ପାତାଳୀ ଶ୍ରୀକ୍ଷେତ୍ରରେ ହେବ ରୋପ୍‌ୱେ: ଡିସେମ୍ବରରେ ଭିତ୍ତିପ୍ରସ୍ତର

ସମ୍ବଲପୁର : ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପକ୍ଷରୁ ସୋନପୁର ଜିଲ୍ଲା ପ୍ରସିଦ୍ଧ ପାତାଳୀ ଶ୍ରୀକ୍ଷେତ୍ରରେ ରୋପ୍‌ୱେ ନିର୍ମାଣ କରାଯିବ। ସମ୍ବଲପୁର ପ୍ରେସ କ୍ଲବରେ ଆୟୋଜିତ ମିଟ୍‌ ଦ ପ୍ରେସ କାର୍ଯ୍ୟକ୍ରମରେ ଯୋଗଦେଇ ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ କିଶୋର ମହାନ୍ତି ଏହି ସୂଚନା ଦେଇଛନ୍ତି। ୧୦ କୋଟି ୨୭ ଲକ୍ଷ ଟଙ୍କାରେ ରୋପୱେ ପାଇଁ ଯୋଜନା ରହିଛି। ପ୍ରାଥମିକ ପର୍ଯ୍ୟାୟରେ ଏଥିରେ ୪ଟି କ୍ୟାବିନ ହେବ। ପରବର୍ତ୍ତୀ ସମୟରେ ଆବଶ୍ୟକତା ଅନୁସାରେ ଅଧିକ କ୍ୟାବିନ ହେବ। ପାହାଡ଼ର ପାଦ ଦେଶରୁ ଗୁମ୍ଫା ପର୍ଯ୍ୟନ୍ତ ଏହି ରୋପ୍‌ୱେ ବ୍ୟବସ୍ଥା ହେବ। ଓଡ଼ିଶା କଣ୍ଟ୍ରକସନ କର୍ପୋରେସନ(ଓସିସି) ପକ୍ଷରୁ ଏଥିପାଇଁ ଟେଣ୍ଡର ଦିଆଯାଇଛି। ସବୁ ଠିକ ହେଲେ ଡିସେମ୍ବର ମାସ ୨୮ ତାରିଖରେ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ। ବିଶ୍ବାସ କରାଯାଏ ଯେ ଜଗନ୍ନାଥ ମନ୍ଦିର ଉପରେ ଆକ୍ରମଣ ହେବାରୁ ଶ୍ରୀ ଜଗନ୍ନାଥ, ବଳଭଦ୍ର ଏବଂ ସୁଭଦ୍ରା ୧୪୪ ବର୍ଷ ଧରି ଏହି ସ୍ଥାନରେ ପାତାଳଗାମୀ ହୋଇଥିଲେ। ରାଜା ଯଯାତୀ କେଶରୀଙ୍କ ସମୟରେ ଏଠାରେ ମନ୍ଦିର ନିର୍ମାଣ କରାଯାଇଛି। ୫୦୦ ମିଟର ଉଚ୍ଚରେ ପାତାଳୀ ଶ୍ରୀକ୍ଷେତ୍ର ରହିଛି। ପାହାଡ଼ ଚଢି ଗୁମ୍ଫାକୁ ଯିବା ଅନେକ ପର୍ଯ୍ୟଟକଙ୍କ ପାଇଁ କଷ୍ଟକର ହୋଇ ପଡ଼େ। ଏଠାରେ ରୋପ୍‌ୱେ କରାଗଲେ ଅଧିକ ସଂଖ୍ୟକ ପର୍ଯ୍ୟଟକ ଆକର୍ଷିତ ହେବେ ବୋଲି ଡବ୍ଲୁଓଡିସି ଅଧ୍ୟକ୍ଷ ଶ୍ରୀ ମହାନ୍ତି ଆଶା କରିଛନ୍ତି।

ସମ୍ବନ୍ଧିତ ଖବର