ସ୍ୱାଧୀନତା ସଂଗ୍ରାମରେ କେତେ ପ୍ରଭାବଶାଳୀ ଥିଲା ଖବରକାଗଜ ?

ଢେଙ୍କାନାଳ: ଦେଶକୁ ସ୍ୱାଧୀନ କରିବାରେ ଆଞ୍ଚଳିକ ଭାଷା ସମ୍ବାଦପତ୍ରଗୁଡ଼ିକର ବେଶ୍‍ ଭୂମିକା ରହିଥିଲା । ସ୍ୱାଧୀନତା ପୂର୍ବରୁ ପ୍ରକାଶ ପାଉଥିବା ଭାରତୀୟ ଭାଷାର ଖବରକାଗଜଗୁଡ଼ିକ ଲୋକଙ୍କ ମନରେ ଦେଶପ୍ରେମର ମଞ୍ଜି ବୁଣିବା ସହ ବ୍ରିଟିଶ ଶାସନ ବିରୋଧରେ ସ୍ୱର ଉତ୍ତୋଳନ କରୁଥିଲା ବୋଲି କହିଛନ୍ତି ବିଶିଷ୍ଟ ଶିକ୍ଷାବିତ୍‍ ତଥା ସୁଲେଖକ ସୁବୀର ଘୋଷ । ଭାରତୀୟ ଜନ ସଞ୍ଚାର ସଂସ୍ଥାନ (ଆଇଆଇଏମ୍‍ସି) ଢେଙ୍କାନାଳରେ ଓଡ଼ିଆ ସାମ୍ବାଦିକତା ଦିବସ ଉପଲକ୍ଷେ ‘ଭାରତର ସ୍ୱାଧୀନତା ସଂଗ୍ରାମରେ ଆଞ୍ଚଳିକ ଭାଷା ସମ୍ବାଦପତ୍ରର ଭୂମିକା’ ଉପରେ ଏକ ବିଶେଷ ବକ୍ତୃତା ଅନୁଷ୍ଠିତ ହୋଇଛି । ଏଥିରେ ବକ୍ତା ଭାବେ ଯୋଗଦେଇ ଶ୍ରୀ ଘୋଷ କହିଛନ୍ତି, ସ୍ୱାଧୀନତା ପୂର୍ବରୁ ବିଭିନ୍ନ ଭାରତୀୟ ଭାଷାରେ ଯେତେସବୁ ଖବରକାଗଜ ବାହାରୁଥିଲା ସେଥିମଧ୍ୟରୁ ଅନେକଙ୍କ ଶତ୍ରୁ ଥିଲା ବ୍ରିଟିଶ୍‍ ।

ଅର୍ଥାତ୍‍ ଅଧିକାଂଶ ଖବରକାଗଜରେ ବ୍ରିଟିଶ ଶାସନ ବିରୋଧୀ ଖବର ହିଁ ବାହାରୁଥିଲା । ରାଜା ରାମମୋହନ ରାୟଙ୍କଠାରୁ ଆରମ୍ଭ କରି ଈଶ୍ୱରଚନ୍ଦ୍ର ବିଦ୍ୟାସାଗର, ଭୁପେନ୍ଦ୍ରନାଥ ଦତ୍ତ, ଗୌରୀଶଙ୍କର ରାୟ, ଗୋପବନ୍ଧୁ ଦାସ, ବାଲ ଗଙ୍ଗାଧର ତିଲକ, ମହାତ୍ମା ଗାନ୍ଧୀଙ୍କ ପର୍ଯ୍ୟନ୍ତ ଅନେକେ ନିଜ ଖବରକାଗଜରେ ବ୍ରିଟିଶ ଶାସନକୁ ଖୋଲାଖୋଲି ବିରୋଧ କରୁଥିଲେ । ଡ. ଘୋଷ ଏକ ଉଦାହରଣ ଦେଇ କହିଛନ୍ତି, ଭାରତ ଇତିହାସର ଅନ୍ୟତମ ମୁଖ୍ୟ ଘଟଣା ଥିଲା ନୀଳ ବିଦ୍ରୋହ । ବ୍ରିଟିଶ୍‍ ନୀଳ ବ୍ୟବସାୟୀମାନେ ଭାରତୀୟ ଚାଷୀଙ୍କୁ ଧାନ, ଗହମ ବଦଳରେ ନୀଳ ଚାଷ କରିବାକୁ ବାଧ୍ୟ କରୁଥିଲେ । ଏହା ବିରୋଧରେ ବିହାର, ବଙ୍ଗ ଓ ଓଡ଼ିଶାର କିଛି ଅଞ୍ଚଳର ଚାଷୀଙ୍କ ମଧ୍ୟରେ ବେଶ୍‍ ବିଦ୍ରୋହ ଦେଖାଦେଇଥିଲା ।

ଚାଷୀମାନେ ନ୍ୟାୟ ପାଇଁ ପୁଲିସ୍‍ ପାଖକୁ ଯିବା ବଦଳରେ ‘ହିନ୍ଦୁ ପେଟ୍ରିଅଟ୍‍’ର ସମ୍ପାଦକ ହରିଶ ଚନ୍ଦ୍ର ମୁଖାର୍ଜୀଙ୍କ ଦ୍ୱାରସ୍ଥ ହୋଇଥିଲେ । ପରଦିନ ସେ ବ୍ରିଟିଶ ନୀଳ କମ୍ପାନୀର ବେନିୟମ ତଥା ଭାରତୀୟ ଚାଷୀଙ୍କୁ ଶୋଷଣ ବିରୋଧରେ ଲେଖିଥିଲେ ‘ଭଏସ୍‍ ଅଫ୍‍ ଦି ଭଏସ୍‍ଲେସ୍‍’ । ଏହା ଖୁବ୍‍ ପ୍ରଭାବ ପକାଇଥିଲା । ସେହିପରି ଅନ୍ୟତମ ବଙ୍ଗଳା ଖବରକାଗଜ ‘ସୋମପ୍ରକାଶ’ ମଧ୍ୟ ନୀଳ ବ୍ୟବସାୟଙ୍କ ଶୋଷଣ ସମ୍ପର୍କିତ ଖବର ପ୍ରକାଶ କରିଥିଲା । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କି’ ସେ ସମୟରେ ଖବରକାଗଜଗୁଡ଼ିକର ବିତରଣ ବହୁତ କମ୍‍ ଥିଲା । ହେଲେ ଖଣ୍ଡିଏ ଖବରକାଗଜ ଅନେକ ଲୋକଙ୍କ ପାଖରେ ପହଞ୍ଚିପାରୁଥିଲା । କେହି ଯଦି ଖବରକାଗଜ ପାଉଥାଏ, ତାକୁ ସଙ୍ଗେସଙ୍ଗେ ଗ୍ରାମବାସୀଙ୍କ ଆଗରେ ସେ ପଢ଼ି ଖବରର ପ୍ରସାର କରୁଥିଲା । ଏହିପରି ଭାବେ ବ୍ରିଟିଶ ବିରୋଧୀ ମନୋଭାବ ଦ୍ରୁତ ଗତିରେ ବଢ଼ିଥିଲା । ଭାରତୀୟ ଖବରକାଗଜଗୁଡ଼ିକ ତୃଣମୂଳସ୍ତରର ଲୋକଙ୍କ ପାଖରେ ପହଞ୍ଚିପାରୁଥିଲା ।

ଏହିସବୁ ପତ୍ରପତ୍ରିକା ବ୍ରିଟିଶ ସରକାର ପାଇଁ ଅନେକ ସମସ୍ୟା ସୃଷ୍ଟି କରୁଥିବା ଅନୁଭବ କରିବା ପରେ ୧୮୭୮ରେ ‘ଭର୍ଣ୍ଣାକୁଲାର ପ୍ରେସ୍‍ ଆକ୍ଟ’ ପ୍ରଣୟନ କରାଗଲା । ଫଳରେ ସମସ୍ତ ଭାରତୀୟ ଭାଷାର ଖବରକାଗଜ ସେନ୍‍ସରସିପ୍‍ ଅଧୀନକୁ ଆସିଗଲେ । ତେବେ ବଙ୍ଗଳା ଭାଷାରେ ପ୍ରକାଶ ପାଉଥିବା ‘ଅମୃତ ବଜାର’ ପତ୍ରିକା ରାତାରାତି ଇଂରାଜୀରେ ପ୍ରକାଶିତ ହେଲା । କାରଣ, ଏହି ସେନ୍‍ସରସିପ୍‍ କେବଳ ଭାରତୀୟ ଭାଷା ପାଇଁ ଥିଲା । ‘ଅମୃତ ବଜାର’ ପତ୍ରିକାର ଏପ୍ରକାର କୌଶଳ ପରେ ପ୍ରେସ୍‍ର ଶକ୍ତି ଅନୁଭବ କଲେ ସମସ୍ତେ । ପରବର୍ତ୍ତୀ ସମୟରେ ଦେଶର ଅନ୍ୟ ପ୍ରାନ୍ତରରେ ପ୍ରକାଶିତ ଖବରକାଗଜଗୁଡ଼ିକରେ ବ୍ରିଟିଶ ବିରୋଧୀ ସ୍ୱର ତେଜିବାରେ ଲାଗିଲା । ଶ୍ରୀ ଘୋଷ ଆହୁରି କହିଛନ୍ତି, ବ୍ରିଟିଶ ସରକାରଙ୍କ ସହ ଲଢ଼ିବାର ମୁଖ୍ୟ ଆୟୁଧ ଥିଲା ଭାରତୀୟ ଭାଷାର ଖବରକାଗଜ ।

ଖବରକାଗଜ ମାଧ୍ୟମରେ ହିଁ ଲୋକଙ୍କ ମଧ୍ୟରେ ବ୍ରିଟିଶ ବିରୋଧୀ ମନୋଭାବ ସୃଷ୍ଟି କରାଯାଇପାରୁଥିଲା । ଏହାସହ ସାମାଜିକ ସୁଧାର ଆଣିବାରେ ମଧ୍ୟ ଖବରକାଗଜଗୁଡ଼ିକର ଅଭିଯାନ ଅନେକ ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି । ସ୍ୱାଗତ ଭାଷଣ ପ୍ରଦାନ କରି ଆଇଆଇଏମ୍‍ସିର ଆଞ୍ଚଳିକ ନିର୍ଦ୍ଦେଶକ ଡ. ମୃଣାଳ ଚାଟାର୍ଜୀ କହିଛନ୍ତି, ୧୮୬୬ରେ ପ୍ରଥମ ଓଡ଼ିଆ ଖବରକାଗଜ ‘ଉତ୍କଳ ଦୀପିକା’ ପ୍ରକାଶ ପାଇଥିଲା । ଏହାର ପ୍ରତିଷ୍ଠାତା ସମ୍ପାଦକ ଗୌରୀଶଙ୍କର ରାୟ ନିଜ ସମୟର ବହୁତ ଆଗକୁ ଚିନ୍ତା କରିପାରୁଥିଲେ । ସ୍ୱାଧୀନତା ସଂଗ୍ରାମରେ ମଧ୍ୟ ଏହି ଖବରକାଗଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥିଲା ।

ପ୍ରାୟ ୭୦ ବର୍ଷ ଧରି ଏହା ନିରବଚ୍ଛିନ୍ନ ଭାବେ ପ୍ରକାଶିତ ହୋଇଥିଲା । ସ୍ୱାଧୀନତା ଆଣିବାରେ ବିଭିନ୍ନ ଭାରତୀୟ ଭାଷାରେ ପ୍ରକାଶିତ ଖବରକାଗଜଗୁଡ଼ିକର ମଧ୍ୟ ଅନେକ ଭୂମିକା ରହିଥିଲା । ତେବେ ଇଂରାଜୀ ଖବରକାଗଜ ତୁଳନାରେ ଆଞ୍ଚଳିକ ଭାଷାର ଖବରକାଗଜଗୁଡ଼ିକ ସ୍ୱାଧୀନତା ସଂଗ୍ରାମରେ ଲୋକଙ୍କ ଆବେଗିକ ସଂଯୋଗ କରିଥିଲେ ବୋଲି ଡ. ଚାଟାର୍ଜୀ କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସଂସ୍ଥାନର ଛାତ୍ରଛାତ୍ରୀ, ଅଧ୍ୟାପକ ଓ କର୍ମଚାରୀ ଉପସ୍ଥିତ ଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ସହାୟକ ପ୍ରଫେସର ଡ. ଜ୍ୟୋତି ପ୍ରକାଶ ମହାପାତ୍ର ।

ସମ୍ବନ୍ଧିତ ଖବର