ସିଡିଏରେ ରାସ୍ତା ଦବିଗଲା ୬ଫୁଟ୍‌, ଲୋକେ ଆତଙ୍କିତ

କଟକ-ସିଡିଏ : ସିଡିଏ ସେକ୍ଟର-୮ ଟ୍ରମ୍ପେ ରୋଡ୍‌ରେ ରାସ୍ତା ଦବି ୬ ଫୁଟର ଗାତ ସୃଷ୍ଟି ହୋଇଛି। ଗତକାଲି ବିଳମ୍ବିତ ରାତିରେ ଘଟିଥିବା ଏଭଳି ଘଟଣା ଲୋକଙ୍କୁ ଆତଙ୍କିତ କରିଛି। ସେହି ରାସ୍ତା ଦେଇ ଗାଡ଼ି ଚଳାଚଳ ବନ୍ଦ ହୋଇଯାଇଛି। ଏଭଳି ଗାତ ସୃଷ୍ଟି ହେବା ଫଳରେ ନିକଟରେ ଥିବା ଘର ଗୁଡ଼ିକ ପ୍ରତି ବିପଦ ଆଶଙ୍କା କରାଯାଉଛି। କିନ୍ତୁ ନିର୍ଦ୍ଦିଷ୍ଟ ଭାବେ ଏଭଳି ଗାତ ସୃଷ୍ଟି ହେବାର କାରଣ ଜଣାପଡି ନାହିଁ। କିନ୍ତୁ ନିମ୍ନ ମାନର ରାସ୍ତା କାମ, ବିଭିନ୍ନ ସମୟରେ କେବୁଲ ଓ ପାଇପ୍‌ ବିଛାଇବା ପାଇଁ ରାସ୍ତା ଖୋଳା ହେଉଥିବା ବେଳେ ତାହାକୁ ଠିକରେ ଫିଲିଂ ନକରି ରାସ୍ତା ତିଆରି କରିବା ଯୋଗୁଁ ଏଭଳି ଘଟଣା ଘଟିଥିବା ଆଶଙ୍କା କରାଯାଉଛି।

ପୂର୍ବରୁ ମଧ୍ୟ ସିଡିଏ ଅଞ୍ଚଳରେ ଏଭଳି ଘଟଣା ଘଟିଛି। ଗଲା ୩ ବର୍ଷ ଭିତରେ ସିଡିଏ ସେକ୍ଟର-୬, ସେକ୍ଟର-୯ ଓ ସେକ୍ଟର-୧୦ ଅଞ୍ଚଳରେ ରାସ୍ତା ଦବି ଥିଲା। କିନ୍ତୁ ଏଥର ୬ଫୁଟ୍‌ ରାସ୍ତା ଦବି ଯିବା ଆତଙ୍କର କାରଣ ହୋଇଛି। ଗତକାଲି ରାତିରୁ ରାସ୍ତା ଦବି ଥିଲେ ବି ସିଡିଏ କର୍ତ୍ତୃପକ୍ଷ ଏଯାଏ ବିଶେଷଜ୍ଞଙ୍କୁ ନେଇ ସ୍ଥିତି ସମୀକ୍ଷା କରି ନାହାନ୍ତି। ଏଭଳି ଘଟଣାକୁ ନେଇ ସ୍ଥାନୀୟ କର୍ପୋରେଟର ଗିରିବାଳା ବେହେରା ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହିତ ଲୋକଙ୍କ ସୁରକ୍ଷା ପାଇଁ ସିଡିଏ କର୍ତ୍ତୃପକ୍ଷ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର