ବିଧବା ମହିଳାଙ୍କୁ ଅସଦାଚରଣ : ଯୁବକକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼

ଛେଣ୍ଡିପଦା : ଛେଣ୍ଡିପଦା ଅଞ୍ଚଳର ଜଣେ ଦୁଇଟି ସନ୍ତାନର ଜନନୀ ତଥା ବିଧବା ମହିଳାଙ୍କୁ ଅସଦାଚରଣ କରିବା ରୋମିଓ ଯୁବକକୁ ମହଙ୍ଗା ପଡ଼ିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଜନସାଧାରଣ ସଂପୃକ୍ତ ଯୁବକକୁ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଛନ୍ତି। ଛେଣ୍ଡିପଦା ପୁଲିସ ପହଞ୍ଚି ବନ୍ଧା ହୋଇଥିବା ଯୁବକକୁ ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରିଛି।

ପୁଲିସ ସୂତ୍ରରୁ ପ୍ରକାଶ, ବାହାଳସାହି ପଞ୍ଚାୟତ ମୁଣ୍ଡାମାଳସାହି ଗ୍ରାମର ଲିଲିପ ସାହୁ (୨୮) ଗତକାଲି ଏକ ଟ୍ୟୁଟରିଆଲ୍‌ ସେଣ୍ଟରର ମାଲିକାଣୀ ଥିବା ଜଣେ ବିଧବା ମହିଳାଙ୍କୁ ଭେଟି ପୂର୍ବରୁ ବାକିଥିବା ଟିଉସନ୍‌ ଫି’ ଆକାଉଣ୍ଟରେ ଭରିଦେବାକୁ କହି ଆକାଉଣ୍ଟ ନମ୍ବର ଓ ଫୋନ୍‌ ନମ୍ବର ମାଗି ଆଣିଥିଲା। ନମ୍ବର ଆଣିବାର କିଛି ସମୟ ପରେ ଫୋନ୍‌ରେ ନିଜକୁ ଜଣେ ଇଂଜିନିୟର ପରିଚୟ ଦେଇ ବିଧବା ମହିଳାଙ୍କୁ ବିବାହ ପ୍ରସ୍ତାବ ଦେଇଥିଲା। ଲିଲିପର ମନ୍ଦ ଉଦ୍ଦେଶ୍ୟ ଥିବା ଜାଣି ପାରି ମହିଳା ଜଣକ ନିଜ ଶ୍ୱଶୁରଘର ଲୋକଙ୍କୁ ଜଣାଇଥିଲେ। ଶ୍ୱଶୁରଘର ଲୋକଙ୍କ ପରାମର୍ଶରେ ମହିଳା ଜଣକ ଆଜି ଲିଲିପ ଫୋନ୍‌ କରିବାରୁ ଘରକୁ ଆସିବାକୁ କହିଥିଲେ। ଆଜି ଦିନ ୧୧ଟାରେ ଉତ୍ସାହିତ ଲିଲିପ ମହିଳାଙ୍କ ଘରକୁ ଆସି ଅସଦାଚରଣ ପାଇଁ ଉଦ୍ୟମ କରିଥିଲା। ଏହି ସମୟରେ ସେଠାରେ ଥିବା ମହିଳାଙ୍କ ପରିବାର ଲୋକ ଘେରିଯିବାରୁ ଲିଲିିପ ପଳାଇଯିବାକୁ ଚେଷ୍ଟା କରିଥିଲା। ଅନ୍ୟପକ୍ଷରେ ଲିଲିପଙ୍କ ଆଚରଣ ସଂପର୍କରେ ଜାଣିବା ପରେ ସ୍ଥାନୀୟ ଲୋକେ ତାକୁ ଧରି ଏକ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ।

ସମ୍ବନ୍ଧିତ ଖବର