ରୋଜ୍‌ଭ୍ୟାଲି ଠକେଇ: ଆଜି ତାପସ ପାଲଙ୍କ ଜାମିନ ଶୁଣାଣି

କଟକ: ତୃଣମୂଳ କଂଗ୍ରେସ ସାଂସଦ ତାପସ ପାଲଙ୍କ ଜାମିନ ଆବେଦନର ବୁଧବାର ଦିନ ପୂର୍ଣ୍ଣାଙ୍ଗ ଶୁଣାଣି କରାଯିବ। ଆଜି ତାଙ୍କ ଜାମିନ ଆବେଦନର ଶୁଣାଣି ସମୟରେ ପୂର୍ବ ନିର୍ଦ୍ଦେଶ ଅନୁସାରେ ଧାରା ୧୬୪ରେ ରେକର୍ଡ କରାଯାଇଥିବା ସାକ୍ଷୀଙ୍କ ବୟାନରେ ତାପସଙ୍କ ବିରୋଧରେ ନିର୍ଦ୍ଦିଷ୍ଟ ଭାବେ କଣ ତଥ୍ୟ ରହିଛି ତାହା ସିବିଆଇ ପକ୍ଷରୁ ଉପସ୍ଥାପନ କରାଯାଇ ନଥିଲା। ଫଳରେ ମାମଲାର ଶୁଣାଣି ଘୁଞ୍ଚିଥିଲା। ଜଷ୍ଟିସ ଜେ.ପି.ଦାସଙ୍କୁ ନେଇ ଗଠିତ ଖଣ୍ଡପୀଠ ତାପସଙ୍କ ଜାମିନ ଆବେଦନର ପରବର୍ତ୍ତୀ ଶୁଣାଣି ବୁଧବାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଠାରେ ସୂଚନା ଯୋଗ୍ୟ ଯେ ରୋଜ ଭ୍ୟାଲି ଠକେଇ ମାମଲାରେ ୨୦୧୬, ଡିସେମ୍ବର ୩୦ରେ ତାପସଙ୍କୁ ସିବିଆଇ ଗିରଫ କରିଥିଲା। ପୂର୍ବରୁ ୨୦୧୭, ଏପ୍ରିଲ ୧୨ରେ ହାଇକୋର୍ଟ ତାଙ୍କ ନିୟମିତ ଜାମିନ ଆବେଦନ ଖାରଜ କରିଥିଲେ। ପରିବର୍ତ୍ତିତ ପରିସ୍ଥିତିରେ ପୁଣି ସେ ଜାମିନ ପାଇଁ ଆବେଦନ କରି ପାରିବେ ବୋଲି ହାଇକୋର୍ଟଙ୍କ ରାୟରେ ସ୍ପଷ୍ଟ କରାଯାଇଥିଲା। ଏହାପରେ ତାପସଙ୍କ ପକ୍ଷରୁ ହାଇକୋର୍ଟରେ ଦ୍ୱିତୀୟ ଥର ଲାଗି ଜାମିନ ଆବେଦନ ଦାୟର କରାଯାଇଛି।

ସମ୍ବନ୍ଧିତ ଖବର