୨୩ ଯାଏ ବଢ଼ିବ ତାପମାତ୍ରା

ଭୁବନେଶ୍ବର : ଆସନ୍ତା ସପ୍ତାହକ ପର୍ଯ୍ୟନ୍ତ ଶୀତ ନାହିଁ। ଦିନର ତାପମାତ୍ରା ବଢ଼ିବ। ଏଥିସହ ରାତିର ତାପମାତ୍ରା‌ ବି ୪ରୁ ୫ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ୨୩ ତାରିଖ ‌ବେଳକୁ ଅଧିକାଂଶ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଟପିଯିବ। ଉପକୂଳ, ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାରେ ଏଭଳି ସ୍ଥିତି ଲାଗି ରହିବ। ଏହାପରେ ପଶ୍ଚିମା ବାୟୁ ପ୍ରବାହରେ ଉତ୍ତର ପଶ୍ଚିମ ଓଡ଼ିଶାରେ କୁଆପଥର ବର୍ଷା ହେବାର ଆଶଙ୍କା ରହିଛି। ଏହାଦ୍ବାରା ରାତିର ତାପମାତ୍ରା କିଛି ପରିମାଣରେ ହ୍ରାସ ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ଅନ୍ୟପକ୍ଷରେ ଆଜି ସକାଳୁ ଓଡ଼ିଶାର କୌଣସି ବି ସ୍ଥାନରେ ବର୍ଷା ହୋଇନାହିଁ। ଉପକୂଳ ଓଡ଼ିଶା ସମେତ କେତେକ ସ୍ଥାନରେ ପାଗ କୋହଲା ରହିଥିଲା। ପଶ୍ଚିମ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ଦିନର ତାପମାତ୍ରା ପୁଣିଥରେ ୩୦ ଡିଗ୍ରି ଟପି ଯାଇଛି। ମାଲକାନଗିରିରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୩୨.୫ ଡିଗ୍ରି ରେକର୍ଡ ହୋଇଛି। ସର୍ବନିମ୍ନ ତାପମାତ୍ରା ବି ବଢ଼ିଛି। ଗୋପାଳପୁର, ପାରାଦୀପ ଓ ପୁରୀରେ ସର୍ବନିମ୍ନ ତାପମାତ୍ରା ୨୦ ଡିଗ୍ରି ଟପିଥିବା ପାଣିପାଗ କେନ୍ଦ୍ର ସୂଚନା ଦେଇଛି।

ସମ୍ବନ୍ଧିତ ଖବର