ଓଡ଼ିଶାରେ ଦୁର୍ଘଟଣା ଜନିତ ମୃତ୍ୟୁ ୪୨%, ୧୧ଟି ଜିଲ୍ଲା ଆଗରେ

ଭୁବନେଶ୍ୱର: ବର୍ଷ ୨୦୧୭ରେ ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁହାର ୪୨ ପ୍ରତିଶତ ରହିଛି। ଅର୍ଥାତ ପ୍ରତି ୧୦୦ଟି ଦୁର୍ଘଟଣାରେ ୪୨ଜଣଙ୍କର ମୃତ୍ୟୁ ଘଟିଛି। ୨୦୧୬ରେ ସଡ଼କ ଦୁର୍ଘଟଣାରେ ୩୩୦୦ ଲୋକଙ୍କର ମୃତ୍ୟୁ ଘଟିଥିଲା। କେନ୍ଦୁଝର, କୋରାପୁଟ, ବଲାଙ୍ଗୀର, କଳାହାଣ୍ଡି, ଯାଜପୁର, ବାଲେଶ୍ୱର, ମୟୁରଭଞ୍ଜ, କଟକ, ଗଞ୍ଜାମ, ଖୋର୍ଦ୍ଧା ଜିଲ୍ଲାରେ ଦୁର୍ଘଟଣା ଜନିତ ମୃତ୍ୟୁ ଅଧିକ ଘଟୁଛି। ଏହି ସବୁ ଜିଲ୍ଲାମାନଙ୍କରେ ରାସ୍ତା ଦୁର୍ଘଟଣା ମୃତ୍ୟୁ ହାର କମାଇବା ପାଇଁ ସରକାର ଯୋଜନା ପ୍ରସ୍ତୁତ କରି ତାକୁ ଯଥାଶୀଘ୍ର ଲାଗୁ କରିବାକୁ ଯାଉଛନ୍ତି। ନିୟମିତ ରିପୋର୍ଟ ଦେବା ପାଇଁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଜିଲ୍ଲାପାଳ ଓ ଏସ୍‌ପିମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ଅତି ବେଗରେ ଗାଡ଼ି ଚଳାଇବା, ହେଲମେଟ ନ ପିନ୍ଧିବା, ଅସତର୍କ ଭାବେ ଗାଡ଼ି ଚଳାଇବା, ମଦ୍ୟପାନ କରି ଗାଡ଼ି ଚଳାଇବା, ରାସ୍ତା ନିର୍ମାଣ କୌଶଳରେ ତ୍ରୁଟି ଆଦି ଉଚ୍ଚ ଦୁର୍ଘଟଣା ମୃତୁହାରର କାରଣ ବୋଲି ଏକ ସମୀକ୍ଷାରୁ ଜଣାପଡ଼ିଛି। ୧୮ରୁ ୬୦ ବର୍ଷ ବୟସ୍କ ବ୍ୟକ୍ତିମାନେ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଉଛନ୍ତି।

ରାଜ୍ୟ ସଚିବାଳୟ ଠାରେ ବୁଧବାର ଅନୁଷ୍ଠିତ ଭିଡିଓ କନ୍‌ଫେରେନ୍‌ସିଂ ମାଧ୍ୟମରେ ସିଧାସଳଖ ଜିଲ୍ଲାପାଳ ଏବଂ ଏସ୍‌ପିମାନଙ୍କୁ ପାଢ଼ୀ କହିଛନ୍ତି, ରାସ୍ତା ଦୁର୍ଘଟଣା ଏବଂ ଦୁର୍ଘଟଣା ଜନିତ ମୃତ୍ୟୁ ଏକ ଗୁରୁତର ସମସ୍ୟା। ଏହା ଆହତ ବା ମୃତ ବ୍ୟକ୍ତିର ପରିବାର ପାଇଁ ଅପୁରଣୀୟ ଦୁଃଖ ଓ ମାନସିକ ଚାପ ଆଣିଥାଏ। ବହୁ ମୂଲ୍ୟବାନ ଜୀବନ ନଷ୍ଟ ହେବା ସହ ରାଜ୍ୟର ଅର୍ଥନୈତିକ ଅବିବୃଦ୍ଧିରେ ବାଧକ ହୁଏ। ଜିଲ୍ଲାସ୍ତରରେ ପ୍ରତି ମାସରେ ଅତି କମରେ ଥରେ ଲେଖାଏଁ ରାସ୍ତା ନିରାପତ୍ତା କମିଟି ବୈଠକ କରି ଜିଲ୍ଲାରେ ଘଟୁଥିବା ଦୁର୍ଘଟଣାର କାରଣ ଅନୁସନ୍ଧାନ କରିବା ସହ ଆବଶ୍ୟକୀୟ ନରାକରଣ କରିବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ।

ପୁଲିସ ମହାନିର୍ଦ୍ଦେଶକ ଡ. ରାଜେନ୍ଦ୍ର ପ୍ରସାଦ ଶର୍ମା ଏବଂ ପରିବହନ କମିସନର ମଧୁସୂଦନ ପାଢ଼ୀ ଦୁର୍ଘଟଣା ସମ୍ବନ୍ଧିତ ବିଷୟବସ୍ତୁ ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ।

ସମ୍ବନ୍ଧିତ ଖବର