ରଶିରେ ଓହଳି ନଦୀ ପାର୍‌, ଛିଣ୍ଡି ଯିବାରୁ ୬ ମହିଳା ଭାସିଗଲେ

 ସାହସିକତା ଦେଖାଇ ଉଦ୍ଧାର କଲେ ତିନି ଯୁବକ

ଦାରିଙ୍ଗବାଡ଼ି: ଦିନେ କି ଦୁଇ ଦିନ ନୁହଁ, ବର୍ଷ ବର୍ଷ ଧରି ନଦୀ ଉପରେ ବନ୍ଧାଯାଇଥିବା ରଶିି ସେମାନଙ୍କ ଜୀବନରେଖା ପାଲଟିଥିଲା। ସବୁଦିନ ଭଳି ଆଜି ନଦୀ ପାର ହେଉ ଥିଲେ ଛଅ ମହିଳା। ହେଲେ ଦୁଇ ମୁଣ୍ଡକୁ ବନ୍ଧା ହୋଇଥିବା ରଶି ହଠାତ୍‌ ଛିିଣ୍ଡି ଯାଇଥିଲା। ଆଉ ନଦୀରେ ବର୍ଷାଜଳ ଜୋରରେ ପ୍ରବାହିତ ହେଉଥିବାରୁ ଦୁଇ ଗର୍ଭବତୀ ମହିଳାଙ୍କ ସମେତ ୬ଜଣ ମହିଳା ଭାସି ଯାଇଥିଲେ।  ତେବେ ନିକଟରେ ଉପସ୍ଥିତ ଥିବା ତିନି ଜଣ ଯୁବକ ଅଦ୍ୟମ ସାହସିକତା ଦେଖାଇ ୬ଜଣ ମହିଳାଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ କିରିକୁଟି ଗ୍ରାମ ପଞ୍ଚାୟତ ବୁରାଙ୍ଗିଆ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ପ୍ରତିଦିନ ଭଳି ଆଜି ସକାଳେ ପରିବାରର ଅତ୍ୟାବଶ୍ୟକ ସାମଗ୍ରୀ କିଣିବା ପାଇଁ ବୁରାଙ୍ଗିଆର ସେରିନ୍ଦ୍ରି ଅମାୟତ (୬୦), ବିଳାସିନି ପ୍ରଧାନ(୫୦), ତିଳୋତମା ବିନ୍ଧାଣି (୪୦), ଶ୍ରୀମତି ଅମାୟତ (୩୦) ଓ ଦୁଇଜଣ ଗର୍ଭବତୀ ମହିଳା ସରସ୍ୱତୀ ଅମାୟତ (୩୦), ପାର୍ବତୀ ଅମାୟତ(୨୫) ଖଡ଼ଗନଦୀରେ ଦୁଇ କୂଳରେ ବନ୍ଧା ହୋଇଥିବା ରଶିକୁ ହାତରେ ଧରି ନଦୀ ପାର ହେଉ ଥିଲେ। ହଠାତ୍‌ ରଶିଟି ଛିଣ୍ଡି ଯିବାରୁ ସମସ୍ତେ ନଦୀଗର୍ଭକୁ ଖସି ପଡ଼ି ଚିତ୍କାର କରିଥିଲେ।

ଏହି ସମୟରେ କୂଳ ଆରପାଖରେ ଗ୍ରାମକୁ ଆସିବା ପାଇଁ ଅପେକ୍ଷା କରିଥିବା ତିନି ଯୁବକ ସୁରଥ ମଳିକ, ରମେଶ ପ୍ରଧାନ ଓ ବସନ୍ତ ଅମାୟତ ଉପସ୍ଥିତ ବୁଦ୍ଧି ଖଟାଇ ନଦୀକୁ ଡେଇଁ ୬ଜଣ ମହିଳାଙ୍କୁ ଉଦ୍ଧାର କରିଥିଲେ। ସମସ୍ତଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର