ଦୟନୀୟ ଅବସ୍ଥାରେ ପୁରୀ ରେଳ ଷ୍ଟେସନ୍ ଓ ଏହା ସଂଲଗ୍ନ ରାସ୍ତା : ଦୈନିକ ଘଟୁଛି ଛୋଟବଡ଼ ଦୁର୍ଘଟଣା, ଦୁର୍ଦ୍ଦଶା ଭୋଗୁଛନ୍ତି ଭକ୍ତ ଓ ପର୍ଯ୍ୟଟକମାନେ

ପୁରୀ : ପୁରୀର ବିକାଶ ପାଇଁ ରାଜ୍ୟ ସରକାର ଶହଶହ କୋଟି ଟଙ୍କାର ଅନୁଦାନ ଘୋଷଣା କରି ସାରିଲେଣି। ସେହି ଅନୁଯାୟୀ ପ୍ରାଶାସନିକସ୍ତରରେ କାମକୁ ଜୋରଦାର କରାଯାଇଛି। ଶ୍ରୀମନ୍ଦିର ଚତୁଃପାର୍ଶ୍ବରୁ ୭୫ ମିଟର ଉଚ୍ଛେଦକୁ ସର୍ବାଧିକ ଗୁରୁତ୍ବ ଦିଆଯିବା ସହ ସହରର ପ୍ରମୁଖ ରାସ୍ତାଗୁଡ଼ିକୁ ପ୍ରଶସ୍ତ କରିବା ଅଭିଯାନ ଆରମ୍ଭ ହୋଇଛି। ଏଭଳି ସ୍ଥିତିରେ ପୁରୀ ରେଳ ଷ୍ଟେସନ୍ ଓ ଏହା ସଂଲଗ୍ନ ରାସ୍ତାର ଚିତ୍ର ବେଶ୍‌ ଦୟନୀୟ। ‘ଫନି’ ବିଭିଷିକାରୁ ଏହି ପ୍ରମୁଖ ରେଳ ଷ୍ଟେସନ ମୁକ୍ତ ହୋଇ ପାରି ନ ଥିବାବେଳେ ଏହା ସଂଲଗ୍ନ ରାସ୍ତା ଆହୁରି ଯନ୍ତ୍ରଣାଦାୟକ ହୋଇଛି।

ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ବତନ୍ତ୍ର ସ୍ଥାନ ପାଇଥିବା ଶ୍ରୀକ୍ଷେତ୍ର ପୁରୀକୁ ଦେଶ ବିଦେଶରୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକ ବୁଲି ଆସୁଛନ୍ତି। ମହାପ୍ରଭୁଙ୍କ ଦର୍ଶନ ସହ ସ୍ବର୍ଣ୍ଣିମ ବେଳାଭୂମିର ସୌନ୍ଦର୍ଯ୍ୟକୁ ଅତି ନିକଟରୁ ଦେଖିବା ପାଇଁ ଦୈନିକ ଶ୍ରୀ‌କ୍ଷେତ୍ରରେ ଭିଡ଼ ଲାଗି ରହୁଛି। ଏଥିପାଇଁ ପୁରୀ ରେଳଷ୍ଟେସନ୍ ହେଉଛି ପର୍ଯ୍ୟଟକମାନଙ୍କ ପାଇଁ ଯୋଗାଯୋଗର ପ୍ରମୁଖ ମାଧ୍ୟମ। ମାତ୍ର ରେଳ ଷ୍ଟେସନ ଅବସ୍ଥା ଯାହା, ତାକୁ ଦେଖି ପର୍ଯ୍ୟଟକମାନେ ନାକ ଟେକୁଛନ୍ତି। ଫନିରେ ଭାଙ୍ଗି ପଡ଼ିଥିବା ମୁଖ୍ୟ ପ୍ରବେଶପଥର ଉଜୁଡ଼ା ସୌନ୍ଦର୍ଯ୍ୟ ଆଜି ପର୍ଯ୍ୟନ୍ତ ସଜଡ଼ା ହୋଇ ପାରିନାହିଁ। ସେହିଭଳି ଭଗ୍ନ ଅବସ୍ଥାରେ ଏହା ପଡ଼ିରହିଛି। ସବୁଠୁ ବଡ଼ କଥା ହେଲା, ରେଳ ଷ୍ଟେସନ୍ ଚତୁଃପାର୍ଶ୍ବକୁ ସଂଯୋଗ କରୁଥିବା ରାସ୍ତା। ଏହି ରାସ୍ତା ସବୁ ଖାଲଖମାରେ ଭର୍ତ୍ତି ହୋଇଥିବାରୁ ଦୈନିକ ଛୋଟବଡ଼ ଦୁର୍ଘଟଣା ଘଟୁଛି।

ରେଳ ଷ୍ଟେସନ ସମ୍ମୁଖ ରାସ୍ତା କଥା ନକହିବା ଭଲ। ୧୦୦ ମିଟରର ଏହି ରାସ୍ତାରେ ଏକାଧିକ ଗର୍ତ୍ତ ସୃଷ୍ଟି ହୋଇଛି। ବର୍ଷ ସମୟର ଆଣ୍ଠୁଏ ପାଣିରେ ଲୋକେ ଯା’ଆସ କରିବାକୁ ବାଧ୍ୟ ହେଉଛନ୍ତି। ଜଳ ନିଷ୍କାସନ ବାଟ ବନ୍ଦ ହୋଇଯାଉଥିବାରୁ ବର୍ଷା ଓ ଡ୍ରେନ୍‌ ପାଣି ଏଠାରେ ଜମି ରହୁଛି। ସେହିଭଳି ରେଳ ଷ୍ଟେସନକୁ ସଂଯୋଗ କରୁଥିବା ଘୋଡ଼ାବଜାର-ରାମମନ୍ଦିର ରାସ୍ତା ଅବସ୍ଥା ତଦୃପ। ଏହି ରାସ୍ତାରେ ବାରମ୍ବାର ଖାଲ ସୃଷ୍ଟି ହେଉଛି ଓ ସ୍ବେରେଜ୍ ଚାମ୍ବର ଫାଟୁଛି। ପ୍ରତିବର୍ଷ ନାମକୁ ମାତ୍ର ମରାମତି କରି ସ୍ବେରେଜ୍ ବିଭାଗ କାମ ତୁଟାଇ ଦେଉଛି। ଯାହାର କୁପରିଣାମ ଭୋଗୁଛନ୍ତି ସାଧାରଣ ଲୋକେ। ଦୈନିକ ଏଠାରେ ଟ୍ରାଫିକ୍ ସମସ୍ୟା ବି ସୃଷ୍ଟି ହେଉଛି। ଗରୁଡ଼ ଛକରୁ ବସଷ୍ଟାଣ୍ଡକୁ ସଂଯୋଗ କରୁଥିବା ରାସ୍ତା ଅବସ୍ଥା ବି ସମାନ। ନିକଟରେ ମରାମତି ହୋଇଥିବା ଏହି ରାସ୍ତା ଖାଲଖମାରେ ଭର୍ତ୍ତି । ଗତ ରଥଯାତ୍ରା ସମୟରେ ପୂର୍ତ୍ତ ବିଭାଗ ଓ ଅନ୍ୟ ବିଭାଗ ଜରିଆରେ ପ୍ରଶାସନ ସହରର ସବୁ ଗଳିକନ୍ଦି ରାସ୍ତାର ମରାମତି କରିଥିଲା। କିନ୍ତୁ ରେଳ ଷ୍ଟେସନ୍ ସଂଲଗ୍ନ ଏହି ରାସ୍ତା ସବୁକୁ ଭୁଲିଗଲେ। ଯାହାର ଦୁର୍ଦ୍ଦଶା ଭକ୍ତ ଓ ପର୍ଯ୍ୟଟକମାନେ ଭୋଗୁଛନ୍ତି।

ସମ୍ବନ୍ଧିତ ଖବର