କମିବା ବଦଳରେ ବଢ଼ିଲା ଦୁର୍ଘଟଣା ସଂଖ୍ୟା

ଖୋର୍ଧା ଜିଲ୍ଲା ସର୍ବାଧିକ ଦୁର୍ଘଟଣାପ୍ରବଣ

ଦୁଇଚକିଆ ଯାନରେ ଘଟୁଛି ୩୫ ପ୍ରତିଶତ ଦୁର୍ଘଟଣା

ଭୁବନେଶ୍ୱର : ସଡ଼କ ସୁରକ୍ଷା କମିଟିର ସୁପାରିସ ଅନୁଯାୟୀ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଦୁର୍ଘଟଣା ହାର ହ୍ରାସ କରାଯିବା କଥା। ସେ ନେଇ ଆବଶ୍ୟକ ସମସ୍ତ ପଦକ୍ଷେପ ନେବାକୁ ଜାତୀୟ ସ୍ତରରେ ଗଠିତ ଏହି ଉଚ୍ଚସ୍ତରୀୟ କମିଟି ନିର୍ଦେଶ ମଧ୍ୟ ଦେଇଛି। କିନ୍ତୁ କମିଟିର ଏଭଳି ନିର୍ଦେଶକୁ ଫୁ କରି ଉଡ଼ାଇ ଦେଇଛି ରାଜ୍ୟର କ୍ରମବର୍ଧିଷ୍ଣୁ ଦୁର୍ଘଟଣା। ବିଶେଷ କରି ଗତ ବର୍ଷ ତୁଳନାରେ ଦୁର୍ଘଟଣା ସଂଖ୍ୟା ବଢ଼ିଛି।

ଆଜି ପରିବହନ ବିଭାଗରେ କୃଷି ଉତ୍ପାଦନ କମିସନର ଗଗନ କୁମାର ଧଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଡ଼କ ସୁରକ୍ଷା ସମୀକ୍ଷା ବୈଠକ ଏଭଳି ସାଂଘାତିକ ସ୍ଥିତି ବୟାନ କରୁଛି। ସୂଚନା ଅନୁଯାୟୀ ୨୦୧୫ ତୁଳନାରେ ୨୦୧୬ରେ ଦୁର୍ଘଟଣାଜନିତ ମୃତ୍ୟୁ ହାର ୩.୭୧ ପ୍ରତିଶତ ବଢ଼ିଥିଲା। ସଡ଼କ ସୁରକ୍ଷା କମିଟିର ନିର୍ଦେଶ ମୁତାବକ ଗତ ବର୍ଷ ତୁଳନାରେ ଚଳିିତ ବର୍ଷ ଦୁର୍ଘଟଣା ଜନିତ ମୃତ୍ୟୁ ହାର ୧୦ ପ୍ରତିଶତ କମ୍‌ କରାଯିବ। କିନ୍ତୁ ପରିସଂଖ୍ୟାନ କହୁଛି ୨୦୧୬ ଜାନୁଆରିରୁ ଜୁନ ମାସ ମଧ୍ୟରେ ୫୫୫୭ଟି ଦୁର୍ଘଟଣା ଘଟିଥିଲା। ସେଥିରେ ୨୩୯୪ଜଣଙ୍କର ମୃତ୍ୟୁ ଘଟିଥିଲା। ୨୦୧୭ ଜାନୁଆରିରୁ ଜୁନ୍‌ ମାସ ଭିତରେ ୫୬୦୭ଟି ଦୁର୍ଘଟଣା ଘଟିଥିବା ବେଳେ ସେଥିରେ ୨୪୪୬ଜଣ ମୃତ୍ୟୁବରଣ କରିଛନ୍ତି। ଗତ ବର୍ଷ ତୁଳନାରେ ଏ ବର୍ଷ ଦୁର୍ଘଟଣା ଜନିତ ମୃତ୍ୟୁ ହାର ୫.୭୧ ପ୍ରତିଶତ ବଢ଼ିଛି।

ବିଭିନ୍ନ ଜିଲ୍ଲାର ଦୁର୍ଘଟଣା ସ୍ଥିତିରୁ ଜଣାଯାଏ ଯେ ଖୋର୍ଧା ଜିଲ୍ଲା ସର୍ବାଧିକ ଦୁର୍ଘଟଣାପ୍ରବଣ। ଗତ ବର୍ଷ ୫୫୬ଟି ଦୁର୍ଘଟଣା ଘଟିଥିବା ବେଳେ ଏ ବର୍ଷ ଘଟିଛି ୫୯୪ଟି ଦୁର୍ଘଟଣା। ଏ କ୍ଷେତ୍ରରେ ମାଲକାନଗିରି ଜିଲ୍ଲା ସବୁଠାରୁ ତଳେ। ଏ ବର୍ଷ ମାତ୍ର ୫ଟି ଦୁର୍ଘଟଣା ଘଟିଛି। ଅନ୍ୟପକ୍ଷରେ ଦୁର୍ଘଟଣାର ମୁଖ୍ୟ କାରଣଗୁଡ଼ିକ ମଧ୍ୟରେ ରହିଛି ମଦ୍ୟପାନଜନିତ ବେପରୁଆ ଗାଡ଼ି ଚାଳନା, ଗାଡ଼ି ଚାଳନା ବେଳେ ମୋବାଇଲ୍‌ରେ କଥା ହେବା, ନିର୍ଧାରିତ ପରିବହନ ସୀମାଠାରୁ ଅଧିକ ସଂଖ୍ୟକ ଯାତ୍ରୀ ପରିବହନ ଆଦି। ସେହିପରି ଦୁଇଚକିଆ ଯାନ ଚଳାଇବା ବେଳେ ହେଲ୍‌ମେଟ୍‌ ନ ପିନ୍ଧିବା ଅନ୍ୟତମ କାରଣ। ସମୁଦାୟ ସଡ଼କ ଦୁର୍ଘଟଣା ମଧ୍ୟରୁ ଦୁଇଚକିଆ ଯାନରେ ଦୁର୍ଘଟଣା ହାର ମୋଟ ଦୁର୍ଘଟଣାର ୩୫ ପ୍ରତିଶତ। ସରକାରୀ ସ୍ତରରେ ଦୁର୍ଘଟଣା ହ୍ରାସ ପାଇଁ ବ୍ଲାକସ୍ପଟ୍‌ ଚିହ୍ନଟ, ଅନଧିକୃତ ଭାବେ ନିର୍ମିତ ହମ୍ପ୍‌ସ ହଟାଇବା, ଜାତୀୟ ରାଜପଥ ମଝିରେ ଏବଂ ଦୁଇକଡ଼ରେ ବାଡ଼ ନିର୍ମାଣ କରିବା ଭଳି ବିଭିନ୍ନ ପଦକ୍ଷେପ ନେବା ଜରରୀ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ପରିବହନ ବିଭାଗ ପ୍ରମୁଖ ସଚିବ ଜି.ଶ୍ରୀନିବାସନ୍‌, ପରିବହନ କମିସନର ମଧୁସୂଦନ ପାଢ଼ୀ, ସ୍ୱତନ୍ତ୍ର ସଚିବ ମନୋଜ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର