ଆଗାମୀ ୩ ମାସ ମଧ୍ୟରେ ରସଗୋଲା ବିବାଦର ପୂର୍ଣ୍ଣଛେଦ ପଡ଼ିବ : ଜି.ଆଇ ମୁଖ୍ୟ

କୋଲକାତା: ବହୁ ଦିନ ଧରି ରସଗୋଲାର ଭୌଗଳିକ ଉତ୍ପତ୍ତି ନେଇ ଓଡିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଚାଲିଥିବା ବିବାଦରେ ପୂର୍ଣ୍ଣଛେଦ ପଡିବାକୁ ଯାଉଛି । ଆଗାମୀ ୩ମାସ ମଧ୍ୟରେ ପ୍ରକୃତରେ ରସଗୋଲା କାହାର ତାହା ସ୍ପଷ୍ଟ ହୋଇଯିବ । ଓଡିଶା ତରଫରୁ ରସଗୋଲାକୁ ଜିଆଇ ମାନ୍ୟତା ମିଳିବା ନେଇ ଦିଆଯାଇଥିବା ତଥ୍ୟକୁ ତର୍ଜମା କରାଯାଉଛି, ଯାହାକି ଆଗାମୀ ୩ ମାସ ମଧ୍ୟରେ ଏହି ବିବାଦରେ ପୂର୍ଣ୍ଣଛେଦ ପକାଇବ ବୋଲି କହିଛନ୍ତି ଜି.ଆଇ ମୁଖ୍ୟ ସି.ଜି ନାଇଡୁ ।

ଗତକାଲି କୋଲକାତାରେ ଆୟୋଜିତ ଏକ ସମ୍ମିଳନୀରେ, ରସଗୋଲା ମାନ୍ୟତାକୁ ନେଇ ବିଭିନ୍ନ ପ୍ରଶ୍ନର ଉତ୍ତରରେ ନାଇଡୁ କହିଛନ୍ତି ଯେ, ରସଗୋଲାର ପ୍ରକୃତ ଇତିହାସ ଓ ଏହାର ଉତ୍ପତ୍ତି କେଉଁଠାରୁ ତାକୁ ନେଇ ତର୍ଜମା ଚାଲିଛି । ସେଥି ପାଇଁ ବ୍ରିଟିଶ ଶାସନ ବେଳର ଗେଜେଟ ନୋଟିଫିକେସନକୁ ଅନୁଧ୍ୟାନ କରାଯିବା ସହ ବିଭିନ୍ନ ବିଶେଷଜ୍ଞଙ୍କ ଲେଖା, ଇତିହାସକାର, ଗବେଷକଙ୍କ ମତାମତ ନିଆଯିବ ବୋଲି ନାଇଡୁ କହିଛନ୍ତି ।

ଅନ୍ୟପଟେ ୨୦୧୭ ନଭେମ୍ବର ମାସରେ ରସଗୋଲାକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ ଜିଆଇ ମାନ୍ୟତା ମିଳିଥିବା ନେଇ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଟ୍ୱିଟ କରି କହିଥିଲେ । ହେଲେ ଏହାର ଠିକ ୪ମାସ ପରେ ସେହି ଜିଆଇ ମାନ୍ୟତାକୁ ନେଇ ପଶ୍ଚିମବଙ୍ଗ ସରକାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ ଜି.ଆଇ ଅଫିସ । ସୁଚନା ମୁତାବକ ପଶ୍ଚିମବଙ୍ଗ ସରକାର ଭୁଲ ତଥ୍ୟ ଉପସ୍ଥାପନ କରି ଚେନ୍ନାଇରେ ଥିବା ଇଣ୍ଡିଆନ ପ୍ୟାଟେଣ୍ଟ ଅଫିସରୁ ‘ବାଂଲାର ରସଗୋଲା’ ନାଁରେ ଜି.ଆଇ ମାନ୍ୟତା ହାସଲ କରିଥିଲା । ତେବେ ଏହାକୁ ନେଇ ଓଡିଶା ତରଫରୁ ଯୁକ୍ତି ଓ ତଥ୍ୟ ଉପସ୍ଥାପନ କରାଯାଇଛି ।

ସମ୍ବନ୍ଧିତ ଖବର