ଯାଜପୁର ପୂର୍ତ୍ତ ବିଭାଗରେ ଗୁପ୍ତ ଟେଣ୍ଡର୍‌ କେଳେଙ୍କାରୀ : ଭୂତ ରାସ୍ତାରେ ବି ଗୁପ୍ତ ଟେଣ୍ଡର୍‌

ଗୋଟିଏ ଗୋଟିଏ ରାସ୍ତାରେ ଦୁଇ ଦୁଇ ଥର ବିଲ୍‌, ୩ଟି ରାସ୍ତାରେ ୯୧ ଗୁପ୍ତ ଟେଣ୍ଡର୍‌, ୩କୋଟି ଟଙ୍କା ହେରାଫେରି

ଯାଜପୁର/ବିଂଝାରପୁର : ଯାଜପୁର ଜିଲ୍ଲାରେ ଗୁପ୍ତ ଟେଣ୍ଡରକୁ ନେଇ ଦିନକୁଦିନ ରୋଚକପୂର୍ଣ୍ଣ ତଥ୍ୟ ପଦାକୁ ଆସିବାରେ ଲାଗିଛି। ପୂର୍ତ୍ତ ବିଭାଗର ପାଣିକୋଇଲି ଡିଭିଜନ୍‌ରେ ହଜାର ହଜାର ଗୁପ୍ତ ଟେଣ୍ଡର୍‌ ପେଡ଼ି ଖୋଲିବା ପରେ ବହୁ ରହସ୍ୟଜନକ ତଥ୍ୟ ପଦାକୁ ଆସିଛି। ଗୋଟିଏ ଗୋଟିଏ ରାସ୍ତାର ନାମ ପରିବର୍ତ୍ତନ କରି ଅନେକ ଗୁଡ଼ିକ ଗୁପ୍ତ ଟେଣ୍ଡର କରାଯାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ କରାଯାଇଛି। ଏପରିକି ଭୂତ ରାସ୍ତା( ରାସ୍ତା ନଥିବା) ବାବଦରେ ମଧ୍ୟ ଲକ୍ଷଲକ୍ଷ ଟଙ୍କା ହଡ଼ପ କରାଯାଇଛି। ମାତ୍ର ୩ଟି ରାସ୍ତାରେ ଗୋଟିଏ ବର୍ଷ ୨୦୧୬-୧୭ ଆର୍ଥିକବର୍ଷରେ ୯୧ଟି ଗୁପ୍ତ ଟେଣ୍ଡର୍‌ କରାଯାଇ ୩କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଦୁର୍ନୀତି କରାଯାଇଛି ବୋଲି ଜଣାପଡ଼ିଛି।

ଅନୁସଂଧାନରୁ ଜଣାପଡ଼ିଛି ଯେ, ଯାଜପୁର ପୂର୍ତ୍ତ ବିଭାଗ ଡିଭିଜନ୍‌ ଅନ୍ତର୍ଗତ ବିଂଝାରପୁର ସବ୍‌ଡିଭିଜନ୍‌ରେ ଗୋଟିଏ ଗୋଟିଏ ରାସ୍ତାରେ ଏକା ଦିନରେ ଅସଂଖ୍ୟ ଗୁପ୍ତଟେଣ୍ଡର କରାଯାଇ ଅର୍ଥ ଲୁଟ କରାଯାଇଛି। ଖାଲି ଏତିକି ନୁହେଁ ୨ବର୍ଷ ମଧ୍ୟରେ ଯେଉଁ ରାସ୍ତାରେ କୌଣସି କାମ ହୋଇନାହିଁ ସେହି ରାସ୍ତାରେ ୨୦୧୬-୧୭ ଆର୍ଥିକବର୍ଷରେ କାମ ହୋଇଥିବା ଦର୍ଶାଇ ମିଥ୍ୟା ବିଲ୍‌ କରାଯାଇଛି। କୋଟିକୋଟି ଟଙ୍କାର କାମକୁ ଖୋଲା ଟେଣ୍ଡର୍‌ କରାନଯାଇ ଭାଗ ଭାଗ କରି ୫ଲକ୍ଷ ଟଙ୍କାରୁ କମ୍‌ ମୂଲ୍ୟର ଶହ ଶହ ଏଫ୍‌-୨ ନାମରେ ଗୁପ୍ତ ଟେଣ୍ଡର୍‌ କରାଯାଇଛି। ୨୦୧୬-୧୭ ମସିହାରେ ବିଂଝାରପୁର ପୂର୍ତ୍ତ ସବ୍‌ଡିଭିଜନ ପ୍ରାୟ ଖୋଲା ଟେଣ୍ଡର କରାଯାଇ ନଥିବା ବେଳେ ଶହଶହ ଗୁପ୍ତ ଟେଣ୍ଡର୍‌ କରାଯାଇଛି। କପିଳା ସୟଦପୁର ରାସ୍ତା ମରାମତି ନାମରେ ୧୧ଟି ଗୁପ୍ତ ଟେଣ୍ଡର୍‌ ମାଧ୍ୟମରେ ୪୨ଲକ୍ଷରୁ ଊର୍ଧ୍ୱ ଟଙ୍କା ଦୁର୍ନୀତି କରାଯାଇଛି। ସେହିପରି ନନ୍ଦିପୁର ପ୍ରୀତିପୁର ରାସ୍ତା ମରାମତି ନାମରେ ୧୫ଟି ଗୁପ୍ତଟେଣ୍ଡର ମାଧ୍ୟମରେ ୫୮ଲକ୍ଷରୁ ଊର୍ଧ୍ୱ ଟଙ୍କା ହଡପ୍‌ କରାଯାଇଛି। ପ୍ରୀତିପୁର ଡିହକୂଳା ସିଂପୁର ରାସ୍ତା ମରାମତି ନାମରେ ୨୪ଟି ଗୁପ୍ତଟେଣ୍ଡର୍‌ ମାଧ୍ୟମରେ ୮୧ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହୋଇଛି। ସେହି ରାସ୍ତାର ନାମ ବଦଳାଇ ପ୍ରୀତିପୁର ସିଂହପୁର ରାସ୍ତା ମରାମତି ନାମରେ ୩୪ଟି ଗୁପ୍ତ ଟେଣ୍ଡର୍‌ ମାଧ୍ୟମରେ କୋଟିଏ ଟଙ୍କା ଚଳୁ କରାଯାଇଛି।

ସେହିପରି କପିଳା ସୟଦପୁର ଭାୟା ଗୁହାଳୀ ବାଙ୍କିପାଳ ନାମରେ ଭୂତ ରାସ୍ତା(କୌଣସି ରାସ୍ତା ନାହିଁ)ରେ ୭ଟି ଗୁପ୍ତ ଟେଣ୍ଡର୍‌ ମାଧ୍ୟମରେ ୨୪ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ହେରାଫେରି କରାଯାଇଛି। ଗୋଟିଏ ଗୋଟିଏ ଦିନରେ ଜଣେ ଜଣେ ଠିକାଦାରଙ୍କ ନାମରେ ୨୦ ରୁ ୩୦ ପର୍ଯ୍ୟନ୍ତ ଗୁପ୍ତ ଟେଣ୍ଡର କାମର ବିଲ୍‌ ବାବଦ ଦେୟ ପଇଠ କରାଯାଇଛି। ବିଂଝାରପୁର ସବ୍‌ଡିଭିଜନ ଅଧିନରେ ଥିବା ଅନେକ ରାସ୍ତା ପାଇଁ ଶହଶହ ଗୁପ୍ତ ଟେଣ୍ଡର କରାଯାଇଛି। କାର୍ଯ୍ୟରତ ଅଧିକାରୀ ଏବଂ କର୍ମଚାରୀମାନେ ସରକାରଙ୍କ ସମସ୍ତ ନୀତିନିୟମକୁ ମୋଡିମକଚି ଗୁପ୍ତଟେଣ୍ଡର ମାଧ୍ୟମରେ କୋଟି କୋଟି ଟଙ୍କାର ଘୋଟାଲା କରିଥିବା ଅଭିଯୋଗ ହୋଇଛି। ଯାହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ପାଣିକୋଇଲି ଡ଼ିଭିଜନ୍‌ କେଳେଙ୍କାରୀ ବିଷୟରେ ଅନେକ ବିଷୟ ସ୍ପଷ୍ଟ ହୋଇଯିବ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର