ଦୁର୍ଘଟଣା ଜନିତ ମୃତ୍ୟୁ କମାଇବା ଚିନ୍ତା ନାହିଁ, ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟି ଜାହିର୍ କଲା ଅସନ୍ତୋଷ

୨୦୧୮ ମସିହାର ପରିସଂଖ୍ୟାନରୁ ଚେତିଲେନି ସରକାର
ସରକାରୀ ଓ ଘରୋଇ ଆମ୍ବୁଲାନ୍ସ ପାଇଁ ଗୋଟିଏ ଜରୁରୀକାଳୀନ ନମ୍ବର ହେଉ
ଦୁର୍ଘଟଣା କମାଇବାକୁ ଦୀର୍ଘମିଆଦି ଯୋଜନା ହେଉ

ଭୁବନେଶ୍ବର : ରାଜ୍ୟରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ଉଦ୍‌ବେଗଜନକ ଭାବେ ବଢ଼ି ବଢ଼ି ଚାଲିଛି। ଏହାର ପ୍ରତିକାର ପାଇଁ ଓଡ଼ିଶା ସରକାର ଯେଉଁଭଳି ପଦକ୍ଷେପ ନେବା ଦରକାର ନେଉନାହାନ୍ତି। ଅକ୍ଟୋବର, ୨୦୧୯ରେ ସୁପ୍ରି‌ମକୋର୍ଟ କମିଟି ରାଜ୍ୟ ସରକାରଙ୍କୁ ‌ଯେଉଁ ନିର୍ଦ୍ଦେଶ ଦେଇଥିଲେ ତାହାକୁ କାର୍ଯ୍ୟକାରୀ କରାଯାଇନି। ଏପରିକି ୨୦୧୮ର ସଡ଼କ ଦୁର୍ଘଟଣା ସ୍ଥିତିକୁ ଦେଖି ଏହାର ପ୍ରତିକାର ପାଇଁ ରାଜ୍ୟ ସରକାର ତତ୍ପର ନଥିବା ସୁପ୍ରିମକୋର୍ଟର ସଡ଼କ ସୁରକ୍ଷା କମିଟି କହିଛି।

ସୁପ୍ରିମକୋର୍ଟ କମିଟି ପରିବହନ ବିଭାଗ ପ୍ରମୁଖ ସଚିବ ଓ ପରିବହନ କମିସନରଙ୍କୁ ଚିଠି ‌େଲଖି କହିଛନ୍ତି ଯେ, ୨୦୧୪ରୁ ୨୦୧୮ ମଧ୍ୟରେ ଓଡ଼ିଶାରେ ପ୍ରତିବର୍ଷ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା‌ ବଢ଼ି ଚାଲିଛି। ଏପରିକି ୨୦୧୫ରେ ୯.୫% ବଢ଼ିଥିବାବେଳେ ୨୦୧୬ରେ ୩.୭%, ୨୦୧୭ରେ ୭.୩% ଏବଂ ୨୦୧୮ରେ ୧୧% ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ବଢ଼ିଥିଲା। ଏପରିକି ୨୦୧୯ରେ ଜାନୁଆରିରୁ ସେପ୍ଟେମ୍ବର ମଧ୍ୟ‌େର ଏହା ୭.୫% ବଢ଼ିଥିଲା। ପ୍ରତିବର୍ଷ ଦୁର୍ଘଟଣାଜନିତ ମୃତକଙ୍କ ସଂଖ୍ୟା ବଢ଼ୁଥିଲେ ହେଁ ରାଜ୍ୟ ସରକାର ଏହାର ତୃଣମୂଳ ସ୍ତରରୁ ପ୍ରତିକାର ବ୍ୟବସ୍ଥା କରିନାହାନ୍ତି। ଯେଉଁଥିପାଇଁ ଦୁର୍ଘଟଣା ବଢ଼ୁଛି ଏବଂ ମୃତକଙ୍କ ସଂଖ୍ୟା ବଢ଼ୁଛି ସେ ଦିଗରେ ପଦକ୍ଷେପ ନିଆଯାଉନି। ରାଜ୍ୟ ସରକାର ଜିଲ୍ଲା ସ୍ତରରେ ପ୍ରଶାସନିକ ବ୍ୟବସ୍ଥା କରି ସମନ୍ବୟ ରକ୍ଷା କରିବାକୁ କୁହାଯାଇଥିଲେ ହେଁ ତାହା ହୋଇନାହିଁ।

୨୦୧୮ ମସିହାରେ ସବୁଠୁ ଅଧିକ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଥିବାବେଳେ ରାଜ୍ୟ ସରକାର ଏହାକୁ ନଜରରେ ରଖି ଦ୍ରୁତଗତି, ବିନା ହେଲମେଟ୍‌ରେ ଗାଡ଼ି ଚଳାଉଥିବା ଲୋକ, ବିନା ସିଟ୍‌ ବେଲ୍‌ଟରେ ଗାଡ଼ି ଚଳାଉଥିବା ଲୋକ, ନାବାଳକ ଗାଡ଼ି ଚାଳକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ଦରକାର। ୨୦୧୮ରେ ୬୮% ଦୁର୍ଘଟଣା ଜନିତ ମୃତ୍ୟୁ ଦ୍ରୁତ ଗାଡ଼ି ଚାଳନା ଯୋଗୁଁ ହୋଇଥିଲେ ହେଁ ଏହା ରୋକିବାକୁ ଆଖିଦୃଶିଆ ପଦକ୍ଷେପ ନିଆଯାଇନି।

କମିଟି ଉଦ୍‌ବେଗ ପ୍ରକାଶ କରି କହିଛି ଯେ, ରାଜ୍ୟରେ ଟ୍ରାଫିକ ନିୟମ କଡ଼ାକଡ଼ି ପାଳନ ହେଉନି କି ଜରିମାନା ଆ‌ଦାୟ ଆଖିଦୃଶିଆ ହେଉନି। ୨୦୧୮ରେ ୬୮% ଦୁର୍ଘଟଣା ଜନିତ ମୃତ୍ୟୁ ଦ୍ରୁତ ଗାଡ଼ି ଚାଳନା ଯୋଗୁଁ ହୋଇଥିଲେ ହେଁ ଏହା ଉପରେ ରୋକ୍ ଲଗାଇବାକୁ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ନିଆଯାଇନି। ତେଣୁ କମିଟି ପକ୍ଷରୁ ୧୮ ଅଗଷ୍ଟ ୨୦୧୫ ଓ ୧୭ ନଭେମ୍ବର ୨୦୧୫ରେ ଜାରି ହୋଇଥିବା ନିର୍ଦ୍ଦେଶନାମା ଅନୁଯାୟୀ, ଆର୍‌ଟିଓ ଓ ଓଡ଼ିଶା ପୁଲିସ ପଦକ୍ଷେପ ନେଉ। ନିୟମ ଉଲ୍ଲଂଘନକାରୀଙ୍କ ଲାଇସେନ୍ସ ରଦ୍ଦ ହେଉ। ପ୍ରତି ତିନି ମାସରେ ଏଦିଗରେ କ’ଣ ପଦକ୍ଷେପ ନେଲ ତାହା କମିଟିକୁ ଜଣାଯାଉ।

ସେହିପରି ଯେଉଁଠି ରାସ୍ତା ଅଧିକ ବୁଲାଣି ଅଛି ‌ତାହାକୁ ସିଧା କରିବା ଦିଗରେ ପଦକ୍ଷେପ ନେବା, ବ୍ଲାକ୍‌ ସ୍ପଟ୍‌ ଓ ସମ୍ବେଦନଶୀଳ ରାସ୍ତାର ଡିଜାଇନ୍ ବଦଳାଇବା ଦରକାର। ରାଜ୍ୟରେ ୪୩୫ଟି ବ୍ଲାକ୍‌ ସ୍ପଟ୍‌ ଥିବାବେଳେ ଏଥିରୁ ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧୀନରେ ୨୫୦ଟି, ପୂର୍ତ୍ତ ବିଭାଗର (ଜାତୀୟ ରାଜପଥ) ଅଧୀନରେ ୪୭ଟି ଏବଂ ପୂର୍ତ୍ତ ବିଭାଗ ଅଧୀନରେ ୧୩୮ଟି ବ୍ଲାକ୍‌ସ୍ପଟ୍ ଅଛି। ଏହି ସ୍ଥାନରେ ଯେପରି ଦୁର୍ଘଟଣା ‌ନ ହେବ ସେଥିପାଇଁ ଜୁନ୍, ୨୦୨୦ସୁଦ୍ଧା ପଦକ୍ଷେପ ନିଆଯିବା ଦରକାର। ସେହିପରି ବ୍ଲାକ୍‌ସ୍ପଟ୍ ବ୍ୟତୀତ ଆଉ ୧୯୩ଟି ସମ୍ବେଦନଶୀଳ ଅଞ୍ଚଳ ଥିବାବେଳେ ଏସବୁ ସ୍ଥାନରେ ଦୁର୍ଘଟଣା କମାଇବାକୁ ମାର୍ଚ୍ଚ ୨୦୨୦ ସହ ପଦକ୍ଷେପ ନେବାକୁ ସ୍ବଳ୍ପ ମିଆଦି ଯୋଜନା ହୋଇଛି। ହେଲେ କମିଟି କହିଛି ଯେ, ସ୍ବଳ୍ପ ମିଆଦି ଯୋଜନା ଜରିଆରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁକୁ କମାଇ ହେବନି। ତେଣୁ ରାଜ୍ୟ ସରକାର ଦୀର୍ଘ ମିଆଦି ଯୋଜନା କରନ୍ତୁ। ଯେଉଁ ବିଭାଗ ଅଧୀନରେ ଯେଉଁ ରାସ୍ତା ଯାଉଛି ସେମାନଙ୍କ ସହ ଆଲୋଚନା କରି ସ୍ବତନ୍ତ୍ର ଗାଇଡଲାଇନ୍ ପ୍ରସ୍ତୁତ କରିବା ସହ ଭିତ୍ତିଭୂମି ଉନ୍ନତି କରାଯାଉ।

୨୦୧୯-୨୦ ରାଜ୍ୟ ସମନ୍ବିତ ଯୋଜନାକୁ ମୁଖ୍ୟ ଶାସନ ସଚିବ ନିଜେ ସମୀକ୍ଷା କରନ୍ତୁ। ଏପ୍ରିଲ ୧, ୨୦୨୦ରୁ ୨୦୨୦-୨୧ ବର୍ଷ ପାଇଁ ଯୋଜନା ପ୍ରସ୍ତୁତ କରି କାମ କରନ୍ତୁ। ପ୍ରତି ତିନି ମାସରେ ଜିଲ୍ଲା ସ୍ତରୀୟ ସୁରକ୍ଷା କମିଟି ବୈଠକ ବସିବାକୁ କୁହାଯାଇଥିଲେ ‌ହେଁ ୭ଟି ଜିଲ୍ଲାର କମିଟି ୨୦୧୯ରେ ମାତ୍ର ଦୁଇ ଥର ବୈଠକ କରିଛନ୍ତି। ଏ ଦିଗରେ ରାଜ୍ୟ ସରକାର ବିହିତ ପଦକ୍ଷେପ ନିଅନ୍ତୁ।

ସେହିପରି ଜାତୀୟ ରାଜପଥ ପାଟ୍ରୋଲିଂ ନେଇ କମିଟି ଯେଉଁ ନିର୍ଦ୍ଦେଶ ଦେଇଥିଲା ତାହାକୁ ରାଜ୍ୟ ସରକାର ମାନିନାହାନ୍ତି। ତୁରନ୍ତ ଭୁବନେଶ୍ବର-ପୁରୀ, ସମ୍ବଲପୁର-ସାହେଲା, ମଙ୍ଗୁଳି- ସମ୍ବଲପୁର, ଜଳେଶ୍ବର-ଇଚ୍ଛାପୁରମ୍, ସମ୍ବଲପୁର-ରାଉରକେଲା ରାସ୍ତାରେ ଜାତୀୟ ରାଜପଥ ପାଟ୍ରୋଲିଂ ବଢ଼ାଇବା ସହ ଟ୍ରାଫିକ ନିୟମକୁ କଡ଼ାକଡ଼ି ଲାଗୁ କରାଯାଉ। ପ୍ରମୁଖ ରାସ୍ତା, ଛକରେ ଯେପରି ଷ୍ଟ୍ରିଟଲାଇଟ୍‌ ଲାଗିବ ସେନେଇ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ନିଅନ୍ତୁ।

ଅପରପକ୍ଷେ କମିଟିର ନିର୍ଦ୍ଦେଶ ଅନୁଯାୟୀ, ପୂର୍ତ୍ତ ବିଭାଗର ୯୦କିମି ରାସ୍ତାରେ ମାର୍ଚ୍ଚ୨୦୨୦ ସୁଦ୍ଧା କ୍ରାସ୍ ବ୍ୟାରିଅର୍ ଲଗାଇବାକୁ ନିଷ୍ପତ୍ତି ହୋଇଥିବାବେଳେ ବର୍ତ୍ତମାନ ସୁଦ୍ଧା ୮୪କିମି ରାସ୍ତାରେ ଲାଗି ସାରିଲାଣି, ବାକି ୬କିମି ରାସ୍ତାରେ ଖୁବ୍‌ ଶୀଘ୍ର ଲାଗିବ ବୋଲି କୁହାଯାଇଛି। ଜାତୀୟ ରାଜପଥ (ପୂର୍ତ୍ତ) ରାସ୍ତାରେ ୯୪କିମି ରାସ୍ତାରେ କ୍ରାସ୍ ବ୍ୟା‌ରିଅର୍ ଲଗାଇବାର ଥିଲେ ହେଁ କାମ ଆରମ୍ଭ ହୋଇନି। ଏଥିରୁ ୫୦କିମି ରାସ୍ତାରେ ଏପ୍ରିଲ, ୨୦୨୦ ସୁଦ୍ଧା ଲାଗିବ ଏବଂ ୨୦୨୦-୨୧ରେ ୪୪କିମି ରାସ୍ତାରେ କ୍ରାସ୍ ବ୍ୟାରିଅର ଲାଗିବ ବୋଲି କୁହାଯାଇଛି। ଜାତୀୟ ରାଜପଥ କର୍ତ୍ତୃପକ୍ଷ ୩୦କିମି ରାସ୍ତାରେ କ୍ରାସ୍‌ ବ୍ୟାରିଅର ଲଗାଉଥିବାବେଳେ ଏହା ମାଚ୍ଚ, ୨୦୨୧ ସୁଦ୍ଧା ସରିବ। ବାକି ୪କିମି ଜୁନ୍, ୨୦୨୧ ସୁଦ୍ଧା ସରିବ। ଏହି କାର୍ଯ୍ୟ କେବେ ସରିବ ସେନେଇ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଗଠନ ହୋଇଥିବା କମିଟି ସମୀକ୍ଷା କରିବାକୁ କୁହାଯାଇଛି।

ସେହିପରି ପୂର୍ତ୍ତ ବିଭାଗ ଅଧୀନରେ ୧୩୦ଟି ସମ୍ବେଦନଶୀଳ ବ୍ରିଜ୍ ଥିବାବେଳେ ୪୫ଟିକୁ ପୁନଃନିର୍ମାଣ କରାଯାଇଛି, ୧୬ଟିର ମରାମତି ହୋଇଛି। ବାକି ୬୯ଟି ବ୍ରିଜ୍‌ରୁ ୨୬ଟିର ପୁନଃନିର୍ମାଣ ଏବଂ ୪୩ଟିର ମରାମତି କାମ ତିନି ବର୍ଷରେ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ସେହିପରି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଅଧୀନରେ ଥିବା ୩୨୯ଟି ବ୍ରିଜ୍‌ର ପ୍ରଶସ୍ତୀକରଣ, ମରାମତି, ପୁନଃନିର୍ମାଣ ଆବଶ୍ୟକ ଥିବାବେଳେ ଏହାକୁ ମାର୍ଚ୍ଚ ୨୦୨୨ ସୁଦ୍ଧା ସାରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି କୁହାଯାଇଛି।

କମିଟି କହିଛି ଯେ, ଯେଉଁ ସ୍କୁଲ୍‌ ବସ୍‌ଗୁଡ଼ିକ ବିନା ଫିଟ୍‌ନେସ୍ ସାର୍ଟିଫିକେଟରେ ଗଡ଼ୁଛି ସେଗୁଡ଼ିକର ପଞ୍ଜୀକରଣ ରଦ୍ଦ କରାଯାଉ। କେତେ ବସ୍‌ର ପଞ୍ଜୀକରଣ ରଦ୍ଦ ହେଲା ତାହା ଜଣାଯାଉ। ସେହିପରି ୨୦୧୯ର ଜାନୁଆରି- ଡିସେମ୍ବର ମାସ ଭିତରେ କେତେ ଜଣ ନାବାଳକ ଗାଡ଼ି ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି, ଯେଉଁ ଗାଡ଼ି ମାଲିକମାନେ ସେମାନଙ୍କ ଗାଡ଼ି ନାବାଳକ ଗାଡ଼ି ଚାଳକଙ୍କୁ ଦେଇଛନ୍ତି; ସେମାନଙ୍କ ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ତାହା କମିଟିକୁ ଜଣାଇବାକୁ କୁହାଯାଇଛି।

ସେହିପରି ରାଜ୍ୟରେ ଏବେ ୨୦୮୯ଟି ଆମ୍ବୁଲାନ୍ସ ଥିବାବେଳେ ଏଥିରୁ ୫୧୨ଟି ସରକାରୀ ଆମ୍ବୁଲାନ୍ସ ୧୦୮ ଅଧୀନରେ ୧୫ଟି ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କର, ୧୫୬୨ଟି ଘରୋଇ ସଂସ୍ଥାର। ରାଜ୍ୟ ସରକାର କୁହନ୍ତୁ ଯେ, ୫୧୨ଟି ୧୦୮ ଆମ୍ବୁଲାନ୍ସ ସାରା ରାଜ୍ୟରେ ରୋଗୀ ସେବା ଯୋଗାଇବାକୁ ପର୍ଯ୍ୟାପ୍ତ କି ନୁହେଁ। ରାଜ୍ୟ ସରକାର ସମସ୍ତ ଆମ୍ବୁଲାନ୍ସର ମ୍ୟାପିଂ କରିସାରିଥିବାରୁ ଗୋଟିଏ ଜରୁରୀକାଳୀନ ନମ୍ବର ଅଧୀନରେ ସବୁ ଆମ୍ବୁଲାନ୍ସ ରହୁ। ଏହାଦ୍ବାରା ରୋଗୀଙ୍କୁ ଗୁଣାତ୍ମକ ସେବା ଯୋଗାଇବା ସୁବିଧା ହେବ।

ସମ୍ବନ୍ଧିତ ଖବର