଣୀ କୁଆଡ଼େ ଯିବେ, କେଉଁ ଅଞ୍ଚଳକୁ ନିଜର ଘର କରିବେ, କାଳେ କ’ଣ ବିପଦ ମାଡ଼ି ଆସିବ ସେଥିପାଇଁ କଡ଼ା ସୁରକ୍ଷା ବନ୍ଦୋବସ୍ତ ହୋଇଛି। ବାଘ ମୁକୁଳିବା ପୂର୍ବରୁ ଏବେ ଜଙ୍ଗଲରେ ରିହର୍ସାଲ୍ ଜୋର୍ଦାର୍ ଚାଲିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂତ୍ର ମୁତାବକ, ଟ୍ରାଙ୍କୁଲାଇଜିଂ ସମୟରେ ବାଘ, ବାଘୁଣୀଙ୍କ ବେକରେ ଯେଉଁ କଳା ରଙ୍ଗର ରେଡ଼ିଓ କଲର ଖଞ୍ଜା ଯାଇଛି, ତା’ ଦ୍ୱାରା ମହାକାଶରୁ ସେମାନଙ୍କ ଉପରେ ନଜର ରଖାଯିବ। ଜଙ୍ଗଲରେ ବି ଉଭୟ ଜନ୍ତୁଙ୍କୁ ୨୪ଘଣ୍ଟିଆ ସୁରକ୍ଷା ଦିଆଯିବ। ମହାବଳଙ୍କୁ ଗୋଡ଼େ ଗୋଡ଼େ ଜଗିବା ପାଇଁ ତିନୋଟି ସ୍ୱତନ୍ତ୍ର ଟିମ୍ ଗଢ଼ାଯାଇଛି। ପ୍ରତି ଟିମ୍ ୮ଘଣ୍ଟା ଜଗିବେ। ବନ କର୍ମଚାରୀମାନେ ମହାବଳକୁ ଘଞ୍ଚ ଜଙ୍ଗଲରେ ଠାବ କରିବା ପାଇଁ ପ୍ରତ୍ୟେକ ଟିମ୍ ହାତରେ ଗୋଟିଏ ଗୋଟିଏ ଆଣ୍ଟିନା ଯୋଗାଇ ଦିଆଯିବ। ସାଟେଲାଇଟ୍ ସହିତ ଆଣ୍ଟିନାକୁ ଯୋଡ଼ା ଯିବ। ଏହି ଆଣ୍ଟିନା ଜରିଆରେ ହିଁ ମହାବଳର ସିଗ୍ନାଲ ବନ କର୍ମଚାରୀଙ୍କୁ ମିଳି ପାରିବ ବୋଲି ଜଣେ ବରିଷ୍ଠ ବନ କର୍ମଚାରୀ କହିଛନ୍ତି। କଣ୍ଟ୍ରୋଲ୍ ରୁମ୍କୁ ସୂଚନା ଦେବା ପାଇଁ ପ୍ରତ୍ୟେକ ଟିମ୍କୁ ଭିଏଚ୍ଏଫ୍ ମଧ୍ୟ ଯୋଗାଇ ଦିଆଯିବ। ମହାବଳ ଯେଉଁ ଇଲାକାରେ ରହିବ, ଠିକ୍ ତା’ର ୩/୪କିଲୋମିଟର ଦୂରରେ ବନ କର୍ମଚାରୀମାନେ ରହି ତୀକ୍ଷ୍ମ ନଜର ରଖିବେ ବୋଲି ଜଣାପଡ଼ିଛି।
ଅନ୍ୟପକ୍ଷରେ ଯୁବ ମହାବଳ ଏନ୍କ୍ଲୋଜର ମଧ୍ୟରେ ଆଜି ଶିକାର କରି ନ ଥିବା ବେଳେ ବାଘୁଣୀ ସୁନ୍ଦରୀ ଦ୍ୱିତୀୟ ଶିକାର କରି ଖାଇଥିବା ଜଣାପଡ଼ିଛି।