ବର୍ଷାରେ ଧୋଇଗଲା ଜାତୀୟ ରାଜପଥ ଡାଇଭର୍ସନ : କଳାହାଣ୍ଡି-କନ୍ଧମାଳ ଯୋଗାଯୋଗ ବିଚ୍ଛିନ୍ନ, ୨୪ ଘଣ୍ଟା ହେଲା ଦୁଇ ପାର୍ଶ୍ବରେ ଅଟକିଛି ଯାନବାହନ

ତୁମୁଡିବନ୍ଧ : କନ୍ଧମାଳ ଜିଲ୍ଲାରେ ଗତକାଲି ରାତିରେ ଲଗାଣ ବର୍ଷା ହେବା ଫଳରେ କନ୍ଧମାଳ-କଳାହାଣ୍ଡି ଜିଲ୍ଲାକୁ ସଂଯୋଗ କରୁଥିବା ୫୯ ନମ୍ବର ଜାତୀୟ ରାଜପଥର ମୁଣ୍ଡିଗଡ଼ ଓ ମଣ୍ଡଳପଦର ନିକଟରେ ଗତକାଲି ରାତିରୁ ଆପ୍ରୋଚ୍‌ ରାସ୍ତା ଧୋଇ ହୋଇଯାଇଛି। ଘଟଣାର ୨୪ ଘଣ୍ଟା ବିତିଥିଲେ ମଧ୍ୟ ଏବେ ବି ରାସ୍ତା ମରାମତି ହୋଇପାରିନି। ଫଳରେ ଏହି ରାସ୍ତା ଦେଇ ଯାଉଥିବା ଶହଶହ ଗାଡ଼ି ରାସ୍ତାର ଉଭୟ ପାର୍ଶ୍ୱରେ ଛିଡା ହୋଇ ରହିଥିବା ବେଳେ ଯାତ୍ରୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ଜିଲ୍ଲା ପ୍ରଶାସନ କିମ୍ବା ବିଭାଗୀୟ କର୍ତ୍ତୃପକ୍ଷ ପହଞ୍ଚିଥିଲେ ମଧ୍ୟ ରାସ୍ତା ସ୍ୱାଭାବିକ ହେବା ନେଇ କିଛି ସୂଚନା ଦେଉନଥିବା କିଛି ଲୋକ ଅଭିଯୋଗ କରିଛନ୍ତି।

ସୂଚନା ମୁତାବକ ବର୍ଷାଯୋଗୁଁ ପାହାଡ଼ରୁ ହଠାତ୍ ପାଣି ପ୍ରବଳ ବେଗରେ ପ୍ରବାହିତ ହୋଇ ରାସ୍ତା ଧୋଇ ନେଇଥିଲା। ଏଥିଯୋଗୁଁ ରାତ୍ରିକାଳୀନ ଦୂରଗାମୀ ବସ୍‌ଗୁଡ଼ିକ ଅଟକି ରହିଥିଲା। ରାତିରେ ଦୂରଦୂରାନ୍ତକୁ ଯାତ୍ରା କରୁଥିବା ଯାତ୍ରୀମାନେ ଅଧା ରାସ୍ତାରୁ ନିଜ ଘରକୁ ଫେରି ଯିବାପାଇଁ ବାଧ୍ୟ ହୋଇଥିଲେ। କିଛି ଯାତ୍ରୀ ଅଧାରାସ୍ତାରେ ଖାଇବା ପିଇବା ନ ପାଇ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ମାଲବାହୀ ଟ୍ରକ ସବୁ ରାସ୍ତା କଡ଼ରେ ଅଟକି ରହିଥିଲା। ଡ୍ରାଇଭରମାନେ ଟ୍ରକ ତଳେ ରୋଷେଇ କରୁଥିବା ଦେଖିବାକୁ ମିଳିଥିଲା। ରାସ୍ତା ଧୋଇଯିବା ଫଳରେ ମ.ରାମପୁର-କଟକ, ଭବାନୀପାଟଣା-ଭୁବନେଶ୍ୱର, ବଲାଙ୍ଗୀର-ବାଲିଗୁଡା, ଧର୍ମଗଡ଼-ଭୁବନେଶ୍ୱର, ରାମପୁର-ଫୁଲବାଣୀ, କଟକ -ନବରଙ୍ଗପୁର, ବ୍ରହ୍ମପୁର -ଭବାନୀପାଟଣା ବସ୍‌ଗୁଡିକ ଯାତାୟତରେ ବାଧ୍ୟ ସୃଷ୍ଟି ହେଉଥିବା ବେଳେ ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗୀର, ସମ୍ବଲପୁର ଓ ପଡ଼ୋଶୀ ରାଜ୍ୟ ଛତିଶଗଡ଼ ଓ ପ୍ରମୁଖ ବ୍ୟବସାୟ ପେଣ୍ଠସ୍ଥଳୀ ରାୟପୁରକୁ ଗାଡ଼ି ଚଳାଚଳରେ ସମସ୍ୟା ସୃଷ୍ଟି ହେଉଛି। ଏପରିକି ଏହି ରୁଟ୍‌ରେ ବସ୍‌ ଚଳାଚଳ ସମ୍ପୂର୍ଣ୍ଣ ବନ୍ଦ ରହିଛି । ସୂଚନା ଥାଉ କି ଠିକା ସଂସ୍ଥା ଦ୍ବାରା ୫୯ନମ୍ବର ଜାତୀୟ ରାଜପଥର ପ୍ରଶସ୍ତୀକରଣ କାର୍ଯ୍ୟ ଦୀର୍ଘ ୩ ବର୍ଷ ହେଲା ଚାଲୁଥିବା ବେଳେ ଆଜି ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନ ହେବା ଦ୍ୱାରା ଏଭଳି ସମସ୍ୟା ସୃଷ୍ଟି ହେଉଛି। ମୁଣ୍ଡିଗଡ଼ ଓ ମଣ୍ଡଳପଦର ନିକଟରେ ଦୁଇଟି ବ୍ରିଜ୍‌ କାମ ସରିଥିଲେ ମଧ୍ୟ ଆପ୍ରୋଚ ରୋଡ ନହେବା ଦ୍ୱାରା ଆସ୍ଥାୟୀ ଡାଇଭର୍ସନଟି ବର୍ଷାରେ ଧୋଇଗଲା। ଏଥିପ୍ରତି ଜିଲ୍ଲା ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ନିର୍ମାଣଧୀନ ପୋଲର ଖୁବ ଶୀଘ୍ର ଆପ୍ରୋଚ ରୋଡ ନିର୍ମାଣ ସହ ଡାଇଭର୍ସନଗୁଡିକୁ ଠିକ୍‌ କରିବାକୁ ଠିକାଦାରଙ୍କୁ ନିର୍ଦ୍ଦେଶ ଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର