ରୋଟାରି ଜିଲ୍ଲା ସମ୍ମିଳନୀ ‘ଉଦିତ’ ଆରମ୍ଭ : ‘ଦେଇ ଜାଣିଲେ ସମାନତା ଆସିବ’

ପୁରୀ : ରୋଟାରି ୩୨୬୧ର ଜିଲ୍ଲା ସମ୍ମିଳନୀ ‘ଉଦିତ୍’ର ତିନିଦିନିଆ ବାର୍ଷିକ ସମ୍ମିଳନୀ ଆଜି ସ୍ଥାନୀୟ ହୋଟେଲ ହଲିଡେ ରିସର୍ଟଠାରେ ଆରମ୍ଭ ହୋଇଛି।

ଉଦ୍‌ଘାଟନୀ ସନ୍ଧ୍ୟା‌ରେ ଉତ୍ସବରେ ବିଶିଷ୍ଟ ଅତିଥି ଭାବେ ଯୋଗଦେଇ ରାଜ୍ୟସଭା ସାଂସଦ ତଥା ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଗଣତନ୍ତ୍ରରେ ସମାନତାର ମୂଲ୍ୟବୋଧ ସଂପର୍କରେ କହିଥିଲେ। ସମାନତା କଥା ସମସ୍ତେ କହୁଥିବା ବେଳେ ବର୍ତ୍ତମାନର ପୁଞ୍ଜିବାଦ ସମାଜରେ ଏହାର ବାସ୍ତବତାକୁ ନେଇ ପ୍ରଶ୍ନ ଉଠିଛି। ସମାଜରେ ସମାନତା ଫେରାଇ ଆଣିବାକୁ ହେଲେ ପ୍ରଥମେ ଏହାର ମୂଲ୍ୟବୋଧକୁ ବୁଝିବାକୁ ହେବ। କେବଳ ଦାନ କରିଦେ‌ଲ, ଦାତବ୍ୟ ଅନୁଷ୍ଠାନ ଖୋଲିଦେଲେ ତାହା ସମ୍ଭବ ହୋଇପାରିବ ନାହିଁ। ଏଥିପାଇଁ ପ୍ରତିଟି ବ୍ୟକ୍ତିଙ୍କୁ ଦେବାର କଳା ଶିକ୍ଷା କରିବାକୁ ପଡିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

ଅତିଥି ଭାବେ ଯୋଗଦେଇ ରୋଟାରି ଇଣ୍ଟର୍‌ନ୍ୟାସନାଲର ପୂର୍ବତନ ନିର୍ଦ୍ଦେ‌ଶକ ଶେଖର ମେହେଟ୍ଟା ବ୍ୟକ୍ତି କ୍ଷମତା ବା ‘ୱାନ ମ୍ୟାନ ପାୱାର’ସଂପର୍କରେ ଅଭିଭା‌ଷଣ ରଖିଥିଲେ। ଜଣେ ବ୍ୟକ୍ତିର ବିଚାରରୁ ବହୁତ କିଛି ପରିବର୍ତ୍ତନ ଆସିପାରିବ ବୋଲି ସେ କହିଥିଲେ।

ଉତ୍ସବରେ ଯୋଗ‌ଦେଇ ରୋଟାରିଆନ ଡ. ଜୟନ୍ତ କୁଲକର୍ଣ୍ଣି ରୋଟାରି ଇଣ୍ଟର ନ୍ୟାସନା‌ଲର ସଭ୍ୟମାନେ କିଭଳି ଅଧିକ କାମ କରିବେ ସେ ସଂପର୍କରେ କହିଥିଲେ।

ସମ୍ମିଳନୀ ଅଧ୍ୟକ୍ଷ ରୋଟାରିଆନ୍ ସୁଧୀର କୁମାର ପଣ୍ଡା ସ୍ବାଗତ ଭାଷଣ ଦେଇଥିଲେ। ରୋଟାରୀ ଜିଲ୍ଲା ଗଭଣ୍ଣର ନିଖଲେଣ ତ୍ରିବେଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ସମ୍ମିଳନୀ ସଂପାଦକ ସୁଜିତ ପାଣିଗ୍ରାହୀ ଯୋଗଦେଇଥିଲେ। ଏହି ଅବସରରେ‌ ପୂର୍ବତନ ଜିଲ୍ଲା ଗଭର୍ଣ୍ଣର ଅଶୋକ ସିଂହ, ରଂଜିତ ସିଂହ ସାନି, ରୋଟାରିଆନ ସୁନିଲ ପାଟକ, ସୁବାସ ସାହୁ, ରୋଟାରିଆନ ସମ୍ଭୁଜୀ, ରାକେଶ ଦାବେ, ଦୀପକ ମେହେଟ୍ଟା, ହରଜିତ ହୁରା, ଏଫ୍.ସି ମହାନ୍ତି ଓ ସମାଜ‌ସେବୀ ଲଳିତ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ରୋଟାରିଆନ୍ ଏମ.ପି ନାୟକଙ୍କ ତତ୍ତ୍ବାବଧାନରେ ଅନୁଷ୍ଠାନର ସ୍ମରଣିକା ଉ‌ନ୍ମୋଚିତ ହୋଇଥିଲା।

ସମ୍ବନ୍ଧିତ ଖବର