ନଦୀବନ୍ଧ ସହ ୨ ବଖରା ଘର ଧସିଲା

ବିପଦରେ ମନ୍ତେଇ ନଦୀବନ୍ଧ; ନଦୀକୂଳବାସୀ ଆତଙ୍କିତ

ବାସୁଦେବପୁର : ମନ୍ତେଇ ନଦୀ ଆଁ କରି ରହିଛି। ବନ୍ଧ ସହ ଛତରପଦା ଗାଁର ୨ ବଖରା ଘର ଆଜି ଗର୍ଭସାତ୍‌ କରିଛି। ଏହି ଅଘଟଣ ଘଟିଛି ଆଜି ଅପରାହ୍ନ ୩ଟା ବେଳେ। ହଠାତ୍‌ ୨୦ ଫୁଟ୍‌ ନଦୀବନ୍ଧ ଧସିଗଲା ଓ ସାଥିରେ ନେଇଗଲା ବାଲିମେଦ ପଞ୍ଚାୟତ ଛତରପଦା ଗାଁର ପ୍ରଶାନ୍ତ ମଳିକଙ୍କ ସଂପୂର୍ଣ୍ଣ ଘର। ହେଲେ ଆଶ୍ୱାସନାର ବିଷୟ, ପରିବାର ଲୋକେ ଅଳ୍ପକେ ମୃତ୍ୟୁ ମୁଖରୁ ବର୍ତି ଯାଇଛନ୍ତି।

ଏହି ଘଟଣା ପରେ ବାସୁଦେବପୁର ବ୍ଲକ ବାଲିମେଦ ପଞ୍ଚାୟତର ୧୦ଟି ଗାଁର ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ମନ୍ତେଇ ନଦୀ ଯେମିତି ଦିନକୁ ଦିନ କୂଳ ଆଡକୁ ମାଡ଼ି ମାଡ଼ି ଆସୁଛି, ତାହା ଦେଖି ସେମାନେ ଆତଙ୍କରେ ଥିଲେ। ହେଲେ ଆଜି ଆଖି ଆଗରେ ଘଟିଥିବା ଦୁର୍ଘଟଣା ସମସ୍ତଙ୍କ ମନରେ ଛନକା ଭରିଦେଇଛି। ହେଲେ ବିଡ଼ମ୍ବନାର ବିଷୟ ଏ ସମ୍ପର୍କରେ ସେଚ ବିଭାଗ ପାଖରେ ଏପର୍ଯ୍ୟନ୍ତ କିଛି ସୂଚନା ହିଁ ନାହିଁ।

ମନ୍ତେଇ ନଦୀ ବାସୁଦେବପୁର ବ୍ଲକର ଗୋଟିଏ ପାର୍ଶ୍ୱରେ ପ୍ରବାହିତ ହେଉଛି। ନଦୀକୁ ଲାଗି ରହିଛି ବାଲିମେଦ ପଞ୍ଚାୟତର ଛତରପଦା ସମେତ ଚାରବାଟିଆ, ଖସରବାଡି, ଗୋପାଳପୁର, ଆନ୍ଦୋଳା, କରଞ୍ଜଆଡିଆ ଆଦି ୧୦ଟି ଗାଁ। ଏସବୁ ଗାଁ ମନ୍ତେଇ କୂଳରେ ଅବସ୍ଥିତ। ମନ୍ତେଇ ପାଇଁ ଛତରପଦା ଗ୍ରାମବାସୀଙ୍କୁ ସବୁବେଳେ ସଂଗ୍ରାମ କରିବାକୁ ପଡ଼ୁଛି। ଜୁଆରିଆ ମନ୍ତେଇର ସ୍ଥିତିକୁ ଦେଖି ଛତରପଦା ଗାଁକୁ ସୁରକ୍ଷା ଦେବା ପାଇଁ ଜଳସେଚନ ବିଭାଗ ୨୦୧୪/୧୫ରେ ୨୫ ଲକ୍ଷରୁ ଊର୍ଦ୍ଧ ଟଙ୍କା ବ୍ୟୟ କରି ଆଡିବନ୍ଧ ତିଆରି କରିଥିଲା। ହେଲେ ନିର୍ମାଣ କାମ ନିମ୍ନମାନର ହୋଇଥିବା ସେତେବେଳେ ଗ୍ରାମବାସୀ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଅଣଦେଖା କରି ବିଭାଗ ସୁରକ୍ଷା ନାଁରେ ତରବରିଆ ଭାବେ ବନ୍ଧ କାମ ସାରିିଥିଲା। ନିମ୍ନମାନର କାମ ଓ ସବୁବେଳେ ଜୁଆର ମାଡ଼ ନଦୀ ବନ୍ଧକୁ ଦୁର୍ବଳ କରି ଦେଇଛି। ଯାହାର ପରିଣାମ ଆଜି ଗ୍ରାମବାସୀଙ୍କୁ ଭୋଗିବାକୁ ପଡିଛି। ସୂଚନା ମୁତାବକ ଆଜି ବନ୍ଧ ଓ ଘର ନଦୀକୁ ଧସିବା ବେଳେ ପ୍ରଶାନ୍ତଙ୍କ ପରିବାର ଲୋକେ ବାହାରେ କାମ କରୁଥିଲେ। ଫଳରେ ସେମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏହି ଘଟଣା ପରେ ଗାଁର ଅନ୍ୟ ପରିବାର ଲୋକେ ଭୟରେ ଗାଁ ଛାଡି ଅନ୍ୟତ୍ର ପଳାଇବେ ବୋଲି ପ୍ରସ୍ତୁତି ଆରମ୍ଭ କଲେଣି। ଘଟଣା ସମ୍ପର୍କରେ ବିଭାଗୀୟ ସହକାରୀ ଯନ୍ତ୍ରୀ ବେଣୁଧର ସାହୁଙ୍କ ସହ ଯୋଗାଯୋଗ କରିବାରୁ ସେ କହିଥିଲେ ତିନିବର୍ଷ ତଳେ ଆଡିବନ୍ଧ ନିର୍ମାଣ ହୋଇଥିଲା। ଜୁଆର ମାଡ଼ରେ ଆଡିବନ୍ଧ ଦୁର୍ବଳ ହୋଇ ଧସିଯାଇଛି।

ସୂଚନାଯୋଗ୍ୟ; ପୂର୍ବରୁ କୋଚିଳା ନଦୀବନ୍ଧ ଅକ୍ଟୋବର ୧୦ରେ ଧସିଥିଲା। ସେତେ ବେଳେ ୮୦ ଫୁଟ୍‌ ବନ୍ଧ କ୍ଷତିଗ୍ରସ୍ତ ହୋଇଥିଲା। ପୁଣି ସେହିମାସ ୨୯ରେ ଉକ୍ତ ବନ୍ଧର ୨୦୦ ଫୁଟ୍‌ ଧସି ନଦୀଗର୍ଭରେ ଲୀନ ହୋଇ ଯାଇଥିଲା। ପରେ ଗେଙ୍ଗୁଟି ନଦୀବନ୍ଧ ମଧ୍ୟ ସମାନ କାରଣରୁ ବିପଦ ମୁହଁକୁ ଟାଣିହୋଇ ଯାଇଥିଲା।

ଗତ ୮ ତାରିଖ ରାତିରେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଅନ୍ତର୍ଗତ ଓଳଗ ପଞ୍ଚାୟତର ଷାଠିବାଙ୍କୁଡା ନିକଟରେ ବୈତରଣୀ ନଦୀବନ୍ଧ ୪୦୦ ଫୁଟ୍‌ ଧସିଥିଲା। ଏଥିରୁ ଜିଲ୍ଲାର ନଦୀବନ୍ଧ ଗୁଡ଼ିକ ଯେ ରକ୍ଷଣା ବେକ୍ଷଣ ଅଭାବରୁ ବିପଦ ବୁହଁକୁ ଟାଣିହୋଇ ଯାଉଛି, ତାହା ଅନ୍ତତଃ ବୁଝାପଡ଼ୁଛି।

ସମ୍ବନ୍ଧିତ ଖବର