ବାଇକ୍‌କୁ ପିଟିଲା କାର୍‌: ୨ ପରିବାରର ୬ ମୃତ

ଏକାଧିକ ଦୁର୍ଘଟଣା: ଗୋଟିଏ ଦିନରେ ୧୭ ମୃତ

ଭୁବ‌େନଶ୍ବର/ଧଉଳି/ପିପିଲି : ଗତକାଲି ଗୋଟିଏ ଦିନରେ ରାଜ୍ୟର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣାରେ ୧୭ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ତେବେ ଭୁବନେଶ୍ବରରେ ସବୁଠାରୁ ବଡ଼ ଏବଂ ମର୍ମନ୍ତୁଦ ଦୁର୍ଘଟଣାରେ ୬ ଜଣ ପ୍ରାଣ ହରାଇଛନ୍ତି। ଏକ ବାଇକକୁ ଧକ୍କା ଦେଇ କାର ଓଲଟି ପଡ଼ିବାରୁ ଉଭୟ କାର ଓ ବାଇକରେ ଥିବା ସମସ୍ତ ୬ ଜଣଙ୍କର ମୃତ୍ୟୁ ଘଟିଛି।

ଦ’ଶରାରେ ଭୁବନେଶ୍ୱରର ବିଭିନ୍ନ ପୂଜାମଣ୍ଡପ ବୁଲି ସାରି ସମସ୍ତେ ଘରକୁ ଫେରୁଥିଲେ। ଆଉ ମାତ୍ର ୧୦/୧୫ ମିନିଟ୍‌ର ବାଟ ଅତିକ୍ରମ କରିଥିଲେ, ଘରେ ପହଞ୍ଚି ଯାଇଥାନ୍ତେ। କିନ୍ତୁ ବିଧିର ବିଧାନ ଅଲଗା ଥିଲା। କ୍ଷଣକ ମଧ୍ୟରେ ସବୁ ଓଲଟ ପାଲଟ ହୋଇଗଲା। ଘରେ ପହଞ୍ଚିବା ପୂର୍ବରୁ ଯମ ଟେକିନେଲା। ଚାହୁଚାହୁ ଦୁଇଟି ପରିବାରର ମୋଟ ୬ ସଦସ୍ୟଙ୍କ ପ୍ରାଣବାୟୁ ଉଡ଼ିଗଲା।

ଶୁକ୍ରବାର ରାତି ପ୍ରାୟ ୧୦ଟା‌ରେ ଭୁବନେଶ୍ବର-ପୁରୀ ଜାତୀୟ ରାଜପଥର ଉତ୍ତରା ଫାଣ୍ଡି ଅଧୀନ ସିଫା ପ୍ରଥମ ଗେଟ୍‌ ନିକଟରେ ଏକ ବାଇକ୍‌କୁ ପଛପଟୁ ଏକ କାର୍‌ ଧକ୍କା ଦେବାରୁ ଏହି ଅଘଟଣ ଘଟିଥିଲା। ମୃତକମାନେ ହେଲେ, କାର୍‌ରେ ଥିବା ପିପିଲି ଥାନା ଅନ୍ତର୍ଗତ ନିର୍ମଳା ଗ୍ରାମର ଅନିରୁଦ୍ଧ ବାରିକ ଓରଫ ମାନସ(୨୩), ପତ୍ନୀ ଗୀତାଞ୍ଜଳି ଦାସ(୨୦), ସେମାନଙ୍କ ଦୁଇ ବର୍ଷର ଝିଅ ଶ୍ରୀୟା ଓ ଆଇ ମାଆ ନେତ୍ରମଣି ବେହେରା(୬୦) ଏବଂ ସେହି ଥାନା ଅଧୀନ ଲକ୍ଷ୍ମୀନାରାୟଣପୁର ଗ୍ରାମର ବାଇକ୍‌ ଆରୋହୀ ପ୍ରଭାକର ପ୍ରଧାନ ଓ ତାଙ୍କ ମାଆ ଲକ୍ଷ୍ମୀପ୍ରିୟା ପ୍ରଧାନ। ବ୍ୟବଚ୍ଛେଦ ପରେ ଆଜି ଏମାନଙ୍କ ଶବ ଗ୍ରାମରେ ପହଞ୍ଚିବା ପରେ ଏକ ଶୋକାକୁଳ ପରିବେଶରେ ଅ‌େନ୍ତ୍ୟଷ୍ଟିକ୍ରିୟା ସଂପନ୍ନ ହୋଇଛି।

ସୂଚନାନୁଯାୟୀ, ଗତକାଲି ଦ’ଶରା ଉପଲକ୍ଷେ ଅନିରୁଦ୍ଧ ମାଲିକଙ୍କ ଘରେ ଗାଡ଼ି ପୂଜା ସାରି ପତ୍ନୀ ଓ ଅନ୍ୟମାନଙ୍କ ସହ କାର୍‌(ଓଆର୍‌-ବିଏଲ୭୫୭୫)ରେ ଅପରାହ୍‌ଣରେ ଦେବୀ ଦର୍ଶନ ପାଇଁ ଭୁବନେଶ୍ବର ଯାଇଥିଲେ। ବିଭିନ୍ନ ଦୁର୍ଗାମଣ୍ତପ ବୁଲାବୁଲି ସାରି ରାତି ପ୍ରାୟ ୧୦ଟାରେ ଘରକୁ ଅଭିମୁଖେ ଫେରୁଥିଲେ। ଆଉ ମାତ୍ର କିଛି ମିନିଟ ମଧ୍ୟରେ ଘରେ ପହଞ୍ଚି ଯାଇଥାନ୍ତେ। ହେଲେ ତା’ ପୂର୍ବରୁ ଉତ୍ତରା ଫାଣ୍ତି ଅଧୀନ ସିଫା ଗେଟ ନିକଟରେ ସେମାନଙ୍କ କାର୍‌ଟି ଏକ ବାଇକକୁ ପଛରୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପାଣିଯୋର ଭିତରେ ପଶି ଯାଇଥିଲା।

ପ୍ରାୟ ୧୦ ଫୁଟ ଗଭୀର ପାଣିରେ ଗାଡ଼ିଟି ବୁଡ଼ି ଯାଇ ଦୀର୍ଘ ସମୟ ଧରି ରହିବାରୁ କାର୍‌ ଭିତରେ ଶ୍ବାସରୁଦ୍ଧ ହୋଇ ସମସ୍ତଙ୍କ ମୃତ୍ୟୁ ଘଟିଥିଲା। ସ୍ଥାନୀୟ ଲୋକମାନେ ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ଖବର ପାଇ ଉତ୍ତରା ଓ ପିପିଲି ଥାନା ପୁଲିସ ଟିମ ପହଞ୍ଚି କ୍ରେନ୍‌ ସାହାଯ୍ୟରେ କାର୍‌ ଉପରକୁ ଆଣି ସମସ୍ତଙ୍କୁ ଉଦ୍ଧାର କରିଥିଲେ। କିନ୍ତୁ ସେତେବେଳକୁ ସମସ୍ତଙ୍କ ମୃତ୍ୟୁ ହୋଇସାରିଥିଲା।

ଅପରପକ୍ଷେ କାର୍‌ ଧକ୍କାରେ ବାଇକ୍‌ରୁ ଛିଟିକି ପଡ଼ି ପ୍ରଭାକର ଓ ତାଙ୍କ ମା’ ଲକ୍ଷ୍ମୀପ୍ରିୟାଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିଲା। ଉତ୍ତରା ଫାଣ୍ତି ପୁଲିସ ସମସ୍ତଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲା। କିନ୍ତୁ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ଖବର ପାଇ ଦୁଇ ପରିବାର ଲୋକେ ଡାକ୍ତରଖାନାରେ ପହଞ୍ଚିଥିଲେ। ସେମାନଙ୍କ କାନ୍ଦବୋବାଳିରେ ଡାକ୍ତରଖାନା ପରିସର ଫାଟି ପଡ଼ିଥିଲା। ଆଜି ଅପରାହ୍‌ଣରେ ଶବ ବ୍ୟବଚ୍ଛେଦ ପରେ ପରିବାରଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା।

ସେହିଭଳି କେନ୍ଦୁଝର ସଦର ଥାନା ଅଞ୍ଚଳରେ ଗତ ୧୮ ତାରିଖ ରାତି ଦୁଇଟି ଦୁର୍ଘଟଣା ଘଟି ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଯାଜପୁର ଜିଲ୍ଲାର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ଅତି କମରେ ୪ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି। ସେହିଭଳି ପର୍ଜଙ୍ଗ ବ୍ଲକ ୫୩ନମ୍ବର ଜାତୀୟ ରାଜପଥ ମୁକ୍ତାପଶି ମେଡିକାଲ ଛକ ବଡ଼ଝରା ନାଳ ନିକଟରେ ଟ୍ରକ୍ ଧକ୍କାରେ ଯୌତୁକପଶି ଗାଁର ସ୍କୁଟର ଚାଳକ ଭୋଳେଶ୍ବର ସାହୁ(୩୫)ଙ୍କର ମୃତ୍ୟୁ ହୋଇଛି। ତାଳଚେରର ଭୁବନେଶ୍ବରୀ ଖଣି ନିକଟ ରାସ୍ତାରେ ଗତକାଲି ରାତି ପ୍ରାୟ ୧୧ଟା ବେଳେ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ନୂଆପଡ଼ାରେ ମଧ୍ୟ ବାଇକ ଦୁର୍ଘଟଣାରେ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ ଜିଲ୍ଲା ଗାନିଆତୋରା ଗାଁର ସନ୍ତରାମ ପଟେଲ (୨୭)ଙ୍କ ମୃତ୍ୟୁ ଘଟିଛି। ବୈଶିଙ୍ଗା ଥାନା ଅଧୀନ ଛୁରୁଣୀ ଛକ ନିକଟରେ ଟ୍ରକ ଧକ୍କାରେ ଜଣେ ଯୁବକଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର