ବସ୍‌ ଧକ୍କାରେ ବଲେରୋ ଚୂର୍‌ମାର୍‌, ୩ ମୃତ

ତୀର୍ଥଯାତ୍ରା ହେଲା ଶେଷଯାତ୍ରା

କିଶୋରନଗର/ବଇଣ୍ଡା : ଜଗନ୍ନାଥଙ୍କ ଦର୍ଶନ ପାଇଁ ଛତିଶଗଡ଼ରୁ ଏକ ବୋଲେରୋ ଗାଡ଼ିରେ ଆସୁଥିବା ଗୋଟିଏ ପରିବାରର କିଛି ସଦସ୍ୟଙ୍କ ପାଇଁ ତୀର୍ଥଯାତ୍ରା ଶେଷଯାତ୍ରାରେ ପରିଣତ ହୋଇଛି। ସମ୍ବଲପୁର-ଅନୁଗୁଳ ଜାତୀୟ ରାଜପଥର କିଶୋରନଗର ଥାନା ଚମ୍ପାପୁରଠାରେ ଗତକାଲି ବିଳମ୍ବିତ ରାତିରେ ବୋଲେରୋ ଓ ଏକ ନାଇଟ୍‌ କୋଚ୍‌ ବସ୍‌ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ବୁର୍ଲା ବଡ଼ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି। ସମସ୍ତେ ଗୋଟିଏ ପରିବାରର ବୋଲି ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁଯାୟୀ, ଛତିଶଗଡ଼ ରାୟଗଡ଼ ଅଞ୍ଚଳର ଗୋଟିଏ ପରିବାରର ୨୨ ଜଣ ସଦସ୍ୟ ଗୁରୁବାର ତିନୋଟିି ଗାଡ଼ି (ଦୁଇଟି ବୋଲେରୋ, ଗୋଟିଏ ଡଷ୍ଟର୍‌)ରେ ତୀର୍ଥ ଭ୍ରମଣରେ ପୁରୀ ବାହାରିଥିଲେ। ଆଗପଛ ହୋଇ ତିନୋଟି ଗାଡ଼ିରେ ପରିବାର ଲୋକ ବେଶ ହସଖୁସିରେ ଆସୁଥିଲେ। ହେଲେ ପରିବାରର ୭ ସଦସ୍ୟଙ୍କୁ ନେଇ ଆସୁଥିବା ଏକ ବୋଲେରୋ (ସିଜି୧୩ସି-୭୦୭୩) ଚମ୍ପାପୁରଠାରେ ବିପରୀତ ଦିଗରୁ ଆସୁଥିବା ଯାଜପୁର-ଝାରସୁଗୁଡ଼ା ବସ୍‌ ‘ସୁଶ୍ରୀ’ (ଓଡ଼ି୧୫ଜି-୦୨୦୦) ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଘଟଣାସ୍ଥଳରେ ଗୋପାଳ ଦେବାଗନ୍‌ (୩୪) ଓ ଅଶୋକ ଦେବାଗନ୍‌ (୩୬) ପ୍ରାଣ ହରାଇଥିବା ବେଳେ ଶିବ ଯାଦବଙ୍କୁ ଗୁରୁତର ଅବସ୍ଥାରେ ରେଢ଼ାଖୋଲ ଡାକ୍ତରଖାନା ନିଆଯିବା ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଆହତ କାଳୀଚରଣ ଆଦିତ୍ୟ (୩୫), ଅଜୟ ଦେବାଗନ୍‌ (୩୦)ଙ୍କ ସମେତ ଡ୍ରାଇଭର୍‌ ଓ ଅନ୍ୟ ଜଣଙ୍କୁ ବୁର୍ଲା ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର