ଜୁନ୍‌ରେ କାର୍ଯ୍ୟକ୍ଷମ ହେବ ହୀରାକୁଦ ରୋପ୍‌ଓ୍ଵ

ସମ୍ବଲପୁର : ହୀରାକୁଦ ଡ୍ୟାମ୍‌ ଅଞ୍ଚଳକୁ ପର୍ଯ୍ୟଟକମାନଙ୍କୁ ଆହୁରି ଆକୃଷ୍ଟ କରିବା ପାଇଁ ପଦକ୍ଷେପ ନିଆଯାଉଛି। ଏହି କ୍ରମରେ ଡ୍ୟାମ୍‌ର ବାମ ପାର୍ଶ୍ୱ ଡାଇକ୍‌ ହୀରାକୁଦରେ ଥିବା ଗାନ୍ଧୀ ମିନାରକୁ ଜବାହାର ଉଦ୍ୟାନ ସହ ରୋପ୍ଓ୍ଵରେ ସଂଯୋଗ ପାଇଁ ପଦକ୍ଷେପ ନିଆଯାଇଛି। ରୋପ୍‌ଓ୍ଵ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ବହୁ ବିଳମ୍ବ ହୋଇଥିିଲେ ହେଁ ଆଗାମୀ ଜୁନ୍‌ ମାସ ସୁଦ୍ଧା ସଂପୂର୍ଣ୍ଣ ହୋଇଯିବ ବୋଲି ପୂର୍ତ୍ତ ବିଭାଗ ଲକ୍ଷ୍ୟ ରଖିିଛି। ଓଡ଼ିଶା କନ୍‌ଷ୍ଟ୍ରକ୍ସନ କର୍ପୋରେସନ (ଓସିସି) ଜରିଆରେ ଏହି ନିର୍ମାଣ କରାଯାଉଛି। ଏବେ ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଜୁନ୍‌ ମଧ୍ୟରେ ଏହାକୁ ସଂପୂର୍ଣ୍ଣ କରାଯିବ ବୋଲି ଓସିସିର ବରିଷ୍ଠ ମ୍ୟାନେଜର ବି.କେ.ସାହୁ ସୂଚନା ଦେଇଛନ୍ତି।

ଏହି ରୋପ୍‌ଓ୍ଵ ପ୍ରକଳ୍ପରେ ୪ଟି ଟାଓ୍ଵାର ସ୍ଥାପନ କରାଯିବ। ଇତିମଧ୍ୟରେ ତିନୋଟି ଟାଓ୍ଵାର ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ଚତୁର୍ଥ ଟାଓ୍ଵାର ନିର୍ମାଣ ଚାଲିଛିି। ପ୍ରକଳ୍ପର କଂକ୍ରିଟ କାର୍ଯ୍ୟ ଉତ୍ତାରୁ ଏବେ ଫେବ୍ରିକେସନ ଆଦି ଆନୁସଙ୍ଗିକ କାର୍ଯ୍ୟ ଆରମ୍ଭ ହୋଇଛି। ଏହି ରୋପେଓ୍ଵରେ ୧୨ଟି ଟ୍ରଲି ରହିବ। ଗୋଟିଏ ଟ୍ରଲିରେ ୪ ଜଣ ପର୍ଯ୍ୟଟକ ବସିପାରିବେ। ପ୍ରକଳ୍ପ ପାଇଁ ୬ କୋଟି ୨୬ ଲକ୍ଷ ଟଙ୍କାର ବ୍ୟୟ ଅଟକଳ ରଖାଯାଇଛି। ଏହାକୁ କାର୍ଯ୍ୟକାରୀ କରୁଥିବା ସଂସ୍ଥା ୪୨୧ ମିଟର ଲମ୍ବ ଏହି ରୋପ୍‌ଓ୍ଵ ପ୍ରକଳ୍ପକୁ ନିର୍ମାଣ ସଂପୂର୍ଣ୍ଣ ହେବା ଦିନଠାରୁ ତିନିବର୍ଷ ପଯ୍ୟର୍ନ୍ତ ଏହାର ରକ୍ଷଣାବେକ୍ଷଣ କରିବ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର