ଲ୍ୟାଣ୍ଡମାଇନ୍‌ସ ବିସ୍ଫୋରଣରେ ୩ ଜଣଙ୍କ ମୃତ୍ୟୁ ଘଟଣା: ଖଣ୍ଡବିଖଣ୍ଡିତ ଅଙ୍ଗ ଆଣିି ଗାଁ ଲୋକଙ୍କ ରାସ୍ତାରୋକ

 

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ରାଇଘର ଅନ୍ତର୍ଗତ ଭେନସ ଗାଁ ନିକଟସ୍ଥ ଜଙ୍ଗଲରେ ଗତକାଲି ଅପରାହ୍ଣ ୫ଟା ସମୟରେ ବିଏସ୍‌ଏଫ୍‌ ଯବାନଙ୍କ ପାଇଁ ମାଓବାଦୀମାନେ ବିଛାଇଥିବା ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ୩ ଜଣ ସାଧାରଣ ଲୋକ ପ୍ରାଣ ହରାଇଛନ୍ତି। ମୃତ ୩ ଜଣଙ୍କର ଶରୀର ଖଣ୍ଡବିଖଣ୍ଡିତ ହୋଇ ଘଟଣାସ୍ଥଳରେ ବିଛାଡ଼ି ହୋଇପଡ଼ଥିଲା। ତେବେ ଘଟଣାସ୍ଥଳକୁ ପୁଲିସ ନ ଯିବାରୁ ରାତିରେ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚି ଖଣ୍ଡବିଖଣ୍ଡିତ ମୃତଦେହ ସଂଗ୍ରହ କରି ଘରକୁ ଆଣିଛନ୍ତି। ତେବେ ପୁଲିସର ଉଦାସୀନତା ନେଇ ପରିବାର ଓ ଗ୍ରାମବାସୀଙ୍କ ମଧ୍ୟରେ ଉତ୍ତେଜନା ଦେଖାଦେଇଛି। ସେମାନେ ଶବ ରଖି ରାଇଘର ମୁଖ୍ୟ ରାସ୍ତାକୁ ଅବରୋଧ କରି ରଖିଛନ୍ତି।


ସୂଚନା ଅନୁଯାୟୀ, ଗତକାଳି ଏକ ଟ୍ରାକ୍ଟର ନେଇ ଗଞ୍ଜାପାରା ପଞ୍ଚାୟତ ଅନ୍ତର୍ଗତ ଲାଲମାଟି ଗାଁର ଡ୍ରାଇଭର ଲଛୁ ଗଣ୍ଡ (୨୦) ଛତିଶଗଡର ଗହରମୁଣ୍ଡି ଯାଇଥିଲେ। ସାଙ୍ଗରେ ଥିଲେ ମାରଙ୍ଗପାଲି ଗାଁର ଦୁଇ ଶ୍ରମିକ ଭରତ ଜାନୀ (୧୮) ଏବଂ ଦଶରଥ ଜାନୀ (୧୯)। ଇନ୍ଦିରାଆବାସ ପାଇଁ ଆବଶ୍ୟକ କିଛି ସାମଗ୍ରୀ ସେମାନେ ଟ୍ରାକ୍ଟରରେ ବୋଝେଇ କରି ମଧ୍ୟାହ୍ନ ୧୨ଟାରେ ପୁଣି ଭେନସ ଗାଁକୁ ଫେରୁଥିଲେ। ତେବେ, ଭେନସ ଗାଁକୁ ସଂଯୋଗ କରୁଥିବା ଜଙ୍ଗଲିଆ ମାଟି ରାସ୍ତାରେ କାଳବୈଶାଖୀ ପ୍ରଭାବରେ ଭାଙ୍ଗି ପଡିଥିବା ଗୋଟିଏ ଗଛ ଡାଳରେ କପଡ଼ା ବନ୍ଧା ହୋଇଥିବା ସେମାନେ ଦେଖିଥିଲେ। ଟ୍ରାକ୍ଟରକୁ ଅଟକାଇ ବନ୍ଧା ହୋଇଥିବା କପଡ଼ାକୁ ଫିଟାଇବା ସମୟରେ ହଠାତ୍‌ ତାହା ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ୩ ଜଣଙ୍କ ଶରୀର ଖଣ୍ଡବିଖଣ୍ଡିତ ହୋଇଯାଇଥିଲା। ଗୋଟିଏ ଶବ ବିସ୍ଫୋରଣ ସ୍ଥଳରୁ ୨୦ ମିଟର, ଅନ୍ୟ ଦୁଇଟି ଯଥାକ୍ରମେ ୫୦ ମିଟର ଓ ୧୦୦ ମିଟର ଦୂରରେ ଯାଇପଡିଥିଲା।
ବିଏସ୍‌ଏଫ୍‌ ଯବାନଙ୍କ ଗତିବିଧିକୁ ଲକ୍ଷ୍ୟ କରି ମାଓବାଦୀ ସେଠାରେ ଲ୍ୟାଣ୍ଡମାଇନ୍‌ ଖଞ୍ଜିଥିବା ଅନୁମାନ କରାଯାଉଛି। ତେବେ ଘଟଣା ଗତକାଲି ଅପରାହ୍‌ଣରୁ ଘଟିଥିଲେ ମଧ୍ୟ ପୁଲିସ କିମ୍ବା ବିଏସଏଫ ଘଟଣାସ୍ଥଳକୁ ନ ଯିବା ପ୍ରତିବାଦରେ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଲୋକେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ରାସ୍ତାରୋକ କରିଛନ୍ତି।

 

ସମ୍ବନ୍ଧିତ ଖବର