୨୦ଟି ସ୍ଥାନରେ ଆର୍‌ଏମ୍‌ସି ଖୋଲିଲା ଜଳଛତ୍ର

ରାଉରକେଲା: ଡହ ଡହ ଖରାରେ ପାଣିଟୋପେ ପାଇଁ ପଥଚାରୀମାନେ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେଉଥିଲେ। କରୋନା ମୁକାବିଲାରେ ବ୍ୟସ୍ତ ଥିବା ଜିଲ୍ଲା ପ୍ରଶାସନ ପ୍ରତିବର୍ଷ ପରି ଚଳିତ ଥର ଜଳ ଛତ୍ର ଖୋଲିବାକୁ ଭୁଲି ଯାଇଥିଲା। ସଂକ୍ରାନ୍ତୀୟ ଖବର ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ରାଉରକେଲା ମହାନିଗର ନିଗମ (ଆର୍‌ଏମ୍‌ସି) ତତ୍ପର ହୋଇଛି। ସହରର ପ୍ରମୁଖ ଛକ, ଜନଗହଳିପୂର୍ଣ୍ଣ ସ୍ଥାନରେ ଜଳଛତ୍ର ଖୋଲିବାକୁ ଆଜିଠୁ ଅସ୍ଥାୟୀ ସେଡ୍‌ ନିର୍ମାଣ କାମ ଆରମ୍ଭ ହୋଇଛି। ଆସନ୍ତାକାଲି (ଗୁରୁବାର) କିମ୍ବା ତା’ର ଦିନ ପର୍ଯ୍ୟାୟକ୍ରମେ ଜଳଛତ୍ର ଖୋଲାଯିବ। ସହରର ଏମତି ଭାବେ ୨୦ଟି ସ୍ଥାନରେ ଜଳ ଛତ୍ର ଖୋଲିବ ବୋଲି ଆର୍‌ଏମ୍‌ସି ପକ୍ଷରୁ କୁହାଯାଇଛି।

ପ୍ରମୁଖ ସ୍ଥାନଗୁଡ଼ିକ ମଧ୍ୟରେ ରହିଛି ରାଉରକେଲା ମହାନଗର ନିଗମ (ଆର୍‌ଏମ୍‌ସି) ଅଫିସ ସମ୍ମୁଖ, ରିଙ୍ଗ ରୋଡଛକ, ରାଉରକେଲା ସରକାରୀ ହସ୍ପିଟାଲ (ଆର୍‌ଜିଏଚ୍‌), ପୋନାପ‌ୋଷ ଗାନ୍ଧି ଛକ, ଆଇଟିଆଇ, ଏସ୍‌ଟିଆଇ, ରାଉରକେଲା ଏସ୍‌ପି ଅଫିସ୍‌, ପୁରୁଣା ଟ୍ୟାକ୍ସି ଷ୍ଟାଣ୍ଡ, ଝିରପାଣି ଥାନା ନିକଟ, ବିଏସ୍ଏନ୍‌ଏଲ୍‌ ଛକ, କଳିଙ୍ଗ ବିହାର ହନୁମାନ ମନ୍ଦିର ଛକ ଜଳ ଛତ୍ର ଖୋଲିବ। ଏଥିସହ ବାସନ୍ତି କଲୋନି ଡିଏଲ୍‌ ଛକ, ବେଦବ୍ୟାସ ଦଣ୍ଡିଆପାଲି, ଟ୍ରାଫିକ୍‌ ଗେଟ୍‌, ପାୱାର ହାଉସ୍‌ରୋଡ, ନୂଆବସ୍‌ ଟର୍ମିନାଲ, ଶକ୍ତିନଗର ଛକ, ଦେଓଗାଁ ଛକ, ସାରନଗରୀ ନବକୃଷ୍ଣନଗର ଆଦି ପ୍ରମୁଖ ଛକରେ ଖୋଲିବାକୁ ଥିବା ଜଳଛତ୍ରରେ ଆର୍‌ଏମ୍‌ସି ଜଣେ ଲେଖାଏଁ ଲୋକଙ୍କୁ ଅସ୍ଥାୟୀ ଭାବେ ନିଯୁକ୍ତି କରିବ ବୋଲି ଜଣାପଡିଛି। ଇସ୍ପାତ ସହରା୍ଞ୍ଚଳ ପାଇଁ ରାଉରକେଲା ଇସ୍ପାତ କାରଖାନା (ଆର୍‌ଏସ୍‌ପି ) ପକ୍ଷରୁ ଏଯାଏଁ ସେମିତି କୌଣସି ପଦକ୍ଷେପ ନିଆ ଯାଇ ନଥିବା ଜଣାପଡିଛି। ସେହିପରି ପ୍ରତିବର୍ଷ ସହରର କେତେକ ପ୍ରମୁଖ ସଙ୍ଗଠନ ଗୁଡ଼ିକ ମଧ୍ୟ ଚୁପ୍‌ ବସିଛନ୍ତି।

ଅନ୍ୟପଟେ ଅସହ୍ୟ ତାତି ସହରର ଜନ ଜୀବନକୁ ଅସ୍ତବ୍ୟସ୍ତ କରି ପକାଇଛି। ସକାଳ ୮ଟାରୁ ସଂଧ୍ୟା ପର୍ଯ୍ୟନ୍ତ ତାପମାତ୍ରା କମିବାର ନା ନେଉନି। ଲକ୍‌ଡାଉନ୍‌ର ଦୁଇ ମାସରେ କଟକଣା କୋହଳ ହେବା ପରେ ମେହନତି ମଣିଷ ରୋଜଗାର ପାଇଁ ପଦାକୁ ବାହାରିଛନ୍ତି। କିନ୍ତୁ ଏମାନଙ୍କ ପାଇଁ ଦାଉ ସାଜିଛି ଅସହ୍ୟ ତାତି। ଦିନ ମଜୁରିଆ, ଶ୍ରମିକ, ରାସ୍ତାଘାଟର ଦୋକାନତାତିରୁ ତ୍ରାହି ପାଇବାକୁ ଗଛମୂଳ ଆଶ୍ରୟ ନେଉଥିବା ଦେଖିବାକୁ ମିଳୁଛି। ଶୋଷ ମେଣ୍ଟାଇବାକୁ ସହରର ପ୍ରମୁଖ ଛକରେ ଲାଗିଥିବା ପଇଡ, ଆଖୁ, ତରଭୁଜ, ଜୁସ୍‌ ,ଲସି ଦୋକାନୀ, ସରବତ ଆଦି ଦୋକାନରେ ଲୋକଙ୍କ ବେଶ୍‌ ଭିଡ ଜମୁଛି। କରୋନା ମାଡରେ ବେପାର ବଦଳାଇଥିବା ଛୋଟ ଛୋଟ ବେପାରୀଙ୍କ ପାଇଁ ତାତି ସେମାନଙ୍କ ସମସ୍ୟାକୁ ଦ୍ବିଗୁଣିତ କରିଛି। ପ୍ରତିବର୍ଷ ଅକ୍ଷୟ ତୃତୀୟାରେ ସହରରେ ଆର୍‌ଏମ୍‌ସି ସହ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପ୍ରମୁଖ ଛକ ଓ ଜନଗହଳିପୂର୍ଣ୍ଣ ସ୍ଥାନରେ ଜଳ ଛତ୍ର ଖୋଲାଯାଇଥାଏ। କରୋନା ପାଇଁ ଜିଲ୍ଲା ପ୍ରଶାସନ ସମେତ ଅନ୍ୟମାନେ ଜଳଛତ୍ର ଖୋଲିବାକୁ ଭୁଲି ଯାଇଥିଲେ।

ସମ୍ବନ୍ଧିତ ଖବର